India Chem 2026: ଦ୍ରୁତ ଗତିରେ ଆଗଉଛି ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା: ମୁଖ୍ୟମନ୍ତ୍ରୀ
ମୁମ୍ବାଇର ବମ୍ବେ ଏକ୍ସିବିସନ୍ ସେଣ୍ଟରଠାରେ 'ଇଣ୍ଡିଆ କେମ୍ ୨୦୨୬'ର ୧୪ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ଶିଳ୍ପ ମହାକୁମ୍ଭରେ...

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇର ବମ୍ବେ ଏକ୍ସିବିସନ୍ ସେଣ୍ଟରଠାରେ ‘ଇଣ୍ଡିଆ କେମ୍ ୨୦୨୬’ର ୧୪ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଫିକି (FICCI)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ଶିଳ୍ପ ମହାକୁମ୍ଭରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍ ଓ ପେଟ୍ରୋକେମିକାଲ୍-ଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର କରାଇବାର ସଂକଳ୍ପ ପ୍ରକାଶ କରିଛନ୍ତି। ୨୦୪୦ ସୁଦ୍ଧା ଭାରତର ୧ ଟ୍ରିଲିୟନ୍ ଡଲାରର କେମିକାଲ୍ ଅର୍ଥନୀତି ଲକ୍ଷ୍ୟକୁ ସାକାର କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଏବଂ ସମୃଦ୍ଧ ଓଡ଼ିଶାର ଅଂଶୀଦାର ହେବାକୁ ଆହ୍ୱାନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ଖଣିଭିତ୍ତିକ ଅର୍ଥନୀତିରୁ ଏକ କେମିକାଲ୍-ଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର ହେବାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ରାଜ୍ୟର ଖଣିଜ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି ଏବଂ ନୂତନ ନିବେଶ ସୁଯୋଗଗୁଡ଼ିକୁ କାମରେ ଲଗାଇ ଏହି ରୂପାନ୍ତରଣ କରାଯିବ ବୋଲି ସେ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପାରାଦୀପ, ଗୋପାଳପୁର ଏବଂ ଧାମରା ବନ୍ଦର ମାଧ୍ୟମରେ ଓଡ଼ିଶାର ରଣନୈତିକ ସୁବିଧାଗୁଡ଼ିକୁ ଆଲୋକପାତ କରିଥିଲେ, ଯାହାକି ଆଭ୍ୟନ୍ତରୀଣ ଏବଂ ଆନ୍ତର୍ଜାତିକ ବଜାର ସହିତ ସଂଯୋଗ ସ୍ଥାପନ କରିବାରେ ସହାୟକ ହେଉଛି। ସେ ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜନ (PCPIR), ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ଼ର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଏବଂ ପାରାଦୀପର ପ୍ଲାଷ୍ଟିକ୍ ପାର୍କର ଗୁରୁତ୍ୱକୁ କହି ପଲିମର, ପ୍ୟାକେଜିଂ ଏବଂ ଟେକ୍ନିକାଲ୍ ଟେକ୍ସଟାଇଲ୍ସ କ୍ଷେତ୍ରରେ ଡାଉନ୍ଷ୍ଟ୍ରିମ୍ ସୁଯୋଗ ସୃଷ୍ଟି କରୁଛି ବୋଲି କହିଥିଲେ।
ସୌଜନ୍ୟ ସମ୍ବାଦ




