ମସ୍କୋ/ନୂଆଦିଲ୍ଲୀ,୧୯/୩: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ଗତ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଧୀରେ ଧୀରେ ସମଗ୍ର ବିଶ୍ୱକୁ ନିଜ କବଳକୁ ନେବାରେ ଲାଗିଛି। ଇସ୍ରାଏଲ ପକ୍ଷରୁ ଇରାନର ପ୍ରମୁଖ ଗ୍ୟାସ ପ୍ଲାଣ୍ଟଗୁଡ଼ିକୁ ଟାର୍ଗେଟ କରାଯିବା ପରେ ଇରାନ ମଧ୍ୟ ପାଲଟା ଜବାବ ଦେଇ ଆରବ ଦେଶଗୁଡ଼ିକର ତୈଳ ଏବଂ ଗ୍ୟାସ ଭଣ୍ଡାର ଉପରେ ଆକ୍ରମଣ କରିଛି। ଏହି ପରିସ୍ଥିତିରେ ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ରୁଷ ଏବେ ଭାରତକୁ ଏହି ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛି। ରୁଷର କହିବା ଅନୁଯାୟୀ, ଭାରତ ଭଳି ଏକ ପ୍ରଭାବଶାଳୀ ଓ ଶକ୍ତିଶାଳୀ ରାଷ୍ଟ୍ର ହିଁ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଏହି ରକ୍ତାକ୍ତ ସଂଘର୍ଷକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ରୁଷ ଅଭିଯୋଗ କରିଛି ଯେ ଆମେରିକା ଓ ଇସ୍ରାଏଲ ବିନା କୌଣସି ଠୋସ କାରଣରେ ଇରାନ ଉପରେ ଆକ୍ରମଣ କରିଛନ୍ତି।
ଏହି ଯୁଦ୍ଧର ସବୁଠାରୁ ବଡ଼ ପ୍ରଭାବ ଭାରତର ଶକ୍ତି ଆବଶ୍ୟକତା ଉପରେ ପଡ଼ିଛି। ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ୍ ପ୍ରଣାଳୀ’ ଅବରୋଧ ହେବା ଫଳରେ ଉପସାଗରୀୟ ଦେଶରୁ ଆସୁଥିବା ତୈଳ ଓ ଗ୍ୟାସ ଯୋଗାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଭାରତ ନିଜର ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ଅଶୋଧିତ ତୈଳ ଏବଂ ୬୦ ପ୍ରତିଶତ ଏଲପିଜି ଆମଦାନୀ ଉପରେ ନିର୍ଭର କରିଥାଏ। ବର୍ତ୍ତମାନର ସ୍ଥିତିରେ ଭାରତର ଅର୍ଦ୍ଧାଧିକ ତେଲ ଆମଦାନୀ ଏବଂ ପ୍ରାୟ ୩୦ ପ୍ରତିଶତ ଗ୍ୟାସ ଆମଦାନୀ ପ୍ରଭାବିତ ହୋଇଛି। ଘରୋଇ ବଜାରରେ ଏହାର ପ୍ରଭାବକୁ କମ୍ କରିବା ପାଇଁ ଭାରତ ବର୍ତ୍ତମାନ ରୁଷ ସମେତ ଅନ୍ୟ କେତେକ ଦେଶରୁ ବିକଳ୍ପ ଭାବେ ତେଲ ଆମଦାନୀ ଜାରି ରଖିଛି।
ବିଶ୍ବ ରାଜନୀତିରେ ଭାରତର ଗୁରୁତ୍ବ ବଢ଼ୁଛି
ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ବରଂ ସମଗ୍ର ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଆରବ ଦେଶଗୁଡ଼ିକ ବିପୁଳ ପରିମାଣର ଆର୍ଥିକ କ୍ଷତି ସହୁଥିବା ବେଳେ ଅନ୍ତର୍ଜାତୀୟ ସମୁଦାୟ ଏବେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତର କୂଟନୈତିକ କ୍ଷମତା ଉପରେ ନଜର ରଖିଛି। ଆଲୋଚନା ଏବଂ ସହମତି ମାଧ୍ୟମରେ ଏହି ସଙ୍କଟର ସମାଧାନ ଖୋଜିବା ପାଇଁ ରୁଷର ଏହି ନିବେଦନ ବିଶ୍ୱ ରାଜନୀତିରେ ଭାରତର ବଢୁଥିବା ଗୁରୁତ୍ୱକୁ ଦର୍ଶାଉଛି।
ସୌଜନ୍ୟ ସମ୍ବାଦ
