ଦେଶ ବିଦେଶ

Indian navy: ନୌସେନା ପାଇଁ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି

ଭାରତୀୟ ନୌସେନାର ସାମରିକ କ୍ଷମତା ବୃଦ୍ଧି ପାଇଁ ୮ଟି ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ୪୦ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା...

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସାମରିକ କ୍ଷମତା ବୃଦ୍ଧି ପାଇଁ ୮ଟି ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ୪୦ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟି (ସିସିଏସ୍‌) ବୈଠକରେ ଏହି ମଞ୍ଜୁରି ମିଳିଛି। ଆସନ୍ତା କିଛି ଦିନ ମଧ୍ୟରେ ଏଥିପାଇଁ ଦୁଇଟି ସରକାରୀ ଜାହାଜ ନିର୍ମାଣ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର ହେବାର ଆଶା ରହିଛି।

ଏହି ଜାହାଜଗୁଡ଼ିକୁ କୋଲକାତାର ଗାର୍ଡେନ୍‌ ରିଚ୍‌ ସିପ୍‌ବିଲ୍ଡର୍ସ ଆଣ୍ଡ୍‌ ଇଞ୍ଜିନିୟର୍ସ (ଜିଆର୍‌ଏସ୍‌ଇ) ଏବଂ ଗୋଆ ସିପ୍‌ୟାର୍ଡ ଲିମିଟେଡ୍‌ ନିର୍ମାଣ କରିବେ। ଏହି ପ୍ରକଳ୍ପ ଦେଶରେ ଯୁଦ୍ଧଜାହାଜ ନିର୍ମାଣ କ୍ଷମତା ବଢ଼ାଇବା ସହ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଆଗକୁ ନେବ। ଏହି ଯୁଦ୍ଧଜାହାଜଗୁଡ଼ିକୁ ‘ନେକ୍ସଟ୍ ଜେନେରେସନ୍‌ କର୍ଭେଟ୍‌’ କୁହାଯାଉଛି। ପ୍ରତ୍ୟେକ ଜାହାଜର ଓଜନ ପ୍ରାୟ ୨ ହଜାର ଟନ୍‌ ହେବ ଏବଂ ଏହା ପ୍ରାୟ ୩୦ ନଟ୍‌ (ସାମୁଦ୍ରିକ ମାଇଲ ଘଣ୍ଟା ପ୍ରତି) ବେଗରେ ଗତି କରିପାରିବ। ଭାରତୀୟ ନୌସେନା ନିଜସ୍ୱ ଭାବେ ଏଗୁଡ଼ିକର ଷ୍ଟିଲ୍‌ଥ୍‌ ଡିଜାଇନ୍‌ ପ୍ରସ୍ତୁତ କରିବ। ଏହି ପ୍ରଯୁକ୍ତି ଜାହାଜକୁ ଶତ୍ରୁପକ୍ଷର ରାଡାର୍‌ରେ ସହଜରେ ଚିହ୍ନଟ ହେବାରୁ ରକ୍ଷା କରିବାରେ ସହାୟକ ହେବ।

ଏଗୁଡ଼ିକ ବହୁମୁଖୀ ଯୁଦ୍ଧଜାହାଜ ହେବ। ସମୁଦ୍ରପୃଷ୍ଠରେ ଶତ୍ରୁ ଜାହାଜ ବିରୋଧରେ ଆକ୍ରମଣ, ବୁଡ଼ାଜାହାଜର ମୁକାବିଲା ଏବଂ ଆକାଶପଥରୁ ଆସୁଥିବା ଆକ୍ରମଣକୁ ପ୍ରତିହତ କରିବା ଏହାର ପ୍ରମୁଖ କାର୍ଯ୍ୟ ହେବ। ଏହା ସହ ଉପକୂଳ ସୁରକ୍ଷା, ସମୁଦ୍ରରେ ନିରୀକ୍ଷଣ, ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏଗୁଡ଼ିକ ବ୍ୟବହାର ହୋଇପାରିବ। ପ୍ରକଳ୍ପରେ ୭୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପାଦାନ ବ୍ୟବହାର କରାଯିବ। ଏହାଦ୍ୱାରା ଦେଶୀୟ ପ୍ରତିରକ୍ଷା ଶିଳ୍ପ, ଛୋଟ ଓ ମଧ୍ୟମ ଉଦ୍ୟୋଗ ଏବଂ ନିଯୁକ୍ତି କ୍ଷେତ୍ର ଉପକୃତ ହେବା ଆଶା ରହିଛି। ଆସନ୍ତା ଏକ ବର୍ଷ ମଧ୍ୟରେ ପ୍ରଥମ ଯୁଦ୍ଧଜାହାଜର ନିର୍ମାଣ ଆରମ୍ଭ ହୋଇପାରେ। ୨୦୩୦ ସୁଦ୍ଧା ପ୍ରଥମ ଜାହାଜ ନୌସେନାକୁ ହସ୍ତାନ୍ତର କରିବା ଲକ୍ଷ୍ୟ ରଖାଯାଇଛି। ଭାରତ ମହାସାଗର ଅଞ୍ଚଳରେ ବଢ଼ୁଥିବା ସାମୁଦ୍ରିକ ସୁରକ୍ଷା ଆହ୍ୱାନ ଏବଂ ଚୀନ୍‌ର ବର୍ଦ୍ଧିତ ଉପସ୍ଥିତି ମଧ୍ୟରେ ଏହି ପ୍ରକଳ୍ପ ଭାରତୀୟ ନୌସେନାର କ୍ଷମତା ବଢ଼ାଇବ ବୋଲି ଆଶା କରାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button