ରାଜ୍ୟ

Government panthasala: ଅର୍ଥ ହଡ଼ପର ପନ୍ଥା ସାଜିଛି ସରକାରୀ ପାନ୍ଥଶାଳା: ୩୦ ଲକ୍ଷର ଘର ମରାମତି ପାଇଁ ୩ କୋଟି ଖର୍ଚ୍ଚ!

ଲଙ୍ଗଳେଶ୍ବର: ଲୋକଙ୍କ ସେବାରେ କିମ୍ବା ସରକାରୀ କାର୍ଯ୍ୟରେ ଆସୁନଥିବା ଏକ ଦୁଇ ବଖରା ପାନ୍ଥଶାଳାକୁ ମରାମତି ନାମରେ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ମାଲାମାଲ୍ ହୋଇଛନ୍ତି ସରକାରୀ ବାବୁ ଓ ଠିକାଦାର। ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଡଗରା ବେଳାଭୂମିରୁ।

ଏଠାରେ ବାଲିଆପାଳ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପାନ୍ଥଶାଳା ନିର୍ମାଣ ହୋଇଥିଲା। ଡଗରା ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ ରହିବା ଓ ଖାଇବା ସୁବିଧା ପାଇଁ ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ଉଦ୍ୟମରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ୧୯୯୮ ମସିହାରେ ନିର୍ମାଣ ଆରମ୍ଭ ହୋଇ ୨୦୦୦ ମସିହାରେ କାମ ସରିଥିଲା। କିନ୍ତୁ ଏହା ଲୋକାର୍ପଣ ହେଲାନାହିଁ। ଅଢ଼େଇ ଦଶନ୍ଧି ଭିତରେ ଜଣେ ବି ପର୍ଯ୍ୟଟକ ‌ଏଠାରେ ରହିବାର ସୁଯୋଗ ପାଇଲେ ନାହିଁ। ଆରମ୍ଭରୁ ଅବ୍ୟବହୃତ ଅବସ୍ଥା‌ରେ ଅଛି ଏହି ପାନ୍ଥଶାଳା।

ହେଲେ ପ୍ରତିବର୍ଷ ଗୃହ ମରାମତି ନାମରେ ଅର୍ଥ ବ୍ୟୟ କରାଯାଉଛି। କେଉଁ ବର୍ଷ ୧୦ ଲକ୍ଷ ତ’ କେଉଁ ବର୍ଷ ୨୦ ଲକ୍ଷ; ଏମିତି ଭାବେ ଗତ ୨୫ ବର୍ଷରେ ମରାମତି ନାମରେ ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି। ଚଳିତ ବର୍ଷ ମଧ୍ୟ ପାନ୍ଥଶାଳା ମରାମତି ପାଇଁ ୨୧ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାମ ଚାଲିଛି।
ଯଦି ପାନ୍ଥଶାଳାଟି ଲୋକଙ୍କ କାର୍ଯ୍ୟରେ ଆସୁନାହିଁ, ତେବେ ଏଠି ଅର୍ଥ ବ୍ୟୟ ହେଉଛି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠୁଛି।‌ ସେହିପରି ୨ ବଖରା ପାନ୍ଥଶାଳାକୁ ନୂଆରେ ତିଆରି କଲେ ୨୧ ଲକ୍ଷ ଟଙ୍କା ଯଥେଷ୍ଟ। ହେଲେ ମରାମତି ପାଇଁ ୨୧ ଲକ୍ଷ ଟଙ୍କା ମଞ୍ଜୁରି କଲା କିଏ? ଏ ବାବଦରେ ବାଲିଆପାଳ ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭବେନ୍ଦ୍ର ନାଥ ଟୁଡୁଙ୍କୁ ପଚାରିବାରୁ ଏବେ ମରାମତି କାମ ଠିକ୍‌ଠାକ୍‌ ଚାଲିଛି କହି ଅଭିଯୋଗକୁ ଏଡ଼ାଇ ଯାଇଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button