Huge explosion during New Year celebrations: ନୂଆବର୍ଷ ଉତ୍ସବରେ ଭୟଙ୍କର ବିସ୍ଫୋରଣ: ସ୍ବିଜରଲାଣ୍ଡ ବାର୍‌ରେ ୪୦ ମୃତ

ସ୍ବିଜରଲାଣ୍ଡର କ୍ରାନ୍‌ସ-ମୋଣ୍ଟାନା ସହରରେ ନବବର୍ଷ ପାଳନ ଉତ୍ସବ ବେଳେ ଏକ ରିସର୍ଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

କ୍ରାନ୍‌ସ ମୋଣ୍ଟାନା: ସ୍ବିଜରଲାଣ୍ଡର କ୍ରାନ୍‌ସ-ମୋଣ୍ଟାନା ସହରରେ ନବବର୍ଷ ପାଳନ ଉତ୍ସବ ବେଳେ ଏକ ରିସର୍ଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ‘ଲେ କନ୍‌ଷ୍ଟେଲେସନ୍-ବାର୍ ଆଣ୍ଡ୍ ଲାଉଞ୍ଜ’ରେ ଘଟିଥିଲା, ଯାହା କ୍ରାନ୍‌ସ-ମୋଣ୍ଟାନାର ଅନ୍ୟତମ ପ୍ରଖ୍ୟାତ ବାର୍। ସ୍ଥାନୀୟ ସମୟ ଅନୁଯାୟୀ ରାତି ୧:୩୦ରେ ଏହି ବିସ୍ଫୋରଣ ଘଟିଥିଲା। ଏହି ସମୟରେ ବାର୍‌ରେ ନବବର୍ଷ ଉତ୍ସବ ଚାଲିଥିଲା ଏବଂ ପ୍ରାୟ ୨ ଶହ ଲୋକ ଥିବା ଅନୁମାନ କରାଯାଉଛି। ବିସ୍ଫୋରଣର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କେତେକ ରିପୋର୍ଟରେ ନବବର୍ଷ ପାଳନ ଉତ୍ସବରେ ବ୍ୟବହୃତ ଆତସବାଜି ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି। କିନ୍ତୁ ସୁଇସ୍ ପୁଲିସ ଏହାକୁ ଖଣ୍ଡନ କରି କାରଣ ଅଜଣା ବୋଲି କହିଛି।

ପୁଲିସ୍ ମୁଖପାତ୍ର କହିଛନ୍ତି ଯେ ‘ଅଜଣା କାରଣରୁ ବିସ୍ଫୋରଣ ଘଟିଛି। ବହୁ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି। ସୁଇସ୍‌ ପୁଲିସ ସ୍କାଏ ନ୍ୟୁଜ୍‌କୁ କହିଛି ଯେ ଅନ୍ତତଃ ୪୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ପ୍ରାୟ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣ ପରେ ବାର୍‌ରୁ ଭୀଷଣ ଧୂଆଁ ଉଠୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ନବବର୍ଷ ଉତ୍ସବ ଯୋଗୁଁ ଗତରାତିରେ ବହୁତ ଭିଡ଼ ଥିଲା। କ୍ରାନ୍‌ସ-ମୋଣ୍ଟାନା ଜିଲ୍ଲାରେ ଅବସ୍ଥିତ ସ୍କି ରିଜର୍ଟ ବ୍ରିଟିସ୍‌ ଓ ଅନ୍ୟ ୟୁରୋପୀୟ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଏଠାରେ ସ୍କିଇଙ୍ଗ୍, ସ୍ନୋ ବୋର୍ଡିଙ୍ଗ୍ ଓ ଗଲ୍‌ଫ କ୍ରୀଡ଼ା ଭଳି ବ୍ୟବସ୍ଥା ମଧ୍ୟ ରହିଛି। ଜାନୁଆରି ଶେଷରେ ଏଠାରେ ଏଫ୍‌ଆଇଏସ୍ ବିଶ୍ୱକପ୍ ସ୍ପିଡ୍ ସ୍କିଇଙ୍ଗ୍ ଇଭେଣ୍ଟ୍ ହେବାର ଯୋଜନା ରହିଛି।
ଏହି ବିସ୍ଫୋରଣ ଘଟଣା ନବବର୍ଷ ଉତ୍ସବକୁ ଅତ୍ୟନ୍ତ ଦୁଃଖଦ କରିଛି। ମୃତାହତଙ୍କ ପରିବାର ପ୍ରତି ସୁଇସ୍‌ କର୍ତ୍ତୃପକ୍ଷ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣା କ୍ରାନ୍‌ସ-ମୋଣ୍ଟାନାର ପର୍ଯ୍ୟଟନ ଋତୁକୁ ପ୍ରଭାବିତ କରିଥିବାବେଳେ ଅନେକ ପର୍ଯ୍ୟଟକ ନିରାଶ ହୋଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version