ୱାସିଂଟନ: ଭାରତ ସହ ଖୁବ୍ଶୀଘ୍ର ବାଣିଜ୍ୟ ରାଜିନାମା ହେବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶା ପ୍ରକଟ କରିଛନ୍ତି। ଚଢ଼ା ଟିକସ ଲଗାଉଥିବା ଭାରତକୁ ସମାଲୋଚନା କରିବାକୁ ସେ ଭୁଲିନାହାନ୍ତି। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ଭାରତ ଆମର ଫାଇଦା ଉଠାଉଥିଲା। ଆମେ ଉପରେ ସେମାନେ ଚଢ଼ା ଟିକସ ଲଗାଇଥିଲେ, କିନ୍ତୁ କିଛି ବି ଦେଉନଥିଲେ। ଏବେ କିନ୍ତୁ ତାହା ବଦଳିଛି। ଆମେ ଭାରତ ମାଧ୍ୟମରେ ଆୟ କରିପାରୁଛୁ ବୋଲି ସେ କହିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ କରୁଥିବା ଟ୍ରମ୍ପ କହିବା ସହ ସେ ମୋର ଜଣେ ଭଲ ବନ୍ଧୁ ବୋଲି କହିଛନ୍ତି। ଆମ ଭିତରେ ସମ୍ପର୍କ ବହୁତ ଭଲ ଅଛି ବୋଲି ହ୍ବାଇଟ୍ ହାଉସ୍ରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି। ସେ ପୁଣି ଥରେ ସେହି ପୁରୁଣା ହାର୍ଲି ଡେଭିଡ୍ସନ୍ ଟିକସ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଭାରତ ତାହା ଉପରେ ୨୦୦ ପ୍ରତିଶତ ଟିକସ ଲଗାଇଥିଲା। ତେଣୁ ସେମାନେ ବାଧ୍ୟ ହୋଇ ଭାରତରେ ସେମାନଙ୍କ କାରଖାନା ବସାଇଥିଲେ। ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ସେହି ଘଟଣା ମୋ ପୂର୍ବ ସରକାର ସମୟରେ ଘଟିଥିଲା ବୋଲି ଟ୍ରମ୍ପ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନାକୁ ନେଇ କଥାବାର୍ତ୍ତା ଜାରି ରହିଛି। ଆମେରିକା ପ୍ରତିନିଧି ଭାରତ ଆସି ଆଲୋଚନା କରୁଛନ୍ତି। ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଥିଲେ ଯେ ରାଜିନାମାର ୯୯ ପ୍ରତିଶତ ଚୂଡ଼ାନ୍ତ ହୋଇସାରିଛି। ଅବଶିଷ୍ଟ ୧ ପ୍ରତିଶତର ମୁଲଚାଲ ଚାଲିଛି। ସେଗୁଡ଼ିକୁ କିନ୍ତୁ ବୈଷୟିକ ବିଷୟ ବୋଲି ସେ କହିଥିଲେ। ଏକ ଅନ୍ତରୀଣ ବାଣିଜ୍ୟ ବୂଝାମଣା ଫ୍ରେମ୍ୱର୍କ ସମ୍ପର୍କରେ ଉଦୟ ଦେଶ ଗତ ଫେବ୍ରୁଆରି ୭ରେ ଘୋଷଣା କରିଥିଲେ। କିନ୍ତୁ ଏହାର କିଛିଦିନ ପରେ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ। ତାପରେ ଟ୍ରମ୍ପ ଲଗାଇଥିବା ଆଉ ୧୦ ପ୍ରତିିଶତ ଶୁଳ୍କକୁ ମଧ୍ୟ ଅନ୍ୟ ଏକ କୋର୍ଟ ବେଆଇନ ବୋଲି କହିଛନ୍ତି। ଶୁଳ୍କକୁ ନେଇ ଏଭଳି ଅନିଶ୍ଚିତତା ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଜାରି ରହିଛି। ଗତବର୍ଷ ଭାରତ ଉପରେ ଟ୍ରମ୍ପ ୨୫ ପ୍ରତିଶତ ପାଲଟା ଶୁଳ୍କ ଏବଂ ରୁଷରୁ ତେଲ କିଣୁଥିବାରୁ ୨୫ ପ୍ରତିଶତର ଜରିମାନା ଶୁଳ୍କ ଲଗାଇଥିଲେ। ଚଳିତ ବର୍ଷ କିନ୍ତୁ ପାଲଟା ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିବା ସହ ଜରିମାନା ବାବଦ ଶୁଳ୍କକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଥିଲେ।
ସୌଜନ୍ୟ ସମ୍ବାଦ

