IAS reshuffles: ବଦଳିଲେ ମାଲକାନଗିରି ଜିଲ୍ଲାପାଳ, ପ୍ରଥମେଶ ଅରବିନ୍ଦଙ୍କୁ ନୂଆ ଦାୟିତ୍ବ

ରାଜ୍ୟ ସରକାର ଗୁରୁବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ବଦଳି ହୋଇଛି।

ଭୁବନେଶ୍ବର: ରାଜ୍ୟ ସରକାର ଗୁରୁବାର ଆଇଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ବଦଳି ହୋଇଛି। ତାଙ୍କୁ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କ ବଦଳରେ ମାଲକାନଗିରିରେ ବ୍ରହ୍ମପୁର ମହାନଗର ନିଗମର କମିସନର ପ୍ରଥମେଶ ଅରବିନ୍ଦଙ୍କୁ ଜିଲ୍ଲାପାଳ ଦାୟିତ୍ବ ମିଳିଛି।

ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍‌ କମିସନର ମନୀଷ ଅଗ୍ରୱାଲଙ୍କୁ ସମବାୟ ସମିତି ସମୂହର ନିବନ୍ଧକ ଭାବେ ନିଯୁକ୍ତି ମିଳିଥିଲା ବେଳେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଶାସନ ସଚିବ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କ୍ଷୁଦ୍ର ଶିଳ୍ପ ନିଗମରେ ଏମ୍‌ଡି ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପ୍ରଧାନଙ୍କୁ ଷ୍ଟାର୍ଟଅଫ୍‌ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଏଠାରେ ପୂର୍ବରୁ ରଶ୍ମିତା ପଣ୍ଡା ଅବସ୍ଥାପିତ ଥିଲେ।

ସେହିଭଳି ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶ ମଧୁସ୍ମିତା ସାହୁଙ୍କୁ ଏସ୍‌ସିଇଆରଟିର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ବ ମଣ୍ଡଳର ବନ୍ଦୋବସ୍ତ ଏବଂ ଚକବନ୍ଦୀ ଅତିରିକ୍ତ କମିସନର ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଲିଲି କୁମାରୀ କୁଲୁଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ନିଯୁକ୍ତି ମିଳିଛି।

ସୌଜନ୍ୟ ସମ୍ବାଦ

Exit mobile version