Incident during strike :ବନ୍ଦ ବେଳେ ଅଘଟଣ, ଅଳ୍ପକେ ବର୍ତିଲେ ଆନ୍ଦୋଳନକାରୀ, ବ୍ରେକ ଫେଲ ହେଲା ପୁଲିସ ଗାଡି

ରାୟଗଡା ସହର ଉପକଣ୍ଠ ସ୍ଥିତ ସିରିଗୁଡା ଛକରେ ଶ୍ରମିକ ସଂଗଠନ ତରଫରୁ ଆନ୍ଦୋଳନ ଚାଲିଥିବା ବେଳେ ସେହି ରାସ୍ତାରେ ଅଟକି ଥିବା ପୁଲିସ ଗାଡିର ବ୍ରେକ ଫେଲ ହୋଇ ଯାଇ ଆନ୍ଦୋଳନକାରୀମାନଙ୍କ ଉପରକୁ ମାଡି ଯାଇଥିଲା I

ରାୟଗଡା: ରାୟଗଡା ସହର ଉପକଣ୍ଠ ସ୍ଥିତ ସିରିଗୁଡା ଛକରେ ଶ୍ରମିକ ସଂଗଠନ ତରଫରୁ  ଆନ୍ଦୋଳନ ଚାଲିଥିବା ବେଳେ ସେହି ରାସ୍ତାରେ ଅଟକି ଥିବା ପୁଲିସ ଗାଡିର ବ୍ରେକ ଫେଲ ହୋଇ ଯାଇ ଆନ୍ଦୋଳନକାରୀମାନଙ୍କ ଉପରକୁ ମାଡି ଯାଇଥିଲା  I ସୌଭାଗ୍ୟବଶତଃ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନର ନେତାଙ୍କ ପାଇଁ ରଖା ଯାଇଥିବା ଚେୟାର ଉପରକୁ ଗାଡି ମାଡି ଯାଇଥିଲା I ଫଳରେ ବହୁ ଚେୟାର ନଷ୍ଟ ହୋଇ ଯାଇଥିଲା I ବ୍ରେକ ଫେଲ ଘଟଣାକୁ ଶ୍ରମିକମାନଙ୍କ ବିରୋଧରେ ବିଜେପି ସରକାରଙ୍କ ଷଡଯନ୍ତ୍ର ବୋଲି ଶ୍ରମିକ ନେତା ଭବାନୀ ଶଙ୍କର ଜେନା ପ୍ରକାଶ କରିଛନ୍ତି I ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା I ଉତ୍ତେଜନା ପରେ ରାୟଗଡା ଏସଡିପିଓ ଗୌରହରୀ ସାହୁ, ଆଇଆଇସି ପ୍ରସନ୍ନ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ |

ଶ୍ରମିକ ସଂଗଠନ ତରଫରୁ ଜାତୀୟ ରାଜପଥ ଅବରୋଧ, ରାୟଗଡାରେ ବନ୍ଦ ପ୍ରଭାବ
ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ରାୟଗଡା ସହରରେ ଦେଖିବାକୁ ମିଳିଛି। ସହରରେ ୧୦ ଟି ବିଭିନ୍ନ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। କପିଳାସ ଛକ ଓ ସିରିଗୁଡା ଛକରେ ଶ୍ରମିକ ସଂଗଠନ କର୍ମକର୍ତ୍ତା ମାନେ ପିକେଟିଂ କରି ରାୟଗଡା କୋରାପୁଟ, ରାୟଗଡା ବ୍ରହ୍ମପୁର ୩୨୬ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାସ୍ତା କଡରେ ଶହ ଶହ ଟ୍ରକ ଓ ଏହି ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀବାହି ବସ ରାସ୍ତା କଡରେ ଅଟକି ରହିଛି I ସହରର ବିଭିନ୍ନ ଦୋକାନ ବଜାରକୁ ଶ୍ରମିକ ସଂଗଠନ କର୍ମକର୍ତାମାନେ ପିକେଟିଙ୍ଗ କରି ବନ୍ଦ କରୁଥିବା ଦେଖିବାକୁ ମିଳିଛି ।

ରାୟଗଡା ବସଷ୍ଟାଣ୍ଡ ରେ ବସ୍ ସେବା ବନ୍ଦ ରହିଥିବା ବେଳେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ବ୍ଯାଙ୍କ ପ୍ରତିଷ୍ଠାନ ମଧ୍ଯ ବନ୍ଦ ରହିବ ବୋଲି କୁହାଯାଇଛି। ଶ୍ରମିକ ବିରୋଧୀ ୪ ଟି ଶ୍ରମକୋର୍ଡ ଓ ଆଇନର ପ୍ରତ୍ଯାହାର,ଶ୍ରମ ଶକ୍ତି ନିତୀ ୨୦୨୫ର ପ୍ରତ୍ଯାହାର,ବିଦ୍ଯୁତ୍ ସଂଶୋଧିତ ବିଲ୍ ବାତିଲ କରିବା ଓ ଆଶା କର୍ମୀ ଓ ପାଚିକାମାନଙ୍କୁ ଶ୍ରମିକର ମାନ୍ଯତା ଦେବା ଭଳି ଅନେକ ଦାବି ରଖିଛନ୍ତି ବିଭିନ୍ନ ସଂଗଠନ। ବନ୍ଦର ପ୍ରଭାବ ରାୟଗଡା ସହରରେ ଦେଖିବାକୁ ମିଳିଛି।

ସୌଜନ୍ୟ ସମ୍ବାଦ

Exit mobile version