ଓଡିଶାଜିଲ୍ଲା

Drinking Water Scarcity ନକ୍ସଲ ପ୍ରଭାବିତ ଚିରୁବେଡ଼ାରେ ପାନୀୟ ଜଳ ସଙ୍କଟ

ବିଶ୍ରା ବ୍ଲକ ଅଧିନସ୍ଥ ମୋନକୋ ପଞ୍ଚାୟତର ଅତି ନକ୍ସଲ ପ୍ରଭାବିତ ଚିରୁବେଡ଼ା ଅଞ୍ଚଳର ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ମିଳି ପାରିନାହିଁ।

ସୁନ୍ଦରଗଡ଼/ବିଶ୍ରା: (ଦେବ କୁମାର ଦେ) ବିଶ୍ରା ବ୍ଲକ ଅଧିନସ୍ଥ ମୋନକୋ ପଞ୍ଚାୟତର ଅତି ନକ୍ସଲ ପ୍ରଭାବିତ ଚିରୁବେଡ଼ା ଅଞ୍ଚଳର ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ମିଳି ପାରିନାହିଁ। ସ୍ୱାଧୀନତାର ଦୀର୍ଘ ଦଶକ ପରେ ମଧ୍ୟ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ଖୋଲା ଆକାଶ ତଳର ଚୁଆ ପାଣି ଉପରେ ନିର୍ଭର କରି ଜୀବନ ଯାପନ କରୁଛନ୍ତି। ଚିରୁବେଡ଼ାର କଲ୍ୟାଣ ଟୋଲି ଓ ଗିର୍ଜା ଟୋଲିରେ ବସବାସ କରୁଥିବା ଶତାଧିକ ପରିବାର ପିଇବା ପାଣି ପାଇଁ ଦିନକୁ ଦିନ କଷ୍ଟ ଭୋଗୁଛନ୍ତି।

ଗ୍ରାମର ମହିଳାମାନେ ପାହାଡ଼ିଆ କଠିନ ପଥ ଦେଇ ୨୦୦ ରୁ ୩୦୦ ମିଟର ଦୂରକୁ ନାଳାକୁ ଯାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ମୁଣ୍ଡରେ ଘଡ଼ା ନେଇ ଅତ୍ୟନ୍ତ କଷ୍ଟରେ ଘରକୁ ଫେରୁଥିବା ଦୃଶ୍ୟ ଏଠାର ଦୈନିକ ଚିତ୍ର ହେଇ ସାରିଛି। ବିଷୟଟି ଅଧିକ ଚିନ୍ତାଜନକ ଯେ, ଭାରତ ସରକାରଙ୍କ ଜଳ ଜୀବନ ମିଶନ ଯୋଜନା ଅନୁସାରେ ଘରେ ଘରେ ପାନୀୟ ଜଳ ଯୋଗେଇବା ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଚାଲିଥିବା ସତ୍ତ୍ୱେ ଏହି ଗାଁଗୁଡ଼ିକୁ ସେହି ଯୋଜନାର ସାମାନ୍ୟ ମଧ୍ୟ ଲାଭ ମିଳିନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ଜିଲ୍ଲା ଓ ବ୍ଲକ ପ୍ରଶାସନର ଉଦାସୀନତା ଓ ଆନ୍ତରିକତାର ଅଭାବ ଯୋଗୁଁ ଏହି ଆଦିବାସୀ ବହୁଳ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳଟି ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ରହିଛି।

ପାଣିର ସ୍ୱଚ୍ଛତା ନେଇ ଗଭୀର ପ୍ରଶ୍ନ ଉଠିଛି


ଖୋଲା ଅବସ୍ଥାରେ ଥିବା ଚୁଆ ପାଣିରେ ଗୃହପାଳିତ ପଶୁ, ବନ୍ୟପ୍ରାଣୀ ଓ ବିଷାକ୍ତ ସରୀସୃପ ମଧ୍ୟ ପାଣି ପିଉଥିବାରୁ ପାଣିର ସ୍ୱଚ୍ଛତା ନେଇ ଗଭୀର ପ୍ରଶ୍ନ ଉଠିଛି। ପରିସ୍ଥିତିର ବଶବର୍ତ୍ତୀ ହୋଇ ଗ୍ରାମବାସୀମାନେ ସେହି ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ମାରାତ୍ମକ ହେବାର ସମ୍ଭାବନା ରହିଛି। ରାଜ୍ୟ ଓ କେନ୍ଦ୍ର ସରକାର ନକ୍ସଲ ପ୍ରଭାବିତ ଓ ଆଦିବାସୀ ଅଞ୍ଚଳର ବିକାଶ ନେଇ ବଡ଼ ବଡ଼ ଦାବି କରୁଥିବା ବେଳେ ଚିରୁବେଡ଼ା ପରି ଗାଁର ଦୁର୍ଦଶା ଉନ୍ନତିର ଭୂମିକାକୁ ପ୍ରଶ୍ନବାଚକ କରିଛି। ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ସରକାର ଯଦି ଏହି ଅଭିଶପ୍ତ ଗାଁଗୁଡ଼ିକୁ ବିଶେଷ ଦୃଷ୍ଟି ଦେଇ ମୌଳିକ ଅଧିକାର ସୁନିଶ୍ଚିତ କରନ୍ତି, ତେବେ ନିଶ୍ଚିତ ଭାବେ ଆଦିବାସୀ ବର୍ଗର ଜୀବନମାନ ଉନ୍ନତି ପାଇବ।ସ୍ଥାନୀୟ ଲୋକଙ୍କର ମତ ଅନୁସାରେ, ଏହି ଗାଁ ଗୁଡ଼ିରେ ତୁରନ୍ତ ପାଇପ୍ ଲାଇନ୍, ନଳକୂପ କିମ୍ବା ସୋଲାର ଚାଳିତ ଜଳପ୍ରକଳ୍ପ ସ୍ଥାପନ କରାଯାଇଲେ ଏହି ଅଞ୍ଚଳର ଦୀର୍ଘଦିନର ପାଣି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button