ମୁମ୍ବାଇ: ପ୍ରେମିକା ତଥା ମଡେଲ ମାହିକା ଶର୍ମାଙ୍କ ପ୍ରତି ପୁଣି ଥରେ ଅଜସ୍ର ଭଲପାଇବା ଅଜାଡ଼ି ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ରସିକିଆ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା। ଗୁରୁବାର ମାହିକାଙ୍କ ୨୪ତମ ଜନ୍ମ ଦିବସ ଥିଲା ବେଳେ ତାଙ୍କ ପାଇଁ ହାର୍ଦିକ ଏକ ରୋମାଣ୍ଟିକ୍ ଲେଖା ଲେଖିଛନ୍ତି। ଉଭୟ ଶ୍ରୀଲଙ୍କାରେ ଛୁଟି କଟାଉଥିବା ବେଳର ଏକ ଅନ୍ତରଙ୍ଗ ଫଟୋ ଇନଷ୍ଟାଗ୍ରାମ୍ରେ ପ୍ରକାଶ କରି ହାର୍ଦିକ ଲେଖିଛନ୍ତି, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ମୋ ରାଜଜେମା। ମାହିକାଙ୍କ ମଧ୍ୟ ତାଙ୍କୁ ହାର୍ଟ ଇମୋଜି ଛାଡ଼ିଛନ୍ତି।
ଛାଡ଼ପତ୍ର ପରେ ସଂପର୍କ ପଦାକୁ ଆସିଥିଲା
ନତାଶା ଷ୍ଟଙ୍କୋଭିକଙ୍କଠାରୁ ଛାଡ଼ପତ୍ର ନେବା ପରେ ଗତବର୍ଷ ହାର୍ଦିକ-ମାହିକା ସଂପର୍କ ବିଷୟ ପଦାକୁ ଆସିଥିଲା। ସେବେଠାରୁ ଉଭୟ ପରସ୍ପରର ଢେର ସମୟ କଟାଉଛନ୍ତି। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବିସିସିଆଇ ଖେଳାଳମାନେ ସେମାନଙ୍କ ସହ ପରିବାରବର୍ଗଙ୍କୁ ନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏକ ମ୍ୟାଚ୍ ଅବସରରେ ମାହିକାଙ୍କୁ ଭାରତୀୟ ଦଳ ସହ ଦେଖିବାକୁ ମିଳିଥିଲା। ଏଥିନେଇ ଛୋଟ କାଟିଆ ବିବାଦ ମଧ୍ୟ ଉପୁଜିଥିଲା। ଫଳରେ ମାହିକା ଏବେ ଦର୍ଶକ ଗ୍ୟାଲେରିରେ ବସି ହାର୍ଦିକଙ୍କୁ ନିୟମିତ ଭାବେ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। ବୁଧବାରର ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ମଧ୍ୟ ଭାରତ ବିଜୟ ପରେ ମାହିକା ଗ୍ୟାଲେରିରେ ରହି ଖୁସିରେ ତାଳି ମାରୁଥିଲେ।
ଏହା ପୂର୍ବରୁ ତାଙ୍କ କ୍ରିକେଟ୍ ଯାତ୍ରାରେ ପୁନର୍ବାର ଉତ୍ସାହ ଓ ଉନ୍ମାଦ ଭରିବାରେ ମାହିକା ପ୍ରମୁଖ ଭୂମିକା ତୁଲାଇଥିଲେ ବୋଲି ହାର୍ଦିକ କହି ସାରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମାହିକା ଯେତେବେଳେ ମୋ ଜୀବନକୁ ଆସିଲେ କ୍ରିକେଟ୍ ବିଷୟରେ ଆମେ ଢେର ଚର୍ଚ୍ଚା କରୁଥିଲୁ। ମୋ ପୁଅ ଅଗସ୍ତ୍ୟାକୁ ପାଖକୁ ଆଣିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲୁ। ଅଗସ୍ତ୍ୟା ଓ ମାହିକାଙ୍କ ପାଇଁ ମୁଁ ଏବେ ପୁଣି କ୍ରିକେଟ୍କୁ ମନମରି ଉପଭୋଗ କରୁଛି। ଦକ୍ଷତାମୂଳକ ପ୍ରଦର୍ଶନ ଦେବାକୁ ଚେଷ୍ଟା କରୁଛି। ଏଥିଲାଗି ଉଭୟଙ୍କୁ ଧନ୍ୟବାଦ।
ସୌଜନ୍ୟ ସମ୍ବାଦ
