Iran: ଆମକୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଛି ଇରାନ: ଅଭିଯୋଗ ଆଣିଲେ ଲେବାନନ ରାଷ୍ଟ୍ରପତି

ବେରୁଟ:ଲେବାନନ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ଇରାନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ବିବାଦରେ ଲେବାନନ୍କୁ ଇରାନ ନିଜ ସ୍ବାର୍ଥ ପାଇଁ ଏକ ମୋହରା ଭାବରେ ବ୍ୟବହାର କରୁଛି। ଏକ ସାକ୍ଷାତକାରରେ, ଆଉନ୍ କହିଛନ୍ତି, ଲେବାନନ ଲୋକମାନେ ଯୁଦ୍ଧ ଯୋଗୁଁ ହଇରାଣ ହେବାରେ ଲାଗିଛନ୍ତି। ସେମାନେ ଏବେ ଶାନ୍ତି ଚାହୁଁଛନ୍ତି। ଲେବାନନ୍ ଲୋକମାନେ ସମ୍ମାନ ଏବଂ ସୁରକ୍ଷାର ଜୀବନ ବଞ୍ଚିବା ପାଇଁ ଯୋଗ୍ୟ। ସେମାନେ ପ୍ରତି କିଛି ବର୍ଷ ଅନ୍ତରରେ ସେମାନଙ୍କର ଘର ନଷ୍ଟ ହେଉ ବୋଲି ଚାହାଁନ୍ତି ନାହିଁ। ୧୯୮୦ ଦଶକରେ ଇରାନ ସମର୍ଥନରେ ଗଠିତ ହିଜବୋଲ୍ଲା ଇସ୍ରାଏଲ ବିରୋଧରେ ଅନେକ ଯୁଦ୍ଧ କରିଛି। ଚଳିତ ବର୍ଷ, ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ହିଜବୁଲ୍ଲା ଇସ୍ରାଏଲ ଉପରେ ରକେଟ ମାଡ଼ କରିଥିଲା। ପରବର୍ତ୍ତୀ ସମୟରେ ଇସ୍ରାଏଲ ଲେବାନନରେ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣରେ ୩,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଦେଶର ପ୍ରାୟ ୨୦% ଜନସଂଖ୍ୟା ବାଧ୍ୟ ହୋଇ ନିଜ ଭିଟାମାଟି ଛାଡିଛନ୍ତି।
ଇସ୍ରାଏଲ ସହିତ ସଂଘର୍ଷ ସମାପ୍ତ କରିବା
ଲେବାନନ ସରକାର ଦୀର୍ଘ ଦିନ ଧରି ବିଦେଶୀ ହସ୍ତକ୍ଷେପ, ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ଆଞ୍ଚଳିକ ସଂଘର୍ଷ ସହିତ ସଂଘର୍ଷ କରିଆସୁଛନ୍ତି। ଆଉନ୍ କହିଛନ୍ତି, ଇସ୍ରାଏଲ ସହିତ ସଂଘର୍ଷ ସମାପ୍ତ କରିବା ପାଇଁ ତାଙ୍କ ସରକାର ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ କରିବା ଏବଂ ପ୍ରଭାବ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି)କୁ ଟାର୍ଗେଟ କରି ରାଷ୍ଟ୍ରପତି କହିଛନ୍ତି, ‘‘ଏହା ତୁମର ଦେଶ ନୁହେଁ, ଏହା ଆମର ଦେଶ। ଇରାନ ଆମେରିକା ସହିତ ଆଲୋଚନାରେ ଲେବାନନକୁ ବ୍ୟବହାର କରୁଛି। ଲେବାନନବାସୀ ଏହାର ମୂଲ୍ୟ ଦେଉଛନ୍ତି। ଆମର ସ୍ୱାର୍ଥ ଏବଂ ଇରାନର ସ୍ୱାର୍ଥ ସମାନ ନୁହେଁ।’’
ଆଉନ୍ କହିଛନ୍ତି ଯେ, ତାଙ୍କ ସରକାର ଇସ୍ରାଏଲ ସହିତ ସିଧାସଳଖ ଆଲୋଚନା ଏବଂ ଅସ୍ତ୍ରବିରତି ଚୁକ୍ତିନାମା ପାଇଁ ପ୍ରସ୍ତୁତ। ଲେବାନନ ଏବଂ ଇସ୍ରାଏଲ ପାଖରେ ଦଶନ୍ଧି ଧରି ଚାଲିଥିବା ଶତ୍ରୁତାକୁ ଶେଷ କରିବା ପାଇଁ ଏକ ମହାନ ସୁଯୋଗ ଅଛି। ସେ କହିଛନ୍ତି ଯେ ଉଭୟ ଦେଶର ଲୋକମାନେ ୧୯୪୮ ମସିହାରୁ ସଂଘର୍ଷର ଶିକାର ହୋଇଛନ୍ତି ଏବଂ ଏବେ ସେମାନେ ଯୁଦ୍ଧ ନୁହେଁ, ଆଲୋଚନା ଏବଂ କୂଟନୀତିର ପଥ ବାଛିବା ଉଚିତ୍। ଆଉନ୍ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ଯୁଦ୍ଧର ଯନ୍ତ୍ରଣା ଅନୁଭବ କରିଛନ୍ତି ଏବଂ ଏବେ ବି ତାଙ୍କ ଶରୀରରେ ଯୁଦ୍ଧ ସମୟରେ ହୋଇଥିବା କ୍ଷତର ଚିହ୍ନ ରହିଛି। ଯେକୌଣସି ସମସ୍ୟାର ସର୍ବୋତ୍ତମ ସମାଧାନ ଯୁଦ୍ଧ ନୁହେଁ, ବରଂ ଆଲୋଚନା ଏବଂ କୂଟନୀତି। ସେ କହିଛନ୍ତି, ସେ ହିଜବୁଲ୍ଲାକୁ ମନାଇବାକୁ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାର ଚେଷ୍ଟା ଜାରି ରଖିବେ। ଏହା ଏକ ସହଜ ପଥ ନହେଲେ ବି ସେ ପ୍ରୟାସ କରିବେ।
ତେବେ ହିଜବୁଲ୍ଲାର ମୁଖ୍ୟ ନଇମ କାସେମ ଲେବାନନ-ଇସ୍ରାଏଲ ଆଲୋଚନାକୁ ଆତ୍ମସମର୍ପଣ ବୋଲି କହି ଖଣ୍ଡନ କରିଦେଇଛନ୍ତି। କାସେମ କହିଛନ୍ତି ଯେ, ଇସ୍ରାଏଲୀ ସେନା ଲେବାନନ ମାଟି ନଛାଡିବା ପର୍ଯ୍ୟନ୍ତ ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ର ପ୍ରୟୋଗ ଜାରି ରଖିବ।
ସୌଜନ୍ୟ ସମ୍ବାଦ




