ରାଜ୍ୟ

Heavy Rain: ଲଗାଣ ବର୍ଷାରେ ଫୁଲି ଉଠିଛି ବୁଢ଼ାବଳଙ୍ଗ, ମୟୂରଭଞ୍ଜ ଜିଲ୍ଲାର ଛଅଟି ବ୍ଲକ୍‌ରେ ସ୍କୁଲ୍ ବନ୍ଦ

ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଆଜି ଜିଲ୍ଲାର ସରସକଣା, ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ବଡ଼ସାହି ଏବଂ ବେତନଟି ବ୍ଲକ୍ ର ସବୁ ସ୍କୁଲ୍ ବନ୍ଦ ରହିବ।

ବୈଶିଙ୍ଗା(ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଆଜି ଜିଲ୍ଲାର ସରସକଣା, ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ବଡ଼ସାହି ଏବଂ ବେତନଟି ବ୍ଲକ୍ ର ସବୁ ସ୍କୁଲ୍ ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଲଘୁଚାପଜନିତ ଲଗାଣ ବର୍ଷାରେ ଫୁଲି ଉଠିଛି ବୁଢ଼ାବଳଙ୍ଗ। ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଦ୍ରୁତଗତିରେ ବଢ଼ୁଛି ନଦୀର ଜଳସ୍ତର। ଆଉ ଏହାରି ଭିତରେ ନାଖରା ସେତୁ ଉପରେ ଆରମ୍ଭ ହୋଇଛି ବନ୍ୟାଜଳର ଚାପ। ତୃତୀୟ ବଡ଼ବନ୍ୟାର ଆଶଙ୍କାରେ ନଦୀକୂଳିଆ ଅଞ୍ଚଳରେ ଛନକା ପଶିଛି।

ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି

ବୈଶିଙ୍ଗା-ବଡ଼ସାହି ମୁଖ୍ୟ ରାସ୍ତାର ନାଖରା ସେତୁ ଉପରକୁ ବନ୍ୟାଜଳ ଉଠିବା ଆରମ୍ଭ କରିଛି। ଫଳରେ ନାଖରା, ପାଟଳିପୁରା, ଦାରିହା, କାଠପାଳ, ସିଙ୍ଗଲାମୁଣ୍ଡଳି, ଶାଳଗାଁ ସମେତ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି।
କେବଳ ବୁଢ଼ାବଳଙ୍ଗ ନୁହେଁ, ଗଙ୍ଗାହାର ନଦୀର ଜଳସ୍ତର ମଧ୍ୟ ଦ୍ରୁତଗତିରେ ବଢ଼ୁଛି। ଗଙ୍ଗାହାରର ବନ୍ୟାଜଳ ଯୋଗୁଁ ବଡ଼ସାହି ବ୍ଲକର ଏକାଧିକ ଗାଁ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି। ନଦୀପାର୍ଶ୍ୱବର୍ତ୍ତୀ ଚାଷଜମିରେ ବନ୍ୟାଜଳ ପଶିବା ଆରମ୍ଭ କରିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।
ସ୍ଥିତିର ଗମ୍ଭୀରତାକୁ ଦେଖି ସୋମବାର ରାତିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ ଓ ନାଖରା ସେତୁ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ମୟୂରଭଞ୍ଜ ଉପଜିଲ୍ଲାପାଳ ଓ ଏଡିଏମଙ୍କ ସମେତ ଅନ୍ୟ ଅଧିକାରୀମାନେ ନାଖରା ସେତୁ ନିକଟରେ ପହଞ୍ଚି ବନ୍ୟା ସ୍ଥିତି ପରଖିଛନ୍ତି।

ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମ୍ଭାବ୍ୟ ବନ୍ୟାକୁ ନେଇ ସମସ୍ତ ବିଭାଗକୁ ସଜାଗ ରହିବା ସହ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପଟେ ବିପଦସଂକୁଳ ଅବସ୍ଥାରେ ଥିବା ନାଖରା ସେତୁ ଉପରେ ଭାରୀ ଯାନବାହନ ଚଳାଚଳ ରୋକିବା ସହ ବନ୍ୟାଜଳ ଦେଖିବା ପାଇଁ ଜମୁଥିବା ଲୋକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ବୈଶିଙ୍ଗା ପୁଲିସ ପକ୍ଷରୁ ସେତୁର ଦୁଇ ପାର୍ଶ୍ୱରେ ପୁଲିସ ମୁତୟନ କରାଯାଇଛି।

ତେବେ ଆଜି ସକାଳଠାରୁ ଉପରମୁଣ୍ଡରେ ବର୍ଷାର ପ୍ରକୋପ କିଛିଟା କମିଥିବାରୁ ଆଶ୍ୱସ୍ତ ହୋଇଛି ପ୍ରଶାସନ। ଆଗାମୀ ୧୦ରୁ ୧୨ ଘଣ୍ଟା ଏଭଳି ସ୍ଥିତି ଜାରି ରହିଲେ ବଡ଼ ବନ୍ୟା ଆଶଙ୍କା ଟଳିପାରେ ବୋଲି ଆଶା କରାଯାଉଛି। ତଥାପି ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ବାଉଁଶ ନଦୀର ଜଳସ୍ତର ଉପରେ ରହିଛି ପ୍ରଶାସନର ତୀକ୍ଷ୍ଣ ନଜର।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button