ୱାସିଂଟନ: ଆମେରିକା ଏବେ ସମ୍ଭାବ୍ୟ ଇରାନ ଆକ୍ରମଣକୁ ନେଇ ଭୟଭୀତ ହେବାରେ ଲାଗିଛି। ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍ବିଆଇ) କାଲିଫର୍ନିଆର ପୁଲିସ ବିଭାଗକୁ ଚେତାବନୀ ଦେଇଛି ଯେ, ଇରାନ ଆମେରିକାର ପଶ୍ଚିମ ଉପକୂଳରେ ଡ୍ରୋନ୍ ଆକ୍ରମଣ କରିପାରେ। ସତର୍କ ସୂଚନାରେ କୁହାଯାଇଛି, ଆମେରିକା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଇରାନ ଏପରି ଆକ୍ରମଣ କରିପାରେ।
ଇରାନ ଡ୍ରୋନ୍ ଦ୍ବାରା ଲକ୍ଷ୍ୟଭେଦ ପାଇଁ ଯୋଜନା କରୁଛି
ଏହି ଚେତାବନୀ ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ଆମେ ଯୁଦ୍ଧ ଜିତି ଯାଇଛୁ ବୋଲି ଘୋଷଣା କରିଛନ୍ତି। ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ ପରେ ପ୍ରତିଶୋଧମୂଳକ ଭାବେ ଇରାନ ଇସ୍ରାଏଲ ଏବଂ ମଧ୍ୟପ୍ରାଚ୍ୟରେ ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିବା ଜାରି ରଖିଛି। ଗୁଇନ୍ଦା ସୂଚନା ଆଧାରରେ ସତର୍କ ସୂଚନାରେ କୁହାଯାଇଛି, ଇରାନ ଆମେରିକୀୟ ଉପକୂଳ ନିକଟରେ ଏକ ଜାହାଜରୁ ଡ୍ରୋନ୍ ଦ୍ବାରା ଲକ୍ଷ୍ୟଭେଦ ପାଇଁ ଯୋଜନା କରୁଛି। ଏଫ୍ବିଆଇ ଚେତାବନୀରେ କୁହାଯାଇଛି, ଆମେ ସମ୍ପ୍ରତି ସୂଚନା ପାଇଛୁ ଇରାନ ଫେବ୍ରୁଆରି ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଉପକୂଳରେ ଏକ ଅଜଣା ଜାହାଜରୁ ମାନବହୀନ ବାୟୁଯାନ (ଡ୍ରୋନ୍) ବ୍ୟବହାର କରି ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା। କାଲିଫର୍ନିଆରେ ଏକ ଅଜଣା ଅଞ୍ଚଳ ଇରାନର ଟାର୍ଗେଟ ଥିଲା।
ଏଫ୍ବିଆଇ ପାଖରେ ଏପର୍ଯ୍ୟନ୍ତ ଏସମ୍ପର୍କରେ ବିସ୍ତୃତ ସୂଚନା ନାହିଁ
ଏଫ୍ବିଆଇ ପାଖରେ ଏପର୍ଯ୍ୟନ୍ତ ଏସମ୍ପର୍କରେ ବିସ୍ତୃତ ସୂଚନା ନାହିଁ। କାର୍ଯ୍ୟକ୍ଷମ ବିବରଣୀର ଅଭାବ ଅଛି। ବୋଲି ଏଫ୍ବିଆଇ କହିଛି । ଆକ୍ରମଣର ସମୟ, ପଦ୍ଧତି ଏବଂ ଲକ୍ଷ୍ୟ ବିଷୟରେ କିମ୍ବା ଅପରାଧୀମାନଙ୍କ ବିଷୟରେ କୌଣସି ସୂଚନା ନାହିଁ। ସତର୍କତାରେ କେଉଁ ସହର କିମ୍ବା ସ୍ଥାନକୁ ଟାର୍ଗେଟ କରାଯାଇପାରେ ତାହା ନିର୍ଦ୍ଦିଷ୍ଟ କରାଯାଇ ନାହିଁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ ସୂଚନାରେ ପ୍ରକାଶିତ ଚିନ୍ତାକୁ ଖଣ୍ଠନ କରିଛନ୍ତି। ଯେତେବେଳେ ପଚରାଗଲା ଯେ ସେ ଆମେରିକା ଭିତରେ ଇରାନ ପ୍ରତିଶୋଧ ନେବାର ଭୟ କରୁଛନ୍ତି କି, ଟ୍ରମ୍ପ ଉତ୍ତର ଦେଇଥିଲେ, ନା, ମୁଁ ଭୟ କରେ ନାହିଁ। ସତର୍କ ସୂଚନା ପାଇବା ପରେ କାଲିଫର୍ନିଆରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସୌଜନ୍ୟ ସମ୍ବାଦ
