Imran Khan Treatment: ଅଧିନାୟକ ଓ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିଥିଲେ ଇମ୍ରାନ: ସୌରଭ ଗାଙ୍ଗୁଲି

ଅଧିନାୟକ ଓ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିଥିଲେ ଇମ୍ରାନ। ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ସୌରଭ ଗାଙ୍ଗୁଲି ସ୍ବର ଉଠାଇଛନ୍ତି।

କୋଲକାତା: ଜେଲ୍‌ରେ ଥିବା ପୂର୍ବତନ କ୍ରିକେଟ୍‌ ଖେଳାଳି ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ଆଉ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ସ୍ବର ଉଠାଇଛନ୍ତି। ସେ ହେଉଛନ୍ତି ସୌରଭ ଗାଙ୍ଗୁଲି। ସେ କହିଛନ୍ତି ଯେ, ଇମ୍ରାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଓ ସମ୍ମାନ ପ୍ରଦାନ କରାଯାଉ। ସେ କହିଛନ୍ତି, ‘ପ୍ରଥମେ ଅଧିନାୟକ ଭାବେ ଓ ପରେ ପ୍ରଧାନମନ୍ତ୍ରୀ ଭାବେ ସେ ପାକିସ୍ତାନକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିଥିଲେ। ଏଣୁ ତାଙ୍କୁ ଉଚିତ ଯତ୍ନ ଓ ସମ୍ମାନ ଦିଆଯିବ ବୋଲି ମୋର ଆଶା।’

ପତ୍ର ଲେଖି ଉଚିତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାକୁ ଅନୁରୋଧ

ଗତକାଲି କପିଳ ଦେବ, ସୁନୀଲ ଗାଭାସ୍କରଙ୍କ ସମେତ ୧୪ ଜଣ ପୂର୍ବତନ ଅଧିନାୟକ ତଥା କ୍ରିକେଟ୍‌ ଖେଳାଳି ପାକିସ୍ତାନ ସରକାରଙ୍କୁ ପତ୍ର ଲେଖି ଇମ୍ରାନଙ୍କୁ ଉଚିତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ନିଜ ପତ୍ରରେ ସେମାନେ ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ହେଉଥିବା ଅବନତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ବିଶେଷକରି ତାଙ୍କର ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ନେଇ ହେଉଥିବା ଚର୍ଚ୍ଚା ସଂପର୍କରେ ଉଲ୍ଲେଖ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଦୁର୍ନୀତି ଅଭିଯୋଗରେ ଇମ୍ରାନଙ୍କୁ ଏବେ ରାଓ୍ବଲପିଣ୍ଡର ଆଡିଆଲା ଜେଲ୍‌ରେ ରଖାଯାଇଛି। ତେବେ ସେଠାରୁ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଉଛି ବୋଲି ଇମ୍ରାନଙ୍କ ଦୁଇ ଭଉଣୀ ଡ.ଉଜ୍‌ମା ଖାଁ ଓ ଆଲିମା ଖାଁ ଅଭିଯୋଗ କରିଛନ୍ତି। ଖୋଦ୍‌ ପିସିବି ମୁଖ୍ୟ ତଥା ପାକିସ୍ତାନ ସରକାରଙ୍କ ମନ୍ତ୍ରୀ ମହସିନ ନକଭୀ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version