ଜାତୀୟ

ଦକ୍ଷିଣ ଲେବାନନ୍‌କୁ ଗାଜାରେ ପରିଣତ କରୁଛି ଇସ୍ରାଏଲ

ବେରୁଟ୍‌: ଦକ୍ଷିଣ ଲେବାନନ୍‌କୁ ହିଜବୁଲ୍ଲାର ଗଡ଼ କୁହାଯାଉଥିବାବେଳେ ଇସ୍ରାଏଲ ଏହା ଉପରେ ଲଗାତର ଆକ୍ରମଣ କରୁଛି। ଆକାଶମାର୍ଗରୁ ବୋମାମାଡ଼ ସହିତ ସୀମାରେ ଥିବା ଗାଁଗୁଡ଼ିକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଉଥିବାବେଳେ ସେଠାରେ ଇସ୍ରାଏଲର ସୈନିକଙ୍କ ପାଇଁ ନୂଆ ସ୍ଥାୟୀ କୋଠା ନିର୍ମାଣ କରାଯାଉଛି। ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ସୈନିକମାନେ ଇସ୍ରାଏଲ ଖବରକାଗଜ ହାରେଜ୍‌କୁ କହିଛନ୍ତି ଯେ ସେମାନଙ୍କ ବାହିନୀ ଦକ୍ଷିଣ ଲେବାନନର ଗ୍ରାମଗୁଡ଼ିକୁ ଗାଜା ଷ୍ଟ୍ରିପରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି।

ରିପୋର୍ଟ ଅନୁଯାୟୀ, ନୂତନ ସାମରିକ ପୋଷ୍ଟ ନିର୍ମାଣ ପାଇଁ ବୁଲଡୋଜରଗୁଡ଼ିକ ସୀମା ବାଡ଼ ନିକଟରେ ଥିବା ଗ୍ରାମଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଜଣେ ସୈନିକ କହିଛନ୍ତି ଯେ, ନୂତନ କୋଠାଗୁଡ଼ିକ ସ୍ଥାୟୀ ମନେହେଉଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଇସ୍ରାଏଲ ସୈନିକମାନେ ଲେବାନନର ଲିଟାନି ନଦୀର ପ୍ରାୟ ୨୦ କିଲୋମିଟର ଦକ୍ଷିଣରେ ସୀମାଠାରୁ ତୃତୀୟ ଲାଇନ ଗ୍ରାମକୁ ଅଗ୍ରସର ହୋଇଛନ୍ତି। ହିଜବୁଲ୍ଲା ଆତଙ୍କୀଙ୍କୁ ଲିଟାନି ନଦୀର ଉତ୍ତର ପର୍ଯ୍ୟନ୍ତ ଘଉଡ଼େଇ ଦେବା ଲକ୍ଷ୍ୟରେ ଇସ୍ରାଏଲ ସେନା ସୀମା ନିକଟରେ ଦକ୍ଷିଣ ଲେବାନନରେ ଅତିରିକ୍ତ ଆଉଟପୋଷ୍ଟ ସ୍ଥାପନ କରୁଥିବା ରିପୋର୍ଟରେ କୁହାଯାଇଛି। ନଭେମ୍ବର ୨୦୨୪ ଯୁଦ୍ଧବିରତି ବୁଝାମଣା ଅନୁଯାୟୀ, ଗତମାସ ଇସ୍ରାଏଲ ଏହାର ସ୍ଥଳପଥ ଅପରେସନବେଳେ ଏଠାରେ ୫ଟି ଆଉଟପୋଷ୍ଟ ନିର୍ମାଣ କରିଥିଲେ। ବର୍ତ୍ତମାନ ଏହି ସଂଖ୍ୟା ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button