High Court Judge Vacancy: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଦାବି: ହାଇକୋର୍ଟ ବାର୍ର ଉଦବେଗ
ଓଡିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ପଦର ଅଧାରୁ ଅଧିକ ବିଚାରପତି ପଦ ଖାଲି ପଡ଼ିଛି। ୧ ଲକ୍ଷ ୭୨ ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି। ଚାରି ଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ

କଟକ: ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ପଦର ଅଧାରୁ ଅଧିକ ବିଚାରପତି ପଦ ଖାଲି ପଡ଼ିଛି। ୧ ଲକ୍ଷ ୭୨ ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି। ଚାରି ଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପ୍ରସଂଗ ବିଚାରାଧୀନ ରହିଛି। ଏଭଳି ସ୍ଥିତି ନେଇ ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଅକ୍ଟୋବର ୧ରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଆଜି ବାର ତରଫରୁ ଘୋଷଣା କରାଯାଇଛି। ଅକ୍ଟୋବର ୧ରେ ହାଇକୋର୍ଟ ବାର୍ କର୍ମକର୍ତ୍ତା ଓ ସଦସ୍ୟମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ପ୍ରସଂଗ ନେଇ ସ୍ମାରକପତ୍ର ପ୍ରଦାନ କରିବେ।
କେତେକ ପ୍ରସ୍ତାବ ଗୃହୀତ ହୋଇଛି
ଗତକାଲି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ସମ୍ବାଦଦାତା ସମ୍ମିଳନୀ କରାଯାଇ ତୁରନ୍ତ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଦାବି କରାଯାଇଛି। ବିଚାରପତି ପଦବି ପୂରଣ ଲାଗି ଆସୋସିଏସନ ପକ୍ଷରୁ ଗତ ଅଗଷ୍ଟ ୨୨ରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ କେତେକ ପ୍ରସ୍ତାବ ଗୃହୀତ ହୋଇଛି। ବାର ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ତୁରନ୍ତ ବିଚାରପତି ପଦ ପୂରଣ ପାଇଁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଉପସ୍ଥାପନ କରାଯିବ। ଅକ୍ଟୋବର ୧ରେ ବାର ସଦସ୍ୟମାନେ କୋର୍ଟ କାର୍ଯ୍ୟରେ ଯୋଗ ନ ଦେଇ ଭୁବନେଶ୍ବର ଯାତ୍ରା କରି ରାଜ୍ୟପାଳଙ୍କୁ ଏହି ପ୍ରସଂଗରେ ସ୍ମାରକପତ୍ର ପ୍ରଦାନ କରିବେ। ଦିଲ୍ଲୀ ହାଇକୋର୍ଟ, ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟ, ଝାଡ଼ଖଣ୍ଡ ହାଇକୋର୍ଟ, କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତି ସମୟରେ ପ୍ରଦାନ କରାଯାଇଛି। କିନ୍ତୁ ଏହି ପ୍ରସଂଗରେ ଓଡ଼ିଶା ହାଇକୋର୍ଟ ପ୍ରତି ଅବହେଳା କରାଯିବା ଦୁର୍ଭାଗ୍ୟର ବିଷୟ। ବହୁ ଦିନ ହେବ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏଥି ପାଇଁ ବାର ସଦସ୍ୟ ଓ ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଯଦି ଅନ୍ୟ ହାଇକୋର୍ଟ ଗୁଡ଼ିକ ଭଳି ଓଡ଼ିଶାରେ ତୁରନ୍ତ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରା ନ ଯାଏ ତେବେ ସାଧାରଣ ପରିଷଦରେ ଗୃହୀତ ପ୍ରସ୍ତାବ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ, ଶାନ୍ତିିପୂର୍ଣ୍ଣ ପ୍ରତିବାଦ କରାଯିବ।
ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବାର ସଭାପତି ଲଲାଟେନ୍ଦୁ ସାମନ୍ତରାୟ ସୂଚନା ଦେଇ କହିଛନ୍ତି ଯେ ଅନ୍ୟ ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତିି ଦିଆଯାଇଥିବା ବେଳେ ଓଡ଼ିଶାର ଦାବି ପ୍ରତି କେହି କର୍ଣ୍ଣପାତ କରୁ ନାହାନ୍ତି। ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିବା ଚାରିଜଣ ଆଇନଜୀବୀଙ୍କ ମଧ୍ୟରୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ। ରାଜ୍ୟପାଳଙ୍କ ନିକଟରେ ୧ ତାରିଖ ଦିନ ଦାବି ଉପସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସେଦିନ କୋର୍ଟ କାର୍ଯ୍ୟରେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ। ଓଡ଼ିଶା ହାଇକୋର୍ଟ କଲେଜିମୟ ତରଫରୁ ଆଉ କେତେକ ନାମ ସୁପାରିସ କରାଯାଇଥିବା ବେଳେ ସୁପ୍ରିମକୋର୍ଟ କଲେଜିୟମ ଏହି ନାମ ଗୁଡ଼ିକ ଉପରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ବିଚାରପତି ପଦ ପୂରଣ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ଓଡ଼ିଶା ହାଇକୋର୍ଟର ଅନୁମୋଦିତ ବିଚାରପତି ପଦବି ୩୩ ହୋଇଥିବା ବେଳେ ଏବେ ୧୫ଜଣ ବିଚାରପତି ରହିଛନ୍ତି। ଆଗକୁ ନଭେମ୍ବର ମାସରେ ଦୁଇ ଜଣ ବିଚାରପତି ଅବସର ଗ୍ରହଣ କରିବେ। ଜନସାଧାରଣଙ୍କ ପାଇଁ ହାଇକୋର୍ଟ ନ୍ୟାୟର ମନ୍ଦିର ହୋଇଥିବା ବେଳେ ବିଚାରାଧୀନ ମାମଲା ସଂଖ୍ୟା ବଢି ଚାଲିଛି।
ଜନସାଧାରଣଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ତୁରନ୍ତ ବିଚାରପତି ପଦ ପୂରଣ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ବାର୍ ସଂପାଦକ ହୃଦାନନ୍ଦ ମହାପାତ୍ର କହିଛନ୍ତି ଯେ ଓଡ଼ିଶାକୁ କେହି ପଚାରୁ ନାହାନ୍ତି ବୋଲି କୁହାଯାଇ ପାରିବ। ଚାରିଜଣ ଆଇନଜୀବୀଙ୍କ ନାମ ସୁପ୍ରିମକୋର୍ଟ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିବା ପରେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ନିଯୁକ୍ତି ପାଇଁ। ଆଉ କୌଣସି ଆଇନଜୀବୀ ବା ବିଚାରବିଭାଗୀୟ ଅଧିକାରୀଙ୍କ ନାମ ମଧ୍ୟ ବିଚାରପତି ପଦରେ ନିଯୁକ୍ତି ପାଇଁ ସୁପାରିସ କରାଯାଉ ନାହିଁ। ତା ମାନେ ଆମେ ଉପେକ୍ଷିତ ନୁହେଁ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ପ୍ରଦୀପ ମହାପାତ୍ର ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




