IIT Bombay: ପ୍ରଫେସରଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ ଅଭିଯୋଗ; ପିତାଙ୍କ ଅଭିଯୋଗ ପରେ ଏସ୍ସି-ଏସ୍ଟି ଧାରା ଲାଗିଲା
ଆଇଆଇଟି ବମ୍ବେର ଦ୍ୱିତୀୟ ବର୍ଷର ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ବାପା ପ୍ରଫେସରଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ, ମାନସିକ ନିର୍ଯାତନା ଓ ଧମକ ଦେବାର ଅଭିଯୋଗ ଆଣିଛନ୍ତି।

ମୁମ୍ବାଇ: ଆଇଆଇଟି ବମ୍ବେର ଦ୍ୱିତୀୟ ବର୍ଷର ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ବାପା ପ୍ରଫେସରଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ, ମାନସିକ ନିର୍ଯାତନା ଓ ଧମକ ଦେବାର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୁଲିସ ଶନିବାର ମାମଲା ରୁଜୁ କରିଥିବାବେଳେ ତଦନ୍ତକୁ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ମାମଲାରେ ଆଇଆଇଟି ବମ୍ବେର ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କ ନାମ ରହିଛି। ଆଉ ଦୁଇଜଣଙ୍କ ପରିଚୟ ଏଫ୍ଆଇଆର୍ରେ ଉଲ୍ଲେଖ ହୋଇନାହିଁ।
୨୦ ବର୍ଷୀୟ ସାହିଲ ମହାରାଷ୍ଟ୍ରର ୟବତମାଳ ଜିଲ୍ଲାର ବାସିନ୍ଦା। ସେ ଆଇଆଇଟି ବମ୍ବେର ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ବିଟେକ୍ ଛାତ୍ର ଥିଲେ। ଶୁକ୍ରବାର ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିବା ସମୟରେ ସେ ମୋବାଇଲ ଫୋନ୍ ବ୍ୟବହାର କରୁଥିବା ବେଳେ ଧରାପଡ଼ିଥିଲେ। ଆଇଆଇଟି ବମ୍ବେ ଅନୁସାରେ, ସେ ପରୀକ୍ଷା ପ୍ରଶ୍ନପତ୍ରକୁ ଚାଟ୍ଜିପିଟିରେ ଅପଲୋଡ୍ କରି ଉତ୍ତର ଖୋଜିଥିଲେ। ପରେ ସେହି ଦିନ ସନ୍ଧ୍ୟାରେ ହଷ୍ଟେଲ ରୁମ୍ରେ ତାଙ୍କ ମୃତ୍ୟୁ ହୋଇଥିଲା।
ସାହିଲଙ୍କ ବାପା ରବୀନ୍ଦ୍ର ୱାକୋଡେ ଅଭିଯୋଗ କରିଛନ୍ତି ଯେ, ଗତ ପ୍ରାୟ ୩ ମାସ ଧରି ତାଙ୍କ ପୁଅ ଜାତିଆଣ ଟିପ୍ପଣୀ ଓ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କ ପୁଅ ମାନସିକ ଚାପରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଆତ୍ମହତ୍ୟା ପାଇଁ ପ୍ରରୋଚନା ସମ୍ପର୍କିତ ଧାରା ସହ ଏସ୍ସି/ଏସ୍ଟି ଆଇନର ଧାରା ଲାଗୁ କରିଛି।
ସୌଜନ୍ୟ ସମ୍ବାଦ




