
Indian Tyre Exports : ଭାରତୀୟ ଟାୟାର ଶିଳ୍ପ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଟୋମୋଟିଭ ଟାୟାର ମାନୁଫ୍ୟାକ୍ଚର୍ସ ଆସୋସିଏସନ୍ (ATMA) ର ସୂଚନା ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତରୁ ଟାୟାର ରପ୍ତାନି ସର୍ବକାଳୀନ ରେକର୍ଡ ସ୍ତର ୨୭,୩୧୨ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷରେ ଏହି ରପ୍ତାନି ୨୫,୦୫୭ କୋଟି ଟଙ୍କା ଥିଲା, ଯାହା ଚଳିତ ବର୍ଷ ୯ ପ୍ରତିଶତ ବୃଦ୍ଧି ପାଇଛି। ଟାୟାର ରପ୍ତାନୀରେ ଆମେରିକା ଭାରତର ବଡ଼ ଗ୍ରାହକ ହୋଇଛି।
ଏନେଇ ATMAର ଅଧ୍ୟକ୍ଷ ଅରୁଣ ମାମେନ କହିଛନ୍ତି “ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳରେ ଗୁରୁତ୍ୱପୂର୍ଣ୍ଣ ବାଧା, ବର୍ଦ୍ଧିତ ଲଜିଷ୍ଟିକ୍ସ ଖର୍ଚ୍ଚ ଏବଂ ପ୍ରମୁଖ ବଜାରଗୁଡ଼ିକରେ ବାଣିଜ୍ୟ-ସମ୍ବନ୍ଧୀୟ ଅନିଶ୍ଚିତତା ସତ୍ତ୍ୱେ ଏହି ଦୃଢ଼ ରପ୍ତାନି ପ୍ରଦର୍ଶନ ଆସିଛି। ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଭାରତ ଆମେରିକାକୁ ସର୍ବାଧିକ ଟାୟାର ରପ୍ତାନୀ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ମୂଲ୍ୟ ଅନୁସାରେ ମୋଟ ରପ୍ତାନିର ୧୫ ପ୍ରତିଶତ ୪,୦୮୨ କୋଟି ଟଙ୍କା ଟାୟାର ଆମେରିକାକୁ ରପ୍ତାନୀ କରାଯାଇଛି।
ଟାରିଫ୍ ପରିବର୍ତ୍ତନର ପ୍ରଭାବ
ଅଗଷ୍ଟ ୨୦୨୫ରେ ଆମେରିକା ସରକାର ଭାରତୀୟ ଟାୟାର ଉପରେ ଆମଦାନୀ ଶୁଳ୍କ ୨୫ ପ୍ରତିଶତରୁ ବୃଦ୍ଧି କରି ୫୦ ପ୍ରତିଶତ କରିଦେଇଥିଲେ, ଯାହା ଦ୍ୱାରା ଆମେରିକା ବଜାରରେ ଭାରତର ଅଂଶ କିଛି ମାତ୍ରାରେ କମିଥିଲା। ତେବେ ଫେବୃଆରୀ ୨୦୨୬ରେ ଏହି ଶୁଳ୍କକୁ ୫୦ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିବା ପରେ ରପ୍ତାନିକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ମିଳିଛି। ଏବଂ ରପ୍ତାନୀ ମଧ୍ୟ ବଢ଼ିଛି।
କେବଳ ଆମେରିକା ନୁହେଁ, ଏହା ବ୍ୟତୀତ ଭାରତ ୧୭୦ ଦେଶକୁ ଟାୟାର ରପ୍ତାନୀ କରୁଛି। ସେଥିରେ ଜର୍ମାନୀ (୭%), ଇଟାଲୀ (୫%), ବ୍ରାଜିଲ (୫%) ଏବଂ ଫ୍ରାନ୍ସ (୪%) ଭାରତୀୟ ଟାୟାରର ଅନ୍ୟତମ ପ୍ରମୁଖ ବଜାର ଭାବେ ଉଭା ହୋଇଛନ୍ତି।
ATMA ର ଅଧ୍ୟକ୍ଷ ଅରୁଣ ମାମେନଙ୍କ କହିବା ଅନୁଯାୟୀ, ବିଶ୍ୱ ସ୍ତରରେ ଯୋଗାଣ ଶୃଙ୍ଖଳାରେ ବାଧା ଓ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଭାରତୀୟ ଟାୟାର ଶିଳ୍ପ ଅଦ୍ଭୁତପୂର୍ବ ସାହସିକତା ପ୍ରଦର୍ଶନ କରିଛି। ଗତ ୪-୫ ବର୍ଷ ମଧ୍ୟରେ ଏହି ଶିଳ୍ପରେ ପ୍ରାୟ ୩୦,୦୦୦ କୋଟି ଟଙ୍କାର ନିବେଶ ହୋଇଛି।
ବର୍ତ୍ତମାନ ଭାରତୀୟ ଟାୟାର ଶିଳ୍ପର ବାର୍ଷିକ କାରବାର ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଛି, ଯାହା ଦେଶର ଉତ୍ପାଦନ କ୍ଷେତ୍ରକୁ ଆହୁରି ମଜବୁତ କରୁଛି ବୋଲି ମାମେନ କହିଛନ୍ତି। ସେ କହିଛନ୍ତି “ମହାମାରୀ ପରବର୍ତ୍ତୀ ସମୟରେ ଟାୟାର ଶିଳ୍ପ ଉଲ୍ଲେଖନୀୟ ସ୍ଥିରତା ଏବଂ ଅଭିବୃଦ୍ଧି ପ୍ରଦର୍ଶନ କରିଛି। ଗତ ୪-୫ ବର୍ଷ ମଧ୍ୟରେ, ଟାୟାର ନିର୍ମାତାମାନେ ଗ୍ରୀନଫିଲ୍ଡ ଏବଂ ବ୍ରାଉନ-ଫିଲ୍ଡ ପ୍ରକଳ୍ପଗୁଡ଼ିକରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିଛନ୍ତି, ଯାହା ଭାରତର ଦୀର୍ଘକାଳୀନ ଆର୍ଥିକ ସମ୍ଭାବନା ଏବଂ ଏକ ବିଶ୍ୱବ୍ୟାପୀ ଉତ୍ପାଦନ କେନ୍ଦ୍ର ଭାବରେ ଏହାର ଉତ୍ପାଦନ କ୍ଷମତା ଉପରେ ଦୃଢ଼ ବିଶ୍ୱାସକୁ ପ୍ରତିଫଳିତ କରେ।”
ସୌଜନ୍ୟ Prameya News7




