ତେହେରାନ: ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବା ପରେ ଇରାନ ୟୁରୋପୀୟ ସେନା ଉପରେ ମଧ୍ୟ ଯେସାକୁ ତେସା ନୀତି ଗ୍ରହଣ କରିଛି। ଇରାନ ୟୁରୋପୀୟ ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଛି। ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡ ଦେଶରେ ସାଧାରଣ ଲୋକଙ୍କ ପ୍ରତିବାଦ ସମୟରେ କଡା ପଦକ୍ଷେପ ଗ୍ରହଣ କରିଥିଲା।
ତେଣୁ ୟୁରୋପୀୟ ସଂଘ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲା। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ କହିଛନ୍ତି, ତେହେରାନ ଏବେ ସମସ୍ତ ୟୁରୋପୀୟ ସଂଘର ସାମରିକ ବାହିନୀକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଦେଖୁଛି। ଦେଶବ୍ୟାପୀ ସରକାର ବିରୋଧୀ ପ୍ରତିବାଦର ହିଂସାତ୍ମକ ଦମନ ପାଇଁ ଇରାନର ଅର୍ଦ୍ଧସାମରିକ ଇସଲାମିକ ରିଭଲ୍ୟୁସନରୀ ଗାର୍ଡ କର୍ପସକୁ ଇୟୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପରେ ମହମ୍ମଦ ବାଘେର କାଲିବାଫଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି ।
ଇୟୁ ଏଭଳି ମନ୍ତବ୍ୟ ପ୍ରଦାନ କରି ନିଜ ପାଦରେ ଗୁଳି ଚଳାଇଛି ବୋଲି କାଲିବାଫ୍ କହିଛନ୍ତି। ଆମେରିକା କଥାରେ ପଡ଼ି ଇୟୁ ଏଭଳି କହିଥିବା ସେ ଅଭିଯୋଗ ଆଣିଛନ୍ତି। ପ୍ରତିକାର ଆଇନର ଧାରା ୭ ଅନୁଯାୟୀ, ୟୁରୋପୀୟ ଦେଶଗୁଡ଼ିକର ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ବିବେଚନା କରାଯାଉଥିବା ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ
