ଗ୍ରିନ୍ ବେଲ୍ଟ ଆନ୍ଦୋଳନ ଏକ ପ୍ରସିଦ୍ଧ ପରିବେଶ ଓ ସାମାଜିକ ଆନ୍ଦୋଳନ। ୧୯୭୭ ମସିହାରେ ୱାଙ୍ଗାରି ମାଥାଇ କେନିଆରେ ଏହା ଆରମ୍ଭ କରିଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଜଙ୍ଗଲ କ୍ଷୟକୁ ରୋକିବା, ପରିବେଶକୁ ସୁରକ୍ଷିତ କରିବା, ଲିଙ୍ଗଗତ ସମାନତା ଓ ଜୀବିକା ବିକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା।
ୱାଙ୍ଗାରି ପ୍ରଥମେ ବିଶ୍ୱ ପରିବେଶ ଦିବସରେ ସାତଟି ଚାରା ଲଗାଇ ଏହି ପ୍ରୟାସ ଆରମ୍ଭ କରିଥିଲେ। ମାତ୍ର ପରେ ଏହା ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇଥିଲା। ହଜାର ହଜାର ଗଛ ଲଗାଇ ସବୁଜ ବଳୟ ସୃଷ୍ଟି କରାଯାଇଥିଲା, ଯାହା ଉଭୟ ପରିବେଶ ଓ ସମାଜ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥିଲା। ଏହି ଆନ୍ଦୋଳନର ମୂଳ ଶକ୍ତି ଥିଲେ ଗ୍ରାମୀଣ ମହିଳା, ସେମାନେ ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେଇଥିଲେ। ଏହାସହିତ ନିଜ ଜୀବିକାକୁ ମଧ୍ୟ ସୁଦୃଢ଼ କରିଥିଲେ।
ମାତ୍ର ୱାଙ୍ଗାରି ମାଥାଇଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା। ୧୯୮୯ରୁ ୧୯୯୯ ମଧ୍ୟରେ ଆନ୍ଦୋଳନକୁ ଦମନ କରିବା ପାଇଁ ଅନେକ ପ୍ରୟାସ ହୋଇଥିଲା। ୧୯୮୯ ମସିହାରେ ଏହି ଆନ୍ଦୋଳନ ଉହୁରୁ ପାର୍କର ୩୪ ଏକର ସାର୍ବଜନୀନ ସବୁଜ ଜମିରେ ୬୦ ମହଲା ବିଶିଷ୍ଟ ଭବନ ନିର୍ମାଣ ପ୍ରସ୍ତାବକୁ ବିରୋଧ କରିଥିଲା। ଗ୍ରିନ୍ ବେଲ୍ଟ ଆନ୍ଦୋଳନ ପ୍ରଭାବରେ ସେହି ପ୍ରକଳ୍ପକୁ ରୋକିବାରେ ସଫଳ ହୋଇଥିଲେ। ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମଧ୍ୟ ଏହି ଆନ୍ଦୋଳନ କେବେ ବି ଅଟକି ନଥିଲା। ଆଜି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ମହିଳା ଏଥିରେ ଯୋଗ ଦେଉଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ କେନିଆରେ ୫୦୦୦ରୁ ଅଧିକ ନର୍ସରି ସ୍ଥାପିତ ହୋଇଛି। ଚାଷ ଜମି, ସ୍କୁଲ୍, ଚର୍ଚ, ନଦୀକୂଳ ଓ ଗ୍ରାମାଞ୍ଚଳରେ ୫୧ ନିୟୁତରୁ ଅଧିକ ଗଛ ଲଗାଯାଇଛି। ଏହାକୁ ପରିବେଶ ସୁରକ୍ଷା ପ୍ରତି ଏକ ଐତିହାସିକ ଅବଦାନ ଭାବେ ଗ୍ରହଣ କରାଯାଏ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଆନ୍ଦୋଳନ ପାଇଁ ଏହାର ପ୍ରତିଷ୍ଠାତା ୱାଙ୍ଗାରି ମାଥାଇ ପରିବେଶ ସୁରକ୍ଷା ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରକୁ ଅସାଧାରଣ ଅବଦାନ ନିମନ୍ତେ ବିଶ୍ୱସ୍ତରରେ ବହୁ ପ୍ରଶଂସା ଅର୍ଜନ କରିଛନ୍ତି। ଗ୍ରିନ୍ ବେଲ୍ଟ ଆନ୍ଦୋଳନ କେବଳ ପରିବେଶ ସୁରକ୍ଷାରେ ସୀମିତ ନୁହେଁ, ଏହାକୁ ଶାନ୍ତି, ଗଣତନ୍ତ୍ର ଓ ସ୍ଥାୟୀ ବିକାଶର ପ୍ରତୀକ ଭାବେ ମଧ୍ୟ ବିବେଚନା କରାଯାଇଛି। ଏହା ଆଜି ମଧ୍ୟ ବିଶ୍ୱର ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ।
ସୌଜନ୍ୟ ସମ୍ବାଦ

