Ignoring: କୀର୍ତ୍ତିରାଜିକୁ ଅଣଦେଖା

କୋରାପୁଟ ଜିଲ୍ଲାରେ ଜୈନ କୀର୍ତ୍ତିରାଜିର ପୁନରୁଦ୍ଧାର ପାଇଁ ପ୍ରୟାସ ନାହିଁ। ପ୍ରଶାସନିକ ଅବହେଳାରୁ ଷଷ୍ଠ ଶତାବ୍ଦୀର ବହୁ ଦୁର୍ଲଭ ମୂର୍ତ୍ତିକୁ ଦୁର୍ବୃତ୍ତ ‌ଚୋରି କରି ନେଲେଣି। ସୁରକ୍ଷା ଅଭାବରୁ....

କୋରାପୁଟ: କୋରାପୁଟ ଜିଲ୍ଲାରେ ଜୈନ କୀର୍ତ୍ତିରାଜିର ପୁନରୁଦ୍ଧାର ପାଇଁ ପ୍ରୟାସ ନାହିଁ। ପ୍ରଶାସନିକ ଅବହେଳାରୁ ଷଷ୍ଠ ଶତାବ୍ଦୀର ବହୁ ଦୁର୍ଲଭ ମୂର୍ତ୍ତିକୁ ଦୁର୍ବୃତ୍ତ ‌ଚୋରି କରି ନେଲେଣି। ସୁରକ୍ଷା ଅଭାବରୁ ସେମିଳିଗୁଡ଼ା ବ୍ଲକର ସୁବାଇରେ ଥିବା ଜୈନ ମନ୍ଦିର କୀର୍ତ୍ତିରାଜି ସବୁ ନଷ୍ଟ ହେବାକୁ ବସିଲାଣି। ମନ୍ଦିରର ପୁନରୁଦ୍ଧାର ଲାଗି ଦାବି ହେଉଥିଲେ ମଧ୍ୟ ପ୍ରତ୍ନତତ୍ତ୍ବ କିମ୍ବା ପର୍ଯ୍ୟଟନ ବିଭାଗ କୌଣସି ଦୃଷ୍ଟି ଦେଉନି।

ପ୍ରାୟ ଷଷ୍ଠ ଶତାବ୍ଦୀ ବେଳକୁ କୋରାପୁଟ ଜିଲ୍ଲାର ଜୈନ ଧର୍ମର ପ୍ରଚାର ପ୍ରସାର ହୋଇଥିଲା। ଯାହା ନନ୍ଦପୁର ଅଞ୍ଚଳରୁ ଆରମ୍ଭ ହୋଇ ଛତିଶଗଡ଼ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହି ଅଞ୍ଚଳ ଦକ୍ଷିଣ ଭାରତ ସହିତ ଯୋଡ଼ୁଥିବାରୁ ବାଣିଜ୍ୟିକ କରିଡର୍‌ ମାଧ୍ୟମରେ ଜୈନ ସଂସ୍କୃତି ପ୍ରଚଳିତ ହୋଇ ଆସୁଥିଲା। ଜିଲ୍ଲାରେ କେଚଲାରେ ଜୈନ ମୂର୍ତ୍ତି ଖୋଲା ଆକାଶ ତଳେ ପୂଜା ପାଉଥିବା ବେଳେ କେବଳ ନନ୍ଦପୁର ବ୍ଲକର ସୁବାଇରେ ଗୋଟିଏ ମାତ୍ର ଜୈନ ମନ୍ଦିର ରହିଛି।  ସୁବାଇର ଜୈନ ମନ୍ଦିର, ପ୍ରାଚୀନ ସ୍ଥାପତ୍ୟ ଏବଂ ଧାର୍ମିକ ପରମ୍ପରାର ପ୍ରମାଣ ପ୍ରଦାନ କରି ଆସୁଛି। ସେହି ସମୟରେ ସୁବାଇରେ ୫ଟି ଜୈନ ମନ୍ଦିର ନିର୍ମାଣ କରି ଭିନ୍ନଭିନ୍ନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ସେଥି ମଧ୍ୟରୁ ମହାବୀର, ପାର୍ଶ୍ୱନାଥ, ଋଷଭନାଥ ଏବଂ ଅନ୍ୟ ଜୈନ ମୂର୍ତ୍ତି ତୀର୍ଥଙ୍କର ପାଇଁ ଉତ୍ସର୍ଗୀକୃତ। ନିକଟରେ ଥିବା ଶିବ ମନ୍ଦିର ସହିତ ଏହି ଜୈନ ମନ୍ଦିରରେ ସ୍ଥାନୀୟ ଲୋକେ ଫୁଲ ଦେଇ ପୂଜା ପାଠ କରୁଛନ୍ତି।

ସହକାରୀ ପ୍ରଫେସର ପ୍ରୀତିଧାରା ସାମଲଙ୍କ ମତରେ ଜୈନଧର୍ମର ପ୍ରଚାର ପ୍ରସାର ପାଇଁ ସୁବାଇରେ ଜୈନ ମନ୍ଦିର ସ୍ଥାପନା କରିଥିଲେ। ଏହି ମନ୍ଦିର ହିଁ ପ୍ରମାଣିତ କରୁଛି କୋରାପୁଟରେ ଜୈନ ଧର୍ମର ପ୍ରାଧାନ୍ୟ ଓ ଉପସ୍ଥିତି। କିନ୍ତୁ ସୁରକ୍ଷା ଅଭାବରୁ କେଚଲା ଓ ସୁବାଇରେ ଥିବା ବିରଳ ମୂର୍ତ୍ତିଗୁଡ଼ିକ ଚୋରି ହେବାରେ ଲାଗିଛି। ଯେଉଁ କିଛି ବିରଳ ମୂର୍ତ୍ତି ଓ ପ୍ରାଚୀନ ଶିଳାଗୁଡ଼ିକ ରହିଛି ବହୁବର୍ଷ ଧରି ସଫା କରାଯାଇନି। ଆନ୍ଧ୍ର, ଛତିଶଗଡ଼ ଓ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ଅବହେଳିତ କୀର୍ତ୍ତିରାଜିକୁ ଦେଖି ମୁହଁ ଫେରାଇ ନେଉଛନ୍ତି। ୨୦୨୫ ଅଗଷ୍ଟରେ ସୁବାଇ ଜୈନ ମନ୍ଦିରରୁ ଗୋଟିଏ ମୂର୍ତ୍ତି ଏବଂ ୨୦୧୪ରେ ୩ଟି ଜୈନ ମୂର୍ତ୍ତି ଚୋରି ହୋଇଥିଲା। ସେହିପରି ୨୦୨୫ ଏପ୍ରିଲରେ କେଚଲାରୁ ବଡ଼ ଜୈନ ମୂର୍ତ୍ତି ଚୋରି ହୋଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version