ଜିଲ୍ଲାରାଜ୍ୟ

Half-burnt body seized: ଯୁବକଙ୍କୁ ଜାଳିଦେଲେ: ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ନୟାଗଡ଼: ଓଡ଼ଗାଁରେ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ସନ୍ଧ୍ୟାରେ ଗଣିଆ ଥାନା ଅଧୀନ ବାଲିସାହି-ଏରୁଣ୍ଡିପଥର ରାସ୍ତାରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ ଖଣ୍ଡପଡ଼ା ଥାନା ଅଧୀନ‌ ଢୋଲମରା ପଞ୍ଚାୟତର କନ୍ଧମିରିଗି ଗାଁର ରୁଷିଆ ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନ (୧୮)। ସଞ୍ଜୟଙ୍କ ମୃତଦେହ ନିକଟରେ ତାଙ୍କ ଚପଲ ପଡ଼ିଥିବା ବେଳେ ପାଖରେ ଘାସ ଜଳିଯାଇଥିବା ଦେଖିବାକୁ ମିଳିଛି। ଏଣୁ ସେହି ସ୍ଥାନରେ ହିଁ ତାଙ୍କୁ ଜାଳି ଦିଆଯାଇଥିବା ଅନୁମାନ କରାଯାଉଛି। ଖଣ୍ଡପଡ଼ା‌ରେ ତାଙ୍କୁ ହତ୍ୟା କରାଯାଇ ଗଣିଆ ଅଞ୍ଚଳର ଏହି ନିଛାଟିଆ ସ୍ଥାନରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବାକୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି।

ଆଜି ଅପରାହ୍ଣରେ ବାଲିସାହି-ଏରୁଣ୍ଡିପଥର ରାସ୍ତାରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଖବର ପାଇ ଗଣିଆ ପୁଲିସ ପହଞ୍ଚିଥିଲା। ଇନ୍‌ସ୍ପେକ୍ଟର ଟଙ୍କଧର ଛତ୍ରିଆ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲେ। ମୃତ ଯୁବକଙ୍କ ପରିଚୟ ତାଙ୍କ ହାତର ଟାଟୁରୁ ଜଣାପଡ଼ିଥିଲା। ପରେ ଖୋଳତାଡ଼ରୁ ତାଙ୍କ ଠିକଣା ଓ ସମସ୍ତ ତଥ୍ୟ ପୁଲିସକୁ ମିିଳିଥିଲା। ଗଣିଆ ଥାନାରେ ତାଙ୍କ ମା’ ଡଲି ପ୍ରଧାନ ପହଞ୍ଚି ପୁଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଛନ୍ତି। ମୃତକଙ୍କ ମା’ଙ୍କ ସୂଚନା ମୁତାବକ, ସଞ୍ଜୟ ଭୁବନେଶ୍ବରରେ ରହି କାଠ କାମ କରୁଥିଲେ। ଗତକାଲି ଅପରାହ୍‌ଣରେ ସେ ଘରକୁ ଆସିଥିବା ନେଇ ତାଙ୍କ ମାଲିକ ଫୋନ୍ ଯୋଗେ କହିଥିଲେ। ରାତି ପାହି ସକାଳ ହେଲା ପଛେ, ସଞ୍ଜୟଙ୍କ ଦେଖା ମିଳିଲା ନାହିଁ। ଶେଷରେ ଗଣିଆ ଅଞ୍ଚଳରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିବା ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା। ଏହାକୁ ତାଙ୍କର ଜଣେ ସମ୍ପର୍କୀୟ ଦେଖି ତାଙ୍କୁ ଯୋଗାଯୋଗ କରିଥିଲେ।
ସୌଜନ୍ୟ ସମ୍ବାଦ
Show More
Back to top button