ବେଙ୍ଗାଲୁରୁ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ମହାସମର । ଆଇପିଏଲ୍ର ୧୯ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଶନିବାର ଡିଫେଣ୍ଡିଂ ଚାମ୍ପିଅନରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯିବ । ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଆରମ୍ଭ ହେବ । ଷ୍ଟାରସ୍ପୋର୍ଟ୍ସ ଓ ଜିଓ ହଟଷ୍ଟାର ଓଟିଟି ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ସିଧା ପ୍ରସାରଣ କରାଯିବ ।
RCB_SRH ଫାଇଟ୍:
ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍କୁ ନେଇ କ୍ରିକେଟ ମଇଦାନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି । କିନ୍ତୁ ଚଳିତ ବର୍ଷ ଆଇପିଏଲ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ ନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଜି କାହାର ପଲା ଭାରି ରହିବ?
ଫୁଲ୍ ଫର୍ମରେ ଆରସିବି:
ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ ଲାଇନ୍-ଅପ୍। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ହେଉ କିମ୍ବା ଅନ୍ୟ କୌଣସି ମଇଦାନ, ଆରିସିବିର ବ୍ୟାଟରମାନେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି । ତେବେ ଡେଥ୍ ଓଭରରେ ବୋଲିଂ ଏବେ ମଧ୍ୟ ଆରସିବି ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ। ଯଦି ବୋଲରମାନେ ରନ୍ ରୋକିବାରେ ସଫଳ ହୁଅନ୍ତି, ତେବେ ଆରସିବିକୁ ହରାଇବା କଷ୍ଟକର ହେବ।
କମ୍ ନୁହେଁ SRH:
ସେପଟେ, ସନରାଇଜର୍ସ ହାଇଦ୍ରାବାଦ ସବୁବେଳେ ନିଜର ଶାଣିତ ବୋଲିଂ ଏବଂ ବିସ୍ଫୋରକ ଓପନିଂ ପାଇଁ ଜଣାଶୁଣା । ଗତ ସିଜନ ଭଳି ଏଥର ମଧ୍ୟ ଦଳ ପାଖରେ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ପାୱାରପ୍ଲେ’ରେ ମ୍ୟାଚ୍ର ଗତିପଥ ବଦଳାଇ ଦେଇପାରନ୍ତି। ହାଇଦ୍ରାବାଦର ମଧ୍ୟକ୍ରମ ବ୍ୟାଟିଂ ଏବଂ ଅଲରାଉଣ୍ଡରଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରୁଛି । ସେମାନଙ୍କ ପାଖରେ ଥିବା ବିଶ୍ୱସ୍ତରୀୟ ପେସ୍ ବୋଲରମାନେ ଆରସିବିର ବ୍ୟାଟରଙ୍କ ପାଇଁ କାଳ ସାଜିପାରନ୍ତି।
ସୌଜନ୍ୟ Prameya News7
