ରାଜ୍ୟ

Durga Puja Traffic Rules ; ଦୁର୍ଗାପୂଜା ପାଇଁ ରାଜଧାନୀରେ ଟ୍ରାଫିକ କଟକଣା ; ଅକ୍ଟୋବର ୧୬ରୁ ୨୨ ଯାଏଁ କଟକଣା, ଭାରୀଯାନ ପାଇଁ ନୂଆ ନିୟମ

ଭୁବନେଶ୍ୱର,୧୪/୧୦ : ଦୂର୍ଗା ପୂଜାରେ ଟ୍ରାଫିକ୍ ଯନ୍ତ୍ରଣାରେ ହଜାର ହଜାର ଭକ୍ତ ଘାଣ୍ଟି ହେବେ, ପ୍ରବଳ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ରୁ ୨୧ ତାରିଖ ଯାଏ ପୁଲିସ୍ ଟ୍ରାଫିକ୍ କଟକଣା ଜାରି କରିଛି । ଅପରାହ୍ଣ ୨ଟାରୁ ରାତି ୨ଟା ଯାଏଁ ସହର ଭିତରେ ଭାରୀଯାନ ପ୍ରବେଶରେ ରୋକ୍ ଲଗାଇଛି । ୨୨ ତାରିଖ ଭସାଣ ପାଇଁ ମଧ୍ୟ କଟକଣା ରହିଛି । ଏନ୍ଏଚ୍ ନଂ-୧୬ରୁ ସହର ଭିତରକୁ ଲମ୍ବିଥିବା ସମସ୍ତ ରାସ୍ତାରେ ଭାରୀଯାନ ପ୍ରବେଶ କରିପାରିବନି । ଜୟଦେବିହାର ଛକଠୁ କଳିଙ୍ଗ ଷ୍ଟାଡିୟମ ରୁଟରେ ରାଜଭବନ ଯାଏ, ଜୟଦେବବିହାର ଆରପଟ ପାଶ୍ୱର୍ରେ ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା, ପଟିଆ ଦେଇ ନନ୍ଦନକାନନ ଯାଏଁ ଭାରୀଯାନ ଗଡି଼ବନି । ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଯାଏ ଫାୟାର ଷ୍ଟେସନ ଛକଠୁ ଗଙ୍ଗନଗର ରୁଟରେ ଶିଶୁଭବନ ଛକ ଓ ସିଆରପି ଛକଠୁ ଡିଏଭି ସ୍କୁଲ୍ ୟୁନିଟ୍-୮ ରାସ୍ତା ଯାଏ ଭାରୀଯାନ ଚଳାଚଳ କରିବନି ।

ଆଚାର୍ଯ୍ୟ ବିହାର ଛକଠୁ ନିକୋ ପାର୍କ ଦେଇ ଏଜି ଛକ, ଅପରପାଶ୍ୱର୍ରେ ସୈନିକ ସ୍କୁଲ୍ ଦେଇ କଳିଙ୍ଗ ହସ୍ପିଟାଲ୍ ଛକ, ବାଣୀବିହାର ଛକରୁ ଜନପଥରେ ଶିଶୁ ଭବନ ଏବଂ ରସୁଲଗଡ଼ ଛକରୁ କଟକ ରୋଡ଼ ଦେଇ ଲିଙ୍ଗିପୁର ଛକ ଯାଏଁ ଗୋଟିଏ ବି ଭାରୀଯାନ ଗଡି଼ବନି । ଖୋର୍ଦ୍ଧା ପିତାପଲ୍ଲୀ ଛକଠୁ ଚନ୍ଦକା ବାରଙ୍ଗ ରାସ୍ତାକୁ ଭାରୀଯାନ ପାଇଁ ଖୋଲାଯିବ । ରାବଣ ପୋଡ଼ି ବେଳେ କଟକ ପଟୁ ଆସୁଥିବା ଗାଡି଼ (ଭାରୀଯାନ ବ୍ୟତୀତ) ଜୟଦେବ ବିହାରରୁ ବେହେରା ସାହି ଦେଇ ଶାସ୍ତ୍ରୀ ନଗର, ପାୱାର ହାଉସ୍, ୟୁନିଟ୍-୮ ଦେଇ ସିଆର୍ପି ଛକ ଛୁଇଁବ । ଖୋର୍ଦ୍ଧା ପାଶ୍ୱର୍ରୁ ଗାଡି଼ଗୁଡି଼କ ସିଆର୍ପି, ଏକାମ୍ର କାନନ ରାସ୍ତା ଦେଇ ଜୟଦେବ ବିହାରରେ ବାହାରିବ । ଏହି ନିୟମ ଖିଲାପ କଲେ ୫୦୦ ଟଙ୍କା କିମ୍ୱା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜାରିମାନା ଦେବାକୁ ପଡ଼ିବ । ପୁରୀ ଆଡୁ ଆସୁଥିବା ଯାତ୍ରୀବାହୀ ବସ୍ ଲିଙ୍ଗିପୁର ଛକଠୁ ପୁରୀ ବାଇପାସ୍ ଦେଇ ହାଇଟେକ ଛକଠାରୁ ଏନ୍ଏଚ୍-୧୬ ରାସ୍ତାରେ ବରମୁଣ୍ଡାକୁ ଯିବ । ପୁରୀକୁ କଟକ ଯା’ ଆସ କରୁଥିବା ବସ୍ ଗୁଡି଼କ ସହର ଭିତରକୁ ପଶି ପାରିବନି ।

୨୨ ତାରିଖ ଭସାଣ ଦିନ ସହିଦ୍ନଗରରେ ଭସାଣୀ ଯାତ୍ରା ପାଇଁ ବାଣୀବିହାରରୁ ରୂପାଲି ଛକ ରାସ୍ତାରେ କୌଣସି ଗାଡି଼ ଗଡି଼ବନି । କାର, ବାଇକ ଗୁଡି଼କ ଜନପଥରେ ନ ଯାଇ ସଚିବାଳୟ ମାର୍ଗ ଓ ଏହା ସଂଲଗ୍ନ ରାସ୍ତାରେ ଯା’ ଆସ କରିବ । ନୂଆପଲ୍ଲୀ ଭସାଣୀ ଯାତ୍ରାରେ ସିଆର୍ପି ଛକଠାରୁ ରାସ୍ତାକୁ ବନ୍ଦ କରାଯିବ । କଟକ ପଟୁ ଗାଡି଼ ଆସିଲେ, ଜୟଦେବବିହାର ଛକଠୁ ବାମକୁ ମୋଡି଼ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ୍ ଓ ୟୁନିଟ୍-୮ ଡିଏଭି ସ୍କୁଲ ଦେଇ ସିଆର୍ପିରେ ବାହାରି ପାରିବ । ଉତ୍ତର ଭୁବନେଶ୍ୱର ଭସାଣୀ ଯାତ୍ରା ପାଇଁ କିଟ୍ ଛକଠୁ ନାଲକୋ ଛକ ଯାଏ ରାସ୍ତା ବନ୍ଦ ରଖାଯିବ । ଖୋର୍ଦ୍ଧା ଆଡୁ ଆସୁଥିବା ଭାରୀ ଯାନ ଫାୟାରଷ୍ଟେସନ ଛକଠୁ ଫ୍ଲାଏ ଓଭର ଦେଇ ରସୁଲଗଡ଼ରେ ବାହାରି ପାରିବ । ସର୍ଭିସ୍ ରୋଡ୍ ବନ୍ଦ ରହିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button