Hockey Pro League Ticket ଆରମ୍ଭ ହେବା ପୂର୍ବରୁ ଶେଷ, ହକି ପ୍ରୋ ଲିଗ୍‌ ଟିକଟ୍‌ ପଞ୍ଜୀକରଣରେ ଅନିୟମିତତା!

ଶୁକ୍ରବାର ରାଉରକେଲାରେ ଖେଳାଯିବାକୁଥିବା ସମସ୍ତ ୬ଟି match ପାଇଁ ମାଗଣା ପ୍ରବେଶ ଘୋଷଣା କରିବାପରେ ପୋର୍ଟାଲ୍ ଖୋଲିଥିଲା। କିନ୍ତୁ ମାତ୍ର କିଛି ଘଣ୍ଟା ମଧ୍ୟରେ ସବୁ ଟିକଟ୍‌ ବୁକ୍‌ ହୋଇଯାଇଥିଲା।

ରାଉରକେଲା: ଆଉ ମାତ୍ର କିଛି ଦିନ ପରେ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ପ୍ରୋ-ଲିଗ୍‌ ମ୍ୟାଚ୍‌ ଆରମ୍ଭ ହେବ। ବର୍ଷକପରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଇସ୍ପାତ ସହରକୁ ଫେରୁଥିବାବେଳେ ହକି ଇଣ୍ଡିଆ ପକ୍ଷରୁ ନିଶୁଳ୍କ ପ୍ରବେଶ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପ୍ରଶଂସକମାନେ ‘ଟିକଟଜେନି ୱେବ୍ ପୋର୍ଟାଲ୍’ କିମ୍ବା ଅଫିସିଆଲ୍ ଆପ୍ ମାଧ୍ୟମରେ ମାଗଣା ଭର୍ଚୁଆଲ୍ ଟିକଟ୍‌ ବୁକ୍‌ କରି ସେମାନଙ୍କର ପ୍ରବେଶ ସୁରକ୍ଷିତ କରିପାରିବେ। ତେବେ ଏହି ଟିକଟ୍‌ ବୁକିଂ ପ୍ରକ୍ରିୟାରେ ଆରମ୍ଭରୁ ଅନିୟମିତତା ପରିଲକ୍ଷିତ ହେଉଛି।

ଟିକଟ୍‌ ସମ୍ପୂର୍ଣ୍ଣ ଗାଏବ ହେବା ଭ୍ରୂକୁଞ୍ଚନ ସୃଷ୍ଟି କରିଛି

ଶୁକ୍ରବାର ରାଉରକେଲାରେ ଖେଳାଯିବାକୁଥିବା ସମସ୍ତ ୬ଟି ମ୍ୟାଚ୍ ପାଇଁ ମାଗଣା ପ୍ରବେଶ ଘୋଷଣା କରିବାପରେ ପୋର୍ଟାଲ୍ ଖୋଲିଥିଲା। କିନ୍ତୁ ମାତ୍ର କିଛି ଘଣ୍ଟା ମଧ୍ୟରେ ସବୁ ଟିକଟ୍‌ ବୁକ୍‌ ହୋଇଯାଇଥିଲା। ୨୦ ହଜାରରୁ ଅଧିକ କ୍ଷମତା ବିଶିଷ୍ଟ ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ ଏତେଶୀଘ୍ର ଟିକଟ୍‌ ସମ୍ପୂର୍ଣ୍ଣ ଗାଏବ ହେବା ଭ୍ରୂକୁଞ୍ଚନ ସୃଷ୍ଟି କରିବା ସ୍ବାଭାବିକ୍‌।

ଉଲ୍ଲେଖଯୋଗ୍ୟ, ପୂର୍ବ ବର୍ଷଗୁଡ଼ିକରେ, କେବଳ ପଶ୍ଚିମ ଷ୍ଟାଣ୍ଡ୍‌ ପାଇଁ ଟିକଟ୍‌ ଉଭାନ୍‌ ହୋଇଯାଉଥିବାବେଳେ ଅବଶିଷ୍ଟ ତିନି ଷ୍ଟାଣ୍ଡ୍‌, ଯଥା- ପୂର୍ବ, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌ ପାଇଁ ଦର୍ଶକ ଟିକଟ୍‌ ପଞ୍ଜିକରଣ କରୁଥିଲେ। ଏଥର କିନ୍ତୁ ସଂପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚଳିତ ବର୍ଷ ସମସ୍ତ ଚାରୋଟି ଷ୍ଟାଣ୍ଡ୍‌ ପାଇଁ ଟିକଟ୍‌ ବୁକିଂ ସମ୍ଭବ ହେଉନି। ଏଣୁ ଏଥର ଟିକଟ୍‌ ପଞ୍ଜୀକରଣ ପ୍ରକ୍ରିୟାରେ ମାତ୍ରାଧିକ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୁଏ। ଏନେଇ ପ୍ରଶଂସକଙ୍କ ମଧ୍ୟରେ ହତାଶ ଖେଳିଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version