
ପୁରୀ: ଯେମିତି ଦେଉଳକୁ ସେମିତି ବାନା। ଶ୍ରୀକ୍ଷେତ୍ର ଖାଲି ବଡ଼ଦେଉଳ, ବଡ଼ଦାଣ୍ଡ, ବଡ଼ଠାକୁରରେ ସୀମିତ ନୁହେଁ, ବରଂ ଶ୍ରୀମନ୍ଦିର ନୀଳଚକ୍ରରେ ଫରଫର ଉଡ଼ୁଥିବା ବାନା ମଧ୍ୟ ଥିଲା ସବୁଠୁ ବଡ଼। ଅତୀତରେ ପତିତପାବନ ବାନା ନୀଳଚକ୍ରରୁ ଯାଇ ମହୋଦଧିରେ ପଡ଼ୁଥିଲା। ଉକ୍ତ ବାନାର ଅଗ୍ରଭାଗକୁ ଧରି ବୁଡ଼ ପକାଉଥିଲେ ଭକ୍ତ। ପରବର୍ତ୍ତୀ ସମୟରେ ୧୫୧ ହାତର ବାନା ଉଡ଼ିବାର ନଜିର ରହିଛି। ଧୀରେଧୀରେ ଏହା ୫୧ ହାତ, ୩୧ ହାତ, ୨୯ ହାତ, ୨୧ ହାତ, ୧୯ ହାତ ପରେ ଏବେ ୧୪ ହାତରେ ସୀମିତ ରହିଛି।
ମହାପ୍ରଭୁଙ୍କ ବଡ଼ଦେଉଳର ବାନା ବନ୍ଧା ଚୂନରା ସେବକ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିଜ୍ଞ ଡ. ଶରତ ମହାନ୍ତିଙ୍କ କହିବା ମୁତାବକ, ୧୯୯୬ ମସିହା ପର୍ଯ୍ୟନ୍ତ ୧୫୧ ହାତ ବାନା ଉଡ଼ିଛି। ବଲିଉଡ୍ ହିରୋ ସଞ୍ଜୟ ଦତ୍ତ ଟାଡା ମାମଲାରେ ପଡ଼ିଥିବା ବେଳେ ତାଙ୍କ ବାପା ସୁନୀଲ ଦତ୍ତ ଚିନ୍ତାରେ ପଡ଼ିଥିଲେ। ସେ ଆସି ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ଚଣ୍ଡୀ ପାଠ କରିଥିଲେ। ଏଥି ସହ ନୀଳଚକ୍ରରେ ୧୫୧ ହାତ ପତିତପାବନ ବାନା ବାନ୍ଧିଥିଲେ। ଏହାପରେ ତାଙ୍କ ପୁଅ ଉକ୍ତ ମାମଲାରୁ ମୁକୁଳୁଥିଲେ। ତାଙ୍କ କହିବା ମୁତାବକ, ୧୫୧ ହାତ ବାନା ପାଦୁକ କୁଣ୍ଡରେ ପଡ଼ୁଥିବାରୁ ଏହାକୁ ପାଦୁକ ଖିଆ ବାନା ମଧ୍ୟ କୁହାଯାଏ। ମାନସିକଧାରୀ ପାଦୁକ କୁଣ୍ଡ ପାଖରେ ବାନାକୁ ଧରି ସଂକଳ୍ପ କରନ୍ତି। ଏହା କୋଇଲି ବୈକୁଣ୍ଠ ପର୍ଯ୍ୟନ୍ତ ଫରଫର ହୋଇ ଉଡ଼େ। ଅତୀତରେ ସମୁଦ୍ର ପର୍ଯ୍ୟନ୍ତ ବାନା ଉଡ଼ୁଥିଲା ବୋଲି ସେ ପୂର୍ବଜଙ୍କଠାରୁ ଶୁଣିଥିବା କହିଛନ୍ତି। ବଡ଼ ବାନା ପବନ ମାଡ଼ରେ ନୀଳଚକ୍ରକୁ ଟାଣି ମନ୍ଦିର କାନ୍ଥରେ କ୍ଷତ ପହଞ୍ଚାଉଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ବ ସେର୍ବକ୍ଷଣ ସଂସ୍ଥା (ଏଏସଆଇ) ପରାମର୍ଶରେ ବାନାର ଦୈର୍ଘ୍ୟକୁ ୧୪ ହାତରେ ସୀମିତ ରଖାଗଲା।
ଉଡ଼ୁଥିଲା ପାଦୁକଖିଆ ବାନା
ଦୈନିକ ଲାଗି ହେଉଛି ୧୫୦୦ରୁ ଊର୍ଦ୍ଧ୍ବ ବାନା
ପୂର୍ବରୁ ୫୦-୬୦ଟି ବାନା ଦୈନିକ ଲାଗୁଥିଲା। ଏବେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଦୈନିକ ପ୍ରାୟ ଦେଢ଼ରୁ ୨ ହଜାର ବାନା ବନ୍ଧାଯାଉଛି। କିଛି ୧୪ ହାତିଆ ବାନା ମାଳ କରି ବନ୍ଧାଯାଏ, ଅନ୍ୟ ସବୁ ମାନସିକଧାରୀଙ୍କ ବାନା ଗଣ୍ଠିଲିରେ ପୁଟୁଳି କରି ନୀଳଚକ୍ର ପାଖରେ ରଖାଯାଏ। ପ୍ରତି ୨୪ ଘଣ୍ଟାରେ ବାନା ପରିବର୍ତ୍ତନ ହୁଏ। ଏବେ ଶ୍ବେତ, ପିତ୍ତ ଓ ଲୋହିତ ତଥା ଧଳା, ଳାଲ ଓ ହଳଦିଆ ରଙ୍ଗର ବାନା ବନ୍ଧାଯାଉଛି। ଶାନ୍ତିର ପ୍ରତୀକଧର୍ମୀ ଭାବେ ଏହି ରଙ୍ଗର ବାନା ବନ୍ଧାଯାଉଛି। ଦରଜୀ ସେବକମାନେ ଅମୁଣିଆ ତଥା ନୂଆ ବାନା ତିଆରି କରନ୍ତି। ଚୂନରା ସେବକ ବାନା ବାନ୍ଧନ୍ତି। ସଂପ୍ରତି ୪୦ ଚୂନରା ସେବକ ଏହି ବାନା ବନ୍ଧା କାର୍ଯ୍ୟରେ ନିୟୋଜିତ। ପାଳି କରି ବାନା ବାନ୍ଧନ୍ତି। ଭକ୍ତମାନେ ଅମୁଣିଆ ବାନା ଆଣି ରସିଦ କାଟି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଇଠ କରନ୍ତି। ଲେଙ୍କା ସେବକଙ୍କ ମାର୍ଫତରେ ଏହା ଚୂନରା ସେବକଙ୍କ ପାଖକୁ ଆସେ। ଶୀତ ଦିନେ ଅପରାହ୍ଣ ୪ଟାରେ ଏବଂ ଖରାଦିନେ ୫ଟାରେ ବାନା ବାନ୍ଧିବା ପାଇଁ ଚୂନରା ସେବକ ମନ୍ଦିର ଉପରକୁ ଚଢ଼ନ୍ତି।
ଏତେ ବଡ଼ ଦେଉଳକୁ ଚଢ଼ିବା ପାଇଁ ପିଲାବେଳୁ ଚୂନରା ସେବକ ପରିବାରର ବଡ଼ମାନେ ସାନମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି। ୧୨ ବର୍ଷ ବୟସରୁ ସେ ଏହା ଶିଖିବା ଆରମ୍ଭ ହୁଏ। ଶୁଦ୍ଧପୁତ ଭାବେ ବାନା ବାନ୍ଧିବାକୁ ଚଢ଼ିଥାଆନ୍ତି। କୂଅ ଭିତରକୁ ଓହ୍ଳାଇବା ଲାଗି ଯେପରି ନନ୍ଦର ସାହାରା ନିଆଯାଏ, ସେହିପରି ମନ୍ଦିର ଚୂଡ଼ାକୁ ଚଢ଼ିବାକୁ ଚୂନରା ସେବକମାନେ ଅଣ୍ଟାରେ ବାନାର ପୁଟୁଳି ବାନ୍ଧି କାନ୍ଥ ଗାତ୍ରରେ ଗୋଡ଼ ହାତ ରଖି ଚଢ଼ିଥାନ୍ତି। ନୀଳଚକ୍ରରୁ ବାନା ଓଲାଗି ପରେ ଏହାକୁ ଚୂନରା ସେବକମାନେ ପ୍ରାପ୍ୟ ଭାବେ ନିଅନ୍ତି। ଭକ୍ତମାନେ ବିଭିନ୍ନ ଦେବଦେବୀ ମନ୍ଦିର, ଇଶାଣ, ଗୁରୁବାର ମାଣବସା ପେଡ଼ି, ଘରର ଐଶାନ୍ୟ କୋଣ ଓ ଟ୍ରେଜେରିରେ ରଖିଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।
ସୌଜନ୍ୟ ସମ୍ବାଦ




