IND VS SL: ସୂତାର, ଜାଡ଼େଜାଙ୍କ ସ୍ପିନ ଯାଦୁ…ଭାରତ କଣ୍ଟ୍ରୋଲରେ ପ୍ରଥମ ଟେଷ୍ଟ, ଏତିକି ରନ୍ କଲେ ବିଜୟ ଗ୍ୟାରେଣ୍ଟି
ତୃତୀୟ ଦିବଦରେ ଭାରତ ଅସମାପ୍ତ ପ୍ରଥମ ଇନିଂସ ୯/୪୬୦ ରନ୍ରୁ ଖେଳ ଆରମ୍ଭ କରି ୪୬୨ ରନ୍ରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ଏହାପରେ ଦଳ ଶୃଙ୍ଖଳିତ ବୋଲିଂ କରି ଶ୍ରୀଲଙ୍କାକୁ ୨୮୪ ରନ୍ରେ ଅଲ୍ ଆଉଟ୍ କରିବାରେ ସଫଳ ହୋଇଥିଲା ।

ନୂଆଦିଲ୍ଲୀ,୧୮/୦୮; ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ବର୍ଷାର ପ୍ରଭାବ ସତ୍ତେ୍ୱ ନିର୍ଣ୍ଣାୟକ ମୋଡ଼ ନେଇଛି । ୩ଦିନ ମଧ୍ୟରେ ୧୯୬.୨ ଓଭର ଖେଳ ସମ୍ଭବ ହୋଇଥିଲେ ହେଁ ଭାରତ ଅଲ୍ରାଉଣ୍ଡ ପ୍ରଦର୍ଶନ ଜାରି ରଖି ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି । ଭାରତ ପ୍ରଥମ ଇନିଂସରେ ମୋଟ୍ ୧୭୮ ରନ୍ରେ ଅଗ୍ରଣୀ ବଜାୟ ରଖି ବିଜୟ ପଥ ପ୍ରସ୍ତୁତ କରିଛି । ତୃତୀୟ ଦିବଦରେ ଭାରତ ଅସମାପ୍ତ ପ୍ରଥମ ଇନିଂସ ୯/୪୬୦ ରନ୍ରୁ ଖେଳ ଆରମ୍ଭ କରି ୪୬୨ ରନ୍ରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ଏହାପରେ ଦଳ ଶୃଙ୍ଖଳିତ ବୋଲିଂ କରି ଶ୍ରୀଲଙ୍କାକୁ ୨୮୪ ରନ୍ରେ ଅଲ୍ ଆଉଟ୍ କରିବାରେ ସଫଳ ହୋଇଥିଲା । ଦୁଇ ବାମ ହାତି ସ୍ପିନର ମାନବ ସୂତାର ଓ ରବିନ୍ଦ୍ର ଜାଡ଼େଜା ମୋଟ୍ ୭ଟି ୱିକେଟ୍ ନେଇ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।
ମ୍ୟାଚର ଫଳାଫଳ ଚତୁର୍ଥ ଦିବସ ଉପରେ ନିର୍ଭର କରିବ । ଭାରତ ଦ୍ୱିତୀୟ ଇନିଂସରେ ଦ୍ରୁତ ରନ ସଂଗ୍ରହ କରି ବଡ଼ ଟାର୍ଗେଟ୍ ପ୍ରସ୍ତୁତ କରିବା ସହ ତୃତୀୟ ଅଧିବେଶନରେ ପାଳି ଘୋଷଣା କରି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିବ । ଅପର ପକ୍ଷରେ ଭାରତକୁ ସହଳ ଅଲ୍ ଆଉଟ୍ କରିବାକୁ ଘରୋଇ ଦଳ ପ୍ରୟାସ କରିବ । ଭାରତକୁ ୪ଟି ବଲ୍ ମଧ୍ୟରେ ଅଲ୍ ଆଉଟ୍ କରିବା ପରେ ଶ୍ରୀଲଙ୍କା ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ଭାରତୀୟ ସ୍ପିନ୍ ବାହିନୀର ମୁକାବିଲା କରିବାରେ ଦଳ ବିଫଳ ହୋଇଥିଲା । ଘରୋଇ ଦଳ ଏକଦା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯୦ ରନ୍ରେ ୫ଟି ୱିକେଟ୍ ହରାଇଥିଲା । ଭାରତ ମଧ୍ୟ ଫଲୋଅନ୍ ପାଇଁ ପ୍ରୟାସ କରିଥିଲା । କିନ୍ତୁ ସୋନାଲ ଦିନୁଶା ଓ ନିରୋସାନ ଡିକୱେଲା ଲଢୁଆ ବ୍ୟାଟିଂ କରି ଷଷ୍ଠ ୱିକେଟ୍ରେ ୧୪୬ ରନ୍ର ଭାଗିଦାରୀ ଗଠନ କରି ଫଲୋଅନ ଏଡ଼ାଇବାରେ ସଫଳ ହୋଇଥିଲେ । ଦିନୁଶା ପ୍ରଥମ ଟେଷ୍ଟ ଶତକ ଅର୍ଜନ କରିଥିଲେ । ଡିକୱେଲା ପୁଣି ଥରେ ଶତକ ଅର୍ଜନ କରିବାରେ ବିଫଳ ହୋଇଥିଲେ । ଭାରତକୁ ୪୬୨ରେ ସୀମିତ ରଖିବା ପରେ ଶ୍ରୀଲଙ୍କା ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଦ୍ୱିତୀୟ ବଲ୍ରେ ନିଶାନ ମଦୁଷ୍କା(୦)ଙ୍କୁ ଆଉଟ୍ କରିଥିଲେ ମହମ୍ମଦ ସିରାଜ । ଅଷ୍ଟମ ଓଭର ବୋଲିଂ କରିବାକୁ ଆସି ସୂତାର ପ୍ରଥମ ବଲ୍ରେ ଦିନେଶ ଚାନ୍ଦିମଲଙ୍କୁ ପାଭିଲିୟନ ପଠାଇଥିଲେ । ଅନ୍ୟ ଓପନର ଲାହିରୁ ଉଦାରା ସତର୍କତାର ସହ ବ୍ୟାଟିଂ କରିଥିଲେ ହେଁ ଶେଷରେ ୨୭ ରନ କରି ସୂତାରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରେ ପରେ କାମିଣ୍ଡୁ ମେଣ୍ଡିସ୍ ୧୪ ଓ ଧନଞ୍ଜୟ ଡି ସିଲଭା ୨୧ ରନ କରି ବିଦାୟ ନେବା ସହ ଶ୍ରୀଲଙ୍କା ୯୦ ରନ୍ରେ ୫ଟି ୱିକେଟ୍ ହରାଇଥିଲା ।
ଦିନୁଶା ଓ ଡିକୱେଲା ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ବଲ୍ ପୁରୁଣା ହେବା ପରେ ରନ ସଂଗ୍ରହ ସହଜ ହୋଇଥିଲା । ଉଭୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ । ୬୨ତମ ଓଭରରେ ଯୋଡ଼ି ଭାଙ୍ଗିଥିଲେ ପ୍ରସିଦ୍ଧ କ୍ରିଷ୍ଣା । ଡିକୱେଲା ୮୦ ରନ କରି ଆଉଟ୍ ହୋଇଥିଲେ । ଏହାପରେ କେଶର ନୂୱାନ୍ଥା(୨)ଙ୍କୁ ଆଉଟ୍ କରି ଜାଡ଼େଜା ଟେଷ୍ଟ କ୍ରିକେଟ୍ରେ ୩୫୦ ୱିକେଟ୍ ପୂରଣ କରିଥିଲେ । ଦିନୁଶା ଶତକ ଅର୍ଜନ କରିବା ପରେ ଲୟ ହରାଇଥିଲେ । ୪ଚୌକା ଓ ୨ ଛକା ବଳରେ ୧୦୦ ରନ କରି ସେ ଜାଡ଼େଜାଙ୍କ ତୃତୀୟ ଶିକାର ସାଜିଥିଲେ । ପରବର୍ତ୍ତୀ ୧୦ ରନ ମଧ୍ୟରେ ଶ୍ରୀଲଙ୍କା ଶେଷ ୨ଟି ୱିକେଟ୍ ହରାଇ ମୋଟ୍ ୨୮୪ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ସୂତାର ଉଭୟ ୱିକେଟ୍ ନେଇ ୪ୱିକେଟ୍ ସଫଳତା ଅର୍ଜନ କରିଥିଲେ । ଅପରାହ୍ଣରେ ପାଗ ବଦଳି ଯାଇଥିଲା । କୋହଲା ପାଗରେ ଆଲୋକର ଅଭାବ ଯୋଗୁଁ ୧୩ ଓଭର ବାକି ଥାଇ ଷ୍ଟମ୍ପ ଘୋଷଣା କରାଯାଇଥିଲା ।
ସୌଜନ୍ୟ ପ୍ରମେୟ




