Honor killing: ଇଟାଲୀରେ ପାକିସ୍ତାନୀ ଯୁବତୀଙ୍କୁ ଅନର କିଲିଂ: ପିତାମାତାଙ୍କ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ, ନ୍ୟାୟର ଏକ ଯନ୍ତ୍ରଣାଦାୟକ କାହାଣୀର ଶେଷ ବୋଲି କହିଲେ ମେଲୋନି
ପାକିସ୍ତାନୀ ବଂଶୋଦ୍ଭବ ଯୁବତୀ ସମନ ଆବାସଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପିତାମାତାଙ୍କ ସମେତ ପରିବାରର ପାଞ୍ଚ ସଦସ୍ୟଙ୍କ ଆଜୀବନ କାରାଦଣ୍ଡାଦେଶକୁ ଇଟାଲୀର ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି।

ରୋମ: ପାକିସ୍ତାନୀ ବଂଶୋଦ୍ଭବ ଯୁବତୀ ସମନ ଆବାସଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପିତାମାତାଙ୍କ ସମେତ ପରିବାରର ପାଞ୍ଚ ସଦସ୍ୟଙ୍କ ଆଜୀବନ କାରାଦଣ୍ଡାଦେଶକୁ ଇଟାଲୀର ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି। ସୁପ୍ରିମକୋର୍ଟ ସମନଙ୍କ ପିତା ଶବ୍ବର ଆବାସ, ମାତା ନାଜିଆ ଶାହିନ, ସମ୍ପର୍କୀୟ ଭାଇ ଏଜାଜ ଏକରାମ ଏବଂ ନୋମାନ ଉଲ୍ ହକ୍ଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି। ସମନଙ୍କ ଚାଚା ଦାନିଶ୍ ହସନେନଙ୍କୁ ଦିଆଯାଇଥିବା ୨୨ ବର୍ଷ ଜେଲଦଣ୍ଡାଦେଶକୁ ମଧ୍ୟ କୋର୍ଟ କାଏମ୍ ରଖିଛନ୍ତି। ଏହା ସହିତ ଇଟାଲୀର ସବୁଠାରୁ ଚର୍ଚ୍ଚିତ ଅନର କିଲିଂ ମାମଲାର ଅନ୍ତ ଘଟିଛି। ପାକିସ୍ତାନୀ ବଂଶୋଦ୍ଭବ ଯୁବତୀ ସମନଙ୍କୁ ତାଙ୍କ ବାପାମାଆ ଏବଂ କିଛି ସମ୍ପର୍କୀୟ ହତ୍ୟା କରିଥିଲେ କାରଣ ସେ ବଳପୂର୍ବକ ବିବାହକୁ ବିରୋଧ କରିଥିଲେ ଏବଂ ନିଜ ଇଚ୍ଛା ଅନୁଯାୟୀ ନିଜ ଭବିଷ୍ୟତ ବାଛିବାର ଅଧିକାର ଉପରେ ଜିଦ୍ ଧରିଥିଲେ।
ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏହାକୁ ନ୍ୟାୟର ଏକ ଯନ୍ତ୍ରଣାଦାୟକ କାହାଣୀର ଶେଷ ବୋଲି କହିଛନ୍ତି। କୌଣସି ରାୟ ସମନଙ୍କ ଜୀବନ ଫେରାଇ ଆଣିପାରିବ ନାହିଁ, କିନ୍ତୁ ଏହି ନୃଶଂସ ଅପରାଧ ପାଇଁ ଦାୟୀ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଏହା ଠିକ୍ ବୋଲି ମେଲୋନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି।
ମେଲୋନି ଲେଖିଛନ୍ତି, ଯେଉଁମାନେ ତଥାକଥିତ ସାଂସ୍କୃତିକ କିମ୍ବା ଧାର୍ମିକ କାରଣ ଦର୍ଶାଇ ମହିଳାଙ୍କ ସ୍ୱାଧୀନତା, ମର୍ଯ୍ୟାଦା ଏବଂ ଜୀବନକୁ ଛଡ଼ାଇ ନେବାକୁ ଚେଷ୍ଟା କରନ୍ତି, ସେମାନଙ୍କ ପାଇଁ ଇଟାଲୀରେ କୌଣସି ସ୍ଥାନ ନାହିଁ। ଏଗୁଡ଼ିକ ଏପରି ନୀତି ଯାହା ସହିତ ସାଲିସ୍ କରାଯାଇପାରିବ ନାହିଁ ଏବଂ ଏନେଇ ଆମେ କେବେ ପଛକୁ ହଟିବୁ ନାହିଁ।
୧୮ ବର୍ଷୀୟା ପାକିସ୍ତାନୀ ବଂଶୋଦ୍ଭବ ସମନ ଆବାସଙ୍କୁ ୨୦୨୧ ମସିହାରେ ଉତ୍ତର ଇଟାଲୀର ଏକ ସହର ନୋଭେଲାରାରେ ତାଙ୍କ ନିଜ ପରିବାର ଦ୍ୱାରା ହତ୍ୟା କରାଯାଇଥିଲା। ପାକିସ୍ତାନରେ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ବିବାହ କରିବାକୁ ସେ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତ୍ୟୁ ପୂର୍ବରୁ, ସମନ ଇଟାଲୀୟ ସାମାଜିକ ସେବାରୁ ସୁରକ୍ଷା ମାଗିଥିଲେ ଏବଂ ୨୦୨୦ ଶେଷ ଭାଗରେ ତାଙ୍କୁ ଏକ ଆଶ୍ରୟସ୍ଥଳରେ ରଖାଯାଇଥିଲା। ସେ ତାଙ୍କ ପିତାମାତାଙ୍କଠାରୁ ତାଙ୍କ ସୁରକ୍ଷା ପ୍ରତି ବିପଦ ଥିବା ବିଷୟରେ ମଧ୍ୟ ଅଭିଯୋଗ କରିଥିଲେ। ତେବେ ୨୦୨୧ ଏପ୍ରିଲରେ, ସେ ତାଙ୍କ ପରିବାର ସହ ରହିବାକୁ ଫେରି ଆସିଥିଲେ। ୫ ମେ’ ୨୦୨୧ରେ ପୁଲିସ ପରିବାର ରହୁଥିବା ଘରେ ପହଞ୍ଚି ଘର ଖାଲି ଦେଖିଲା ପରେ ମାମଲାଟି ସାମ୍ନାକୁ ଆସିଥିଲା। କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ଯେ, ସମନଙ୍କର ମାତାପିତା ଝିଅ ବିନା ପାକିସ୍ତାନ ଚାଲିଯାଇଛନ୍ତି। କର୍ତ୍ତୃପକ୍ଷ ୨୯ ଏପ୍ରିଲ ୨୦୨୧ର ସିସିଟିଭି କ୍ୟାମେରା ଫୁଟେଜ୍ରେ ଦେଖିଥିଲେ,ପାଞ୍ଚ ଜଣ ବ୍ୟକ୍ତି କୋଦାଳ, ଲୁହା ରଡ୍ ଏବଂ ବାଲ୍ଟି ଧରି ଘରୁ ବାହାରି କିଛି ଘଣ୍ଟା ପରେ ଫେରି ଆସିଥିଲେ। ଏହି ଫୁଟେଜ୍ ହତ୍ୟା ତଦନ୍ତରେ ପୁଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଲଟିଥିଲା। ପରେ ପାକିସ୍ତାନ ସରକାର ସମନଙ୍କ ହତ୍ୟା ଅଭିଯୁକ୍ତଙ୍କୁ ଇଟାଲୀକୁ ପ୍ରତ୍ୟର୍ପଣ କରିଥିଲେ।
ସୌଜନ୍ୟ ସମ୍ବାଦ




