ଭଦ୍ରକ (ହରିହର ନାୟକ): ଆଜିବି ବଂଚିଛି ମାନବିକତା। ୨୦ ହଜାରରୁ ଅଧିକ ଟଙ୍କା ପାଇ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ବାଲେଶ୍ୱରଜିଲ୍ଲା ସିମୁଳିଆ ଥାନା ଅଧୀନ ବାଲିଖଣ୍ଡ ଅଞ୍ଚଳର ଅକ୍ଷୟ ସେଠୀ ନାମକ ଜଣେ ବ୍ୟକ୍ତି। ଗତ ୨ ତାରିଖରେ ଅକ୍ଷୟଙ୍କ ପୁଅ ନୂଆଦିଲ୍ଲୀ ଯିବ ବୋଲି ଭଦ୍ରକ ରେଳଷ୍ଟେସନକୁ ଛାଡ଼ିବା ପାଇଁ ଆସିଥିଲେ। ଷ୍ଟେସନ ବାହାରକୁ ଆସିବା ବେଳେ ୨୦ ହଜାର ଦୁଇ ଶହ ଟଙ୍କା ପାଇଥିଲେ।
ରେଳ ଷ୍ଟେସନ ଅଟୋ ଷ୍ଟାଣ୍ଡରେ ଟଙ୍କା ପାଇବା ଘଟଣା କହିବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରିଥିଲେ। ପରେ ଅକ୍ଷୟଙ୍କୁ ବହୁ ଲୋକ ଅଜଣା ନମ୍ବରରୁ ଫୋନ କଲ କରି ଟଙ୍କା ଆମର ରେଳ ଷ୍ଟେସନକୁ ଆସି ଟଙ୍କା ଦେଇଯାଅ ବୋଲି କହିଥିଲେ। ଆଜି ବାଧ୍ୟ ହୋଇ ଅକ୍ଷୟ ଭଦ୍ରକ ଏସପିଙ୍କୁ ଭେଟି ପାଇଥିବା ୨୦,୨୦୦ ଟଙ୍କା ହସ୍ତାନ୍ତର କରିଛନ୍ତି।
ସମସ୍ତଙ୍କ ମୁହଁରେ ପ୍ରଶଂସା
ଏସପି ମଧ୍ୟ ଅକ୍ଷୟଙ୍କ ଏଭଳି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହ କହିଛନ୍ତି ଟଙ୍କା ଯାହାର ଉଚିତ ତଥ୍ୟ ଦେଇ ଭଦ୍ରକ ଟାଉନ ଥାନାରୁ ନେଇଯିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅକ୍ଷୟଙ୍କ ଏହି ଉଦାରତା ଆଜି ତାଙ୍କର ମାନବିକତାର ପରିଚୟ ଦେଉଛି। କାହାର ହଜି ଯାଇଥିବା ୨୦ ହଜାର ଟଙ୍କା ନେଇ ଜୀବନରେ କେବେ ବଡ଼ ଲୋକ ହୋଇହେବନି। ବଡ଼ ଲୋକ ତ ଭଗବାନ। ସେ କାହାକୁ କେତେବେଳେ କେଉଁ ରୂପରେ ଆଉ କେମିତି ଦେବେ କେହି କିଛି ଜାଣି ପାରିବେ ନହିଁ। ପାଉଥିବା ଟଙ୍କାକୁ ମୁଁ ନିଜେ ନରଖି ମୋ ଆତ୍ମା କହିଲା ଉପଯୁକ୍ତ ସ୍ଥାନରେ ଫେରାଇ ଦେବାକୁ, ଯାହାର ଟଙ୍କା ସେ ନେଇ ଯାଉ ବୋଲି ଅକ୍ଷୟ ଗଣମାଧ୍ୟମକୁ କହିଛନ୍ତି।
ସୌଜନ୍ୟ ସମ୍ବାଦ
