ଖେଳ

IND VS SL: ବିଜୟ ଦ୍ବାରରେ ଭାରତ: ଫଲୋଅନ୍‌ ପରେ ଶ୍ରୀଲଙ୍କା ୨୨୯/୬, ପଞ୍ଚମ ଦିନରେ ଫଳାଫଳ ଆଶା

ଭାରତର କଲମ୍ବୋ ଟେଷ୍ଟ ବିଜୟରେ ବର୍ଷା କିଛିଟା ବାଧକ ସାଜିଛି। ଅନ୍ୟପକ୍ଷରେ ବୁଧବାର ୪୦ ମିନିଟ୍‌ ପୂର୍ବରୁ ଖେଳ ବନ୍ଦ ହେବାରୁ ଫଲୋଅନ୍‌ ଏଡ଼ାଇ ପାରି ନଥିବା ଶ୍ରୀଲଙ୍କା ଆସନ୍ନ ପରାଜୟରୁ ଅନ୍ତତଃ ଆଜି ବର୍ତ୍ତି ଯାଇଛି।

କଲମ୍ବୋ: ଭାରତର କଲମ୍ବୋ ଟେଷ୍ଟ ବିଜୟରେ ବର୍ଷା କିଛିଟା ବାଧକ ସାଜିଛି। ଅନ୍ୟପକ୍ଷରେ ବୁଧବାର ୪୦ ମିନିଟ୍‌ ପୂର୍ବରୁ ଖେଳ ବନ୍ଦ ହେବାରୁ ଫଲୋଅନ୍‌ ଏଡ଼ାଇ ପାରି ନଥିବା ଶ୍ରୀଲଙ୍କା ଆସନ୍ନ ପରାଜୟରୁ ଅନ୍ତତଃ ଆଜି ବର୍ତ୍ତି ଯାଇଛି। ତେବେ ପଞ୍ଚମ ଦିନରେ ଭାରତ ବିଜୟୀ ହୋଇ ଦୁଇ ଟିକିଆ ଶୃଙ୍ଖଳାକୁ ୨-୦ରେ ମୂଳ‌ପୋଛ କରିବା ଦ୍ବାରଦେଶରେ ପହଞ୍ଚି ଯାଇଛି। ଭାରତର ପ୍ରଥମ ପାଳି ସ୍କୋର୍‌ ୫୦୩/୯ ଜବାବରେ ୨୯୦ ରନ୍‌ କରି ଫଲୋଅନ୍‌ ଖେଳିବାକୁ ବାଧ୍ୟ ହୋଇଥିବା ଶ୍ରୀଲଙ୍କା ଦ୍ବିତୀୟ ପାଳିରେ ଅନୁରୂପ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଛି। ଶ୍ରୀଲଙ୍କା କେବଳ ୨୨୯ ରନ୍‌ରେ ୬ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ବର୍ଷା ପାଇଁ ଚତୁର୍ଥ ଦିନରେ ନିଜ ପରାଜୟକୁ ଟାଳି ପାରିଛି। ଅବଶ୍ୟ ପସିନ୍ଦୁ ସୂରିୟାବନ୍ଦରା ଓ କାମିନ୍ଦୁ ମେଣ୍ଡିସଙ୍କ ଅର୍ଦ୍ଧଶତକ ପାଇଁ ପାଳି ପରାଜୟ ଏଡ଼ାଇବାକୁ ସକ୍ଷମ ହୋଇଛି। ସଂପ୍ରତି ସିଂହଳୀ ଦଳ ଭାରତଠାରୁ ମାତ୍ର ୧୬ ରନ୍‌ରେ ଆଗୁଆ ରହିଛି। ଫଳରେ ଗୁରୁବାର ପଞ୍ଚମ ତଥା ‌ଶେଷ ଦିନରେ ବିଜୟର ସ୍ବାଦ ଚାଖିବାକୁ ଭାରତ ଆଶା ରଖିଛି। ଅନ୍ୟପକ୍ଷରେ ଅବଶିଷ୍ଟ ୪ ୱିକେଟ୍‌ରେ ଦିନ ତମାମ ବ୍ୟାଟିଂ କରିପାରିଲେ ଶ୍ରୀଲଙ୍କା ପରାଜୟରୁ ରକ୍ଷା ପାଇ ଯିବାର କଷ୍ଟକର ସମ୍ଭାବନା ବି ରହିଛି। ଫଲୋଅନ୍ ପରେ କିନ୍ତୁ ଘରୋଇ ଶ୍ରୀଲଙ୍କା ନିଜ ଦ୍ବିତୀୟ ପାଳିରେ ଦୃଢ଼ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲା। ହେଲେ ଦିନ ଶେଷ ଆଡ଼କୁ ଭାରତ ପୁଣିଥରେ ମ୍ୟାଚ୍‌ ଉପରେ ନିୟନ୍ତ୍ରଣ ହାସଲ କରି ନେଇଥିଲା। ବର୍ଷା ପାଇଁ ଆଗୁଆ ଷ୍ଟମ୍ପ୍ସ ବେଳକୁ ଚମତ୍କାର ଫର୍ମରେ ଥିବା‌ ସୋନାଲ ଦିନୁଶା ୭ ଏବଂ କେଶରା ନୁୱାନ୍ଥା ୩ ରନ୍‌ରେ ଅପରାଜିତ ରହିଛନ୍ତି। ଯାହା ଶ୍ରୀଲଙ୍କା ପାଇଁ ଆଶ୍ବସ୍ତିକର ଖବର ହୋଇଛି।

ଶ୍ରୀଲଙ୍କା ୨୬୫/୮ରୁ ବୁଧବାରର ଖେଳ ଆରମ୍ଭ କରି ଶେଷ ୨ ୱିକେଟ୍‌ରେ ମାତ୍ର ୨୫ ରନ୍‌ ଯୋଡ଼ି ପାରିଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୮ ରନ୍‌ କରି ଚମତ୍କାର ଫର୍ମରେ ଥିବା ସୋନାଲ ଦିନୁଶା ନିଜ ଶତକ ପୂରଣ କରି ନେଇଥିଲେ। ଏହା ସତ୍ତ୍ବେ ଭାରତର ଅଗ୍ରଣୀ ୨୧୩ ରନ୍‌ ରହିବାରୁ ଶ୍ରୀଲଙ୍କା ଫଲୋଅନ୍‌ ହୋଇଥିଲା। ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ପୁଣି ଥରେ ଓପନିଂ ବିଫଳତାର ସମ୍ମୁଖୀନ ହୋଇଥିଲା। ତେବେ ସୂରିୟାବନ୍ଦରା ଓ  ମେଣ୍ଡିସ୍‌ ଭାରତୀୟ ବୋଲରଙ୍କୁ ଜୋରଦାର ପ୍ରତିରୋଧ କରିଥିଲେ। ସୂରିୟାବନ୍ଦରା ୯୨ ରନ୍‌ର ଚମତ୍କାର ଇନିଂସ ଖେଳିଥିବା ବେଳେ କାମିନ୍ଦୁ ୫୫ ରନ୍‌ କରିଥିଲେ। ଦୁହେଁ ତୃତୀୟ ୱିକେଟ୍‌ରେ ୧୧୫ ରନ୍‌ ଯୋଡ଼ି ଶ୍ରୀଲଙ୍କାକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଏକ ସମୟରେ ଶ୍ରୀଲଙ୍କାର ସ୍କୋର ମାତ୍ର ୩ ୱିକେଟ୍‌ରେ ୨୦୯ ରନ୍‌ ଥିଲା। ଭାରତଠାରୁ ମାତ୍ର ୪ ରନ୍‌ ପଛରେ ଥିବା ଘରୋଇ ଦଳ ସେହିଠାରୁ ବଡ଼ ଲିଡ୍‌ ନେବାର ସମ୍ଭାବନା ବି ସୃଷ୍ଟି କରିଥିଲା। କିନ୍ତୁ ମାନବ ସୁଥାର ଠିକଣା ସମୟରେ ଧନଞ୍ଜୟ ଡି’ ସିଲଭା ଓ ସୂରିୟାବନ୍ଦରାଙ୍କୁ ଆଉଟ୍‌ କରି ଭାରତକୁ ମ୍ୟାଚ୍‌କୁ ଫେରାଇଥିଲେ। ଶତକଠାରୁ ୮ ରନ୍‌ ଦୂରରେ ଅର୍ଥାତ୍ ୯୨ ରନ୍‌ରେ ସୂରିୟାବନ୍ଦରାଙ୍କ ପାଳି ଶେଷ ହୋଇଥିଲା।  ସୂଥାରଙ୍କ ବଲ୍‌ରେ କ୍ରିଜ୍‌ ଛାଡ଼ି ଆଗକୁ ଆସିବାର ଚେଷ୍ଟା କରିଥିବା ସୂରିୟାବନ୍ଦରାଙ୍କୁ ଋଷଭ ପନ୍ତ ଚମତ୍କାର ଭାବେ ଷ୍ଟମ୍ପିଂ କରି ଦେଇଥିଲେ। ଏହାର କିଛି ସମୟ ପରେ ସାରାଂଶ ଜୈନ୍‌ ନିରୋଶନ ଡିକ୍‌ୱେଲାଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଶ୍ରୀଲଙ୍କାକୁ ଆହୁରି ବିପଦରେ ପକାଇଥିଲେ। ଫଳରେ ୩ ୱିକେଟ୍‌ରେ ୨୦୯ ରନ୍‌ରୁ ଶ୍ରୀଲଙ୍କା ଶୀଘ୍ର ୫ ୱିକେଟ୍‌ରେ ୨୧୮ ରନ୍‌ରେ ପହଞ୍ଚି ଯାଇଥିଲା। ବର୍ଷା ପାଇଁ ବୁଧବାର କେବଳ ୭୮.୪ ଓଭର ଖେଳ ସମ୍ଭବ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି-୫୦୩/୯(ଘୋଷଣା)। ଶ୍ରୀଲଙ୍କା ପ୍ରଥମ ପାଳି-୮୯.୪ ଓଭରରେ ୨୯୦/୧୦ (ସୋନାଲ ଦିନୁଶା ୧୦୩, ପସିନ୍ଦୁ ସୂରିୟାବନ୍ଦରା ୮୦, କାମିନ୍ଦୁ ମେଣ୍ଡିସ ୩୨, ପ୍ରସିଦ୍ଧ କ୍ରିଷ୍ଣା ୩/୫୨, ମାନବ ସୂଥାର ୩/୮୫, ସାରାଂଶ ଜୈନ ୨/୬୯)। ଶ୍ରୀଲଙ୍କା ଦ୍ବିତୀୟ ପାଳି-୭୮.୪ ଓଭରରେ ୨୨୯/୬, ଫଲୋଅନ୍‌ (ପସିନ୍ଦୁ ସୂରିୟାବନ୍ଦରା ୯୨, କାମିନ୍ଦୁ ମେଣ୍ଡିସ ୫୫,  ଧନଞ୍ଜୟ ଡି’ସିଲ୍‌ଭା ୨୩, ସୋନାଲ ଦିନୁଶା ୭*, କେଶରା ନୁୱାନ୍ଥା ୩*, ମାନବ ସୂଥାର ୨/୮୧, ପ୍ରସିଦ୍ଧ କ୍ରିଷ୍ଣା ୧/୩୧, ମହମ୍ମଦ ସିରାଜ ୧/୧୧)।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button