ଦେଶ ବିଦେଶ

Iran: ଅନ୍ତର୍ଜାତୀୟ କୂଟନୈତିକ ପ୍ରୟାସ ବାଧାପ୍ରାପ୍ତ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଆମେରିକା ଉପରେ ବର୍ଷିଲା ତେହେରାନ

ଏବେ ପରିଣାମ ଭୋଗିବ: ଟ୍ରମ୍ପ ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୀଷଣ ସାମରିକ ସଂଘର୍ଷ ମଧ୍ୟରେ ଇରାନ ପକ୍ଷରୁ ଆଜିଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଦକ୍ଷିଣ ଇରାନର ବିଭିନ୍ନ ସାମରିକ ଘାଟି ଉପରେ ଗତରାତିରେ ଆମେରିକା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ ପରେ, ଅନ୍ତର୍ଜାତୀୟ ଶାନ୍ତି ପ୍ରୟାସକୁ ବହୁତ ଧକ୍କା ହୋଇଛି ବୋଲି ଇରାନ ଅଭିଯୋଗ କରିଛି।

ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୀଷଣ ସାମରିକ ସଂଘର୍ଷ ମଧ୍ୟରେ ଇରାନ ପକ୍ଷରୁ ଆଜିଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଦକ୍ଷିଣ ଇରାନର ବିଭିନ୍ନ ସାମରିକ ଘାଟି ଉପରେ ଗତରାତିରେ ଆମେରିକା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ ପରେ, ଅନ୍ତର୍ଜାତୀୟ ଶାନ୍ତି ପ୍ରୟାସକୁ ବହୁତ ଧକ୍କା ହୋଇଛି ବୋଲି ଇରାନ ଅଭିଯୋଗ କରିଛି। ବୁଧବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୱାସିଂଟନର ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ ଯୁଦ୍ଧ ଶେଷ କରିବା ପାଇଁ ଜାରି ରହିଥିବା କୂଟନୈତିକ ଆଲୋଚନାକୁ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ କରୁଛି।

ଇରାନ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଏକ ଭିଡିଓ ବାର୍ତ୍ତାରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏସମାଏଲ ବାକାଏଇ ଆମେରିକାର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ, ଆମେରିକା ବିଭିନ୍ନ ସମୟରେ ଦ୍ୱନ୍ଦ୍ୱାତ୍ମକ ବାର୍ତ୍ତା ପଠାଉଛି। ନିଜର ସ୍ଥିତି ଏବଂ ଦାବିଗୁଡ଼ିକୁ ବାରମ୍ବାର ବଦଳାଉଛି। ଏହା ସହିତ ସବୁଠାରୁ ଖରାପ କଥା ହେଉଛି, ଆମେରିକା ବାରମ୍ବାର ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରୁଛି। ଆମେରିକାର ଏହି ମନୋଭାବ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା କୂଟନୈତିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ନଷ୍ଟ ହେବାରେ ଲାଗିଛି।

ଇରାନ ମୁଖପାତ୍ର ନିଜ ବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି ଯେ, ସାମରିକ ଶକ୍ତି ପ୍ରଦର୍ଶନ ଏବଂ ଆଲୋଚନା ଏକାସଙ୍ଗେ ଚାଲିପାରିବ ନାହିଁ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ ଏବେ ସୁଯୋଗ ହରାଇଛି ଏବଂ ଶାନ୍ତି‌ ଚୁକ୍ତିରେ ସ୍ବାକ୍ଷର କରିବାରେ ବହୁତ ବିଳମ୍ବ କରିଛି। ଇରାନ ସେନା ସମ୍ପୂର୍ଣ୍ଣ ପରାସ୍ତ ହୋଇଥିବା ଦାବି କରି ଟ୍ରମ୍ପ କହିଛନ୍ତି ଯେ ୱାସିଂଟନ୍ ସହିତ ଏକ ଚୁକ୍ତିରେ ସ୍ବାକ୍ଷର କରିନଥିବାରୁ ବର୍ତ୍ତମାନ ଇରାନ ପରିଣାମ ଭୋଗିବ। ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇରାନର ସାମରିକ କ୍ଷମତା ସାଂଘାତିକ ଭାବରେ ହ୍ରାସ ପାଇଛି ଏବଂ ଆମେରିକା ସହିତ ଏକ ଚୁକ୍ତି ହାସଲ କରିବାର ସୁଯୋଗକୁ ନଷ୍ଟ କରୁଛି। ଟ୍ରମ୍ପ କହିଛନ୍ତି, ଇରାନର ନୌସେନା ଏବଂ ବାୟୁସେନା ପ୍ରାୟ ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରୁ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ପରସ୍ପର ଉପରେ ଆକ୍ରମଣ ଯୋଗୁ ଏହା ଭଣ୍ଡୁର ହୋଇଛି।

ଇରାନକୁ କଦାପି ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ନେତାନ୍ୟାହୁ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ସ୍ପଷ୍ଟ କରିଛନ୍ତି ଯେ ଇରାନକୁ କଦାପି ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ଇସ୍ରାଏଲର ଲକ୍ଷ୍ୟ ଇରାନର ସାମରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ଏବଂ ଏହି ଲକ୍ଷ୍ୟରେ ଆମେ ଅଗ୍ରସହ ହେଉଛୁ ବୋଲି ସେ କହିଛନ୍ତି। ଏହା ସହିତ ହେଜବୁଲ୍ଲା ସଂଗଠନର ମୂଳୋତ୍ପାଟନ କରିବା ମଧ୍ୟ ଆମ ପ୍ରାଥମିକତା ବୋଲି ନେତାନ୍ୟାହୁ କହିଛନ୍ତି। ଇସ୍ରାଏଲ ନିଜ ସୁରକ୍ଷା ପାଇଁ ମଧ୍ୟପ୍ରାଚ୍ୟ ରଣନୀତିରେ କୌଣସି ସାଲିସ କରିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଥିବା ବେଳେ ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବାରୁ ଆଗକୁ ଏକ ମହାଯୁଦ୍ଧର ସଙ୍କେତ ମିଳୁଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button