ISI Links Arrested: ଆଇଏସ୍‌ଆଇ ଇସାରାରେ ଆକ୍ରମଣ ଯୋଜନା କରୁଥିବା ୬ଜଣ ସନ୍ଦିଗ୍ଧ ଗିରଫ

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଓ ଏକ ବାଂଲାଦେଶୀ ଆତଙ୍କବାଦୀ ନେଟୱାର୍କର ନିର୍ଦ୍ଦେଶରେ ଷଡ଼ଯନ୍ତ୍ର ରଚା ଯାଇଥିବା ଅଭିଯୋଗ ଆଧାରରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଛଅ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି।

ଚେନ୍ନାଇ: ଭାରତରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଓ ଏକ ବାଂଲାଦେଶୀ ଆତଙ୍କବାଦୀ ନେଟୱାର୍କର ନିର୍ଦ୍ଦେଶରେ ଷଡ଼ଯନ୍ତ୍ର ରଚା ଯାଇଥିବା ଅଭିଯୋଗ ଆଧାରରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଛଅ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ତାମିଲନାଡୁରୁ ଗିରଫ କରାଯାଇଛି। ସେମାନେ ଏକ ପୋଷାକ କାରଖାନାରେ କାମ କରିବାର ଆଳ ଦେଖାଇ ଲୁଚି ରହିଥିଲେ। ପ୍ରାଥମିକ ପଚରାଉଚରା ପାଇଁ ସେମାନଙ୍କୁ ଦିଲ୍ଲୀ ଅଣାଯାଉଛି।

ଗିରଫ ଅଭିଯୁକ୍ତମାନଙ୍କୁ ମିଜାନୁର ରହମାନ, ମହମ୍ମଦ ଶବତ, ଉମର, ମହମ୍ମଦ ଲିଥାନ, ମହମ୍ମଦ ଶାହିଦ ଓ ମହମ୍ମଦ ଉଜ୍ଜଲ ଭାବରେ ଚିହ୍ନଟ କରାଯାଇଛି। ତିରୁପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଉଥୁକୁଲି, ପାଲଲଡମ ଏବଂ ଥିରୁମୁରୁଗାନପୁଣ୍ଡି ରେ ଅବସ୍ଥିତ ପୋଷାକ ୟୁନିଟ୍‌ରୁ ସେମାନଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଏହି ବ୍ୟକ୍ତିମାନେ ନକଲି ଆଧାର କାର୍ଡ ବ୍ୟବହାର କରୁଥିଲେ ଓ ଦୀର୍ଘ ଦିନ ଧରି ଭାରତରେ ସକ୍ରିୟ ଥିଲେ।

ଚଢଉ ସମୟରେ ଆଠଟି ମୋବାଇଲ୍ ଫୋନ୍ ଓ ଷୋହଳଟି ସିମ୍ କାର୍ଡ ଜବତ କରାଯାଇଛି। ଯାହାକୁ ସେମାନେ ବିଦେଶୀ ହ୍ୟାଣ୍ଡଲର୍ ସହିତ ଯୋଗାଯୋଗ ରକ୍ଷା କରିବା ଓ ଏନକ୍ରିପ୍ଟେଡ୍ ଚାଟ୍ କରିବା ପାଇଁ ବ୍ୟବହାର କରୁଥିଲେ। ଫରେନସିକ୍ ଦଳ ସମସ୍ତ ଡିଜିଟାଲ୍ ଡିଭାଇସ୍‌ର ବୈଷୟିକ ପରୀକ୍ଷା କରୁଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version