ଜୀବନଚର୍ଯ୍ୟା

Health Tips, High Blood Pressure: ନିଜର ଭୁଲ ପାଇଁ ହିଁ ବିପଦ ପାଲଟେ ବ୍ଲଡପ୍ରେସର ! ଜାଣନ୍ତୁ ଉଚ୍ଚ ରକ୍ତଚାପର କାରଣ ଆମେ ନିଜେ କେମିତି ?

ପୂର୍ବରୁ ବୟସ୍କଙ୍କଠାରେ ଅଧିକ ଉଚ୍ଚରକ୍ତଚାପ ଦେଖାଯାଉଥିଲା। କିନ୍ତୁ ଏବେ ଯୁବପିଢ଼ିଙ୍କ ଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି। ସେଥିପାଇଁ ବୟସ ବଢ଼ିଲେ ରକ୍ତଚାପ ଜନିତ ସମସ୍ୟା ହୁଏ ବୋଲି ଆମେ ଭାବିବା ଅନୁଚିତ

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ, ଭାରତରେ ଯଦି ୫୦ ପ୍ରତିଶତ ଉଚ୍ଚ ରକ୍ତଚାପ ପୀଡ଼ିତ ନିଜ ରୋଗକୁ ନିୟନ୍ତ୍ରଣରେ ରଖିପାରିବେ ତେବେ ୨୦୪୦ ମସିହା ସୁଦ୍ଧା ଅତି କମ୍‌ରେ ୪.୬ ନିୟୁତ ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ହେବ। ଏଥିସହିତ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଦେଶର ୨୧.୩ ପ୍ରତିଶତ ମହିଳା ଓ ୨୪ ପ୍ରତିଶତ ପୁରୁଷ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ। ବିଳମ୍ବରେ ରୋଗ ନିରୂପଣ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ନ ରଖିପାରିବା  ହେତୁ ଆକ୍ରାନ୍ତ ହୃଦରୋଗ ଓ ମଧୁମେହ ଶିକାର ହୋଇ ପ୍ରାଣ ହରାଉଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ରକ୍ତଚାପ ଦୁଇ ପ୍ରକାରର- ସିଷ୍ଟୋଲିକ୍ ବ୍ଲଡ୍‌ପ୍ରେସର ଓ  ଡାଇଷ୍ଟୋଲିକ୍ ବ୍ଲଡ୍‌ପ୍ରେସର। ଯେତେବେଳେ ହୃତପିଣ୍ଡରେ ରକ୍ତର ଚାପ ସ୍ବାଭାବିକ ଠାରୁ ଅଧିକ ହୋଇ ଧମନୀକୁ ଅଧିକ ବେଗରେ ରକ୍ତ ପ୍ରବାହିତ ହୁଏ  ତାହାକୁ  ସିଷ୍ଟଲିକ୍ ବ୍ଲଡ୍‌ପ୍ରେସର୍‌ ଭାବେ ଅଭିହିତ କରାଯାଏ। ସେହିପରି ପ୍ରତି ସଂକୋଚନ ପରେ ହୃତପିଣ୍ଡ ସାମାନ୍ୟ ଶିଥିଳ ହୋଇଥାଏ। ଏହି ଅବସ୍ଥାରେ ଧମନୀରେ ରକ୍ତଚାପ ନ୍ୟୁନତମ ସୀମାରେ ପହଞ୍ଚିଥାଏ। ଏହାକୁ ଡାଇଷ୍ଟୋଲିକ୍ ବ୍ଲଡପ୍ରେସର କୁହାଯାଇଥାଏ।  ସିଷ୍ଟୋଲିକ୍ ରକ୍ତଚାପ ୧୩୦ ମିଲିମିଟର ମରକ୍ୟୁରି ଓ ଡାଇଷ୍ଟାଲିକ୍ ରକ୍ତଚାପ ୮୫ ମିଲିଲିଟର ମରକ୍ୟୁରିରୁ କମ୍ ହେଲେ ଏହାକୁ ସାମାନ୍ୟ ବା ନର୍ମାଲ୍ ବୋଲି ବିଚାର କରାଯାଏ।

ଯୁବପିଢ଼ି ବି ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି

ସାଧାରଣତଃ  ଉଚ୍ଚରକ୍ତଚାପ ଦୁଇପ୍ରକାରର। ପ୍ରଥମଟି ହେଲା ପ୍ରାଇମେରି ହାଇପରଟେନ୍ସନ୍, ଯାହାର କାରଣ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ। ଦ୍ବିତୀୟ ପ୍ରକାରର ଉଚ୍ଚରକ୍ତଚାପକୁ  ସେକେଣ୍ଡାରି ହାଇପରଟେନ୍ସନ୍ କହାଯାଏ। ହର୍ମୋନଜନିତ ସମସ୍ୟା, ଗର୍ଭାବସ୍ଥା,  ଅଧିକ ଓଜନ କିମ୍ବା ମେଦବହୁଳତା, କିଡ୍‌ନି ସମସ୍ୟା, ବଂଶାନୁକ୍ରମିକତା, ଥାଇରଏଡ୍ ବିଶୃଙ୍ଖଳା, ନିଦ୍ରାହୀନତା ଓ ଧୂମପାନ, ମଦ୍ୟପାନ କିମ୍ବା ଜୀବନଶୈଳୀଗତ ସମସ୍ୟା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ।

 

ପୂର୍ବରୁ ବୟସ୍କଙ୍କଠାରେ ଅଧିକ ଉଚ୍ଚରକ୍ତଚାପ ଦେଖାଯାଉଥିଲା। କିନ୍ତୁ ଏବେ ଯୁବପିଢ଼ିଙ୍କ ଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି। ସେଥିପାଇଁ ବୟସ ବଢ଼ିଲେ ରକ୍ତଚାପ ଜନିତ ସମସ୍ୟା ହୁଏ ବୋଲି ଆମେ ଭାବିବା ଅନୁଚିତ। ଯେକୌଣସି ବୟସରେ ଆପଣ ଉଚ୍ଚ ରକ୍ତଚାପର କବଳରେ ପଡ଼ିଯାଇପାରନ୍ତି। ଏଥିରୁ ମୁକୁଳିବାକୁ ହେଲେ ପ୍ରଥମରୁ ରୋଗକୁ ଚିହ୍ନିବା ଦରକାର। ପ୍ରଥମରୁ ରୋଗଟିକୁ ନ ଚିହ୍ନି ପାରିଲେ ଏହା ଧୀରେଧୀରେ ସମଗ୍ର ଶରୀରକୁ ଆକ୍ରମଣ କରିଥାଏ, ଯାହାଦ୍ବାରା ଆପଣ ବ୍ରେନ୍‌ଷ୍ଟୋକ୍‌, ଯକୃତ ସଂକ୍ରମଣ, ନାକରୁ ରକ୍ତପଡ଼ିବା, ମୁଣ୍ଡ ବିନ୍ଧିବା ଓ ମୁଣ୍ଡ ବୁଲାଇବା ଯୋଗୁ ପଡ଼ିଯିବା, ଛାତିରେ ଯନ୍ତ୍ରଣା ପରି ସମସ୍ୟା ଉତ୍ପନ୍ନ ହୋଇଥାଏ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button