ପିଲାଦିନେ ଚିତ୍ର ଭଲ କରିପାରୁ ନଥିଲେ ବୋଲି ମନ ଦୁଃଖ କରୁଥିଲେ। ହେଲେ ସେ ଦୁର୍ବଳତା କେତେବେଳେ ଯେ ତାଙ୍କର ଶକ୍ତି ବନିଗଲା ତାହା ସେ ଜାଣିପାରିଲେ ନାହିଁ। ନିଜକୁ ଚିତ୍ରାଙ୍କନରେ ଦୁର୍ବଳ ଭାବୁଥିବା ନବମ ଶ୍ରେଣୀ ଛାତ୍ର ଜିତେନ୍ଦ୍ରଙ୍କ ମନରେ ସେଦିନ ଉତ୍ସାହ ଭରିଗଲା, ଯେଉଁଦିନ ସେ ଆଙ୍କିଥିବା ଯୋଡ଼ିହଂସ ଚିତ୍ରକୁ ଦେଖି ବାପା ଖୁବ୍ ପ୍ରଶଂସା କଲେ। ସେବେଠାରୁ ସେ ଚିତ୍ରାଙ୍କନକୁ ଭଲ ପାଇବସିଲେ ଏବଂ ମନରେ ଜାଗ୍ରତ ହେଲା ଆତ୍ମବିଶ୍ବାସ। ଧୀରେ ଧୀରେ ରଂଗ ତୂଳି ପାଲଟିଲା ତାଙ୍କ ଜୀବନର ଏକାନ୍ତ ସହଚର।
୨୦୦୨ ମସିହାରେ ଭୁବନେଶ୍ବରର ବି କେ କଲେଜ୍ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟ୍ରେ ନାମ ଲେଖାନ୍ତି ଜିତେନ୍ଦ୍ର। ପାଞ୍ଚ ବର୍ଷ ପରେ ୨୦୦୭ ମସିହାରେ ହାତରେ ଆର୍ଟ ଡିଗ୍ରି ଧରି ବାହାରନ୍ତି। ୨୦୧୦ ମସିହାରେ ସେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ପୂରା କରି ଏମ୍ଫିଲ୍ ବି କରନ୍ତି। ସେହିବର୍ଷ ହିଁ ତାଙ୍କୁ ତାଙ୍କର ଚିତ୍ରକଳା ପାଇଁ ରାଜ୍ୟ ପୁରସ୍କାର ମିଳେ। ୨୦୧୪ ମସିହାରେ ସେ ଜାତୀୟ ଛାତ୍ରବୃତ୍ତି ମଧ୍ୟ ପାଇଛନ୍ତି। କିଛି ବର୍ଷ ପାଇଁ ସେ ଚାଲିଯାଆନ୍ତି ମୁମ୍ବାଇ ଏବଂ ସେଠାରେ ରହି ଚିତ୍ରକଳା ଉପରେ କାମ କରନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୁଅନ୍ତି। ଏବେ ପୁଣିଥରେ ଓଡ଼ିଶାରେ ତାଙ୍କର କଳାଯାତ୍ରା ଆରମ୍ଭ ରଖିଛନ୍ତି ସେ। ବିଶେଷକରି ଭାବପ୍ରବଣତା ଓ ସଂପର୍କକୁ ନେଇ ଚିତ୍ର ଆଙ୍କିବାକୁ ସେ ଭଲପାଆନ୍ତି।
ଏହାଛଡ଼ା ସେ ଜଣେ ଥିଏଟର୍ କଳାକାର ମଧ୍ୟ। ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ଅଭିନୀତ ଅନେକ ନାଟକରେ ସେ ଅଭିନୟ କରି ନିଜ ପ୍ରତିଭା ଦେଖାଇ ସାରିଛନ୍ତି। ତେବେ ଅଭିନୟ ପ୍ରତି ତାଙ୍କ ଭଲପାଇବା ରହିଥିଲେ ହେଁ, ଚିତ୍ର ତାଙ୍କର ସବୁକିଛି ବୋଲି କହନ୍ତି ଚିତ୍ରକର ଜିତେନ୍ଦ୍ର।
ସୌଜନ୍ୟ ସମ୍ବାଦ
