ISRO EOS-5 Satellite Launch: ଲଗାତାର ବିଫଳତା ପରେ ଲଞ୍ଚପ୍ୟାଡ୍କୁ ଫେରିଲା ଇସ୍ରୋ, ସେପ୍ଟେମ୍ବର ୪ରେ ଲଞ୍ଚ କରିବ ଇଓଏସ୍-୫ ସାଟେଲାଇଟ୍

ନୂଆଦିଲ୍ଲୀ ୨୯/୦୮: ଲଞ୍ଚପ୍ୟାଡ୍ଠୁ ପ୍ରାୟ ୮ ମାସ ଦୂରରେ ରହିବା ପରେ ଓ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକଲ (ପିଏସ୍ଏଲ୍ଭି )ର ଗୋଟିଏ ପରେ ଗୋଟିଏ ବିଫଳତା ପରେ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) । ଆସନ୍ତା ସେପ୍ଟେମ୍ବର ୪ ତାରିଖ ଭୋର ସମୟରେ ଇସ୍ରୋ ନିଜର ଅନ୍ୟତମ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍ଜର୍ଭେସନ୍ ସାଟେଲାଇଟ୍କୁ ମହାକାଶକୁ ଉତ୍କ୍ଷେପଣ କରିବ । ଜିଓସିକ୍ରୋଂନସ୍ ସାଟେଲାଇଟ୍ ଲଞ୍ଚ ଭେଇକଲ (ଜିଏସ୍ଏଲ୍ଭି ଏଫ୍-୧୭) ରକେଟ୍ ଦ୍ୱାରା ଏହାକୁ ଛଡ଼ାଯିବ ବୋଲି ଇସ୍ରୋ ମୁଖ୍ୟ ଡ. ଭି. ନାରାୟଣନ କହିଛନ୍ତି । ଏହି ମିଶନ ଇଓଏସ୍-୫ (ପୂର୍ବରୁ ଜିଆଇସାଟ୍ ୧-ଏ ନାମରେ ପରିଚିତ) ସାଟେଲାଇଟ୍କୁ ନେବ । ପୃଥିବୀଠୁ ପ୍ରାୟ ୩୬ ହଜାର କିମି ଉଚ୍ଚତାରୁ ଦେଶ ଉପରେ ନିରନ୍ତର ନଜର ରଖିବାକୁ ଏହାକୁ ଡିଜାଇନ୍ କରାଯାଇଛି । ଡ. ନାରାୟଣନଙ୍କ ଅନୁସାରେ, ଏବେଠୁ ମାର୍ଚ୍ଚ, ୨୦୨୭ ମଧ୍ୟରେ ୭ ଉତ୍କ୍ଷେପଣ ପାଇଁ ଇସ୍ରୋର ଯୋଜନା ରହିଛି । ତନ୍ମଧ୍ୟରେ ଗଗନଯାନ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମର ବହୁପ୍ରତୀକ୍ଷିତ ଜି-୧ ମିଶନ ଅନ୍ତର୍ଗତ ପ୍ରଥମ ମାନବରହିତ ଉଡ଼ାଣ ସାମିଲ ।
ସୌଜନ୍ୟ ପ୍ରମେୟ




