ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମଦ ନିଷେଧକୁ ନେଇ ମୁଖ୍ୟମନ୍ତ୍ରୀଓମାର ଅବଦୁଲ୍ଲା ଦେଇଥିବା ଏକ ବିବାଦୀୟ ବୟାନ ଏବେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ମଦ୍ୟପାନ ଯୋଗୁଁ ଯୁବପିଢ଼ି ନଷ୍ଟ ହେବା ପ୍ରସଙ୍ଗରେ ଓମାର କହିଛନ୍ତି ଯେ, ସରକାର କାହାକୁ ମଦ ପିଇବାକୁ ବାଧ୍ୟ କରୁନାହାଁନ୍ତି କିମ୍ବା ଏହାର ବିଜ୍ଞାପନ କରୁନାହାଁନ୍ତି, ଲୋକେ ନିଜ ଇଚ୍ଛାରେ ଦୋକାନକୁ ଯାଉଛନ୍ତି। ତାଙ୍କର ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଏହି ଦୋକାନଗୁଡ଼ିକ ସେହିମାନଙ୍କ ପାଇଁ ଯାହାଙ୍କ ଧର୍ମ ଏଥିପାଇଁ ଅନୁମତି ଦିଏ। ଓମାରଙ୍କ ଏହି ଯୁକ୍ତିକୁ ନେଇ କେବଳ ବିରୋଧୀ ନୁହଁନ୍ତି, ବରଂ ନିଜ ‘ଦଳ ନ୍ୟାସନାଲ କନଫରେନ୍ସ’ର ସାଂସଦ ଆଗା ରୁହୁଲ୍ଲା ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟରେ ମଦ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଜାରି କରିବାକୁ ଦାବି କରିଛନ୍ତି।
ଜମ୍ମୁ-କାଶ୍ମୀରରେ ମଦ୍ୟପାନର ମାତ୍ରା କ୍ରମାଗତ ବୃଦ୍ଧି
ଜମ୍ମୁ-କାଶ୍ମୀରରେ ମଦ୍ୟପାନର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହା ସରକାରଙ୍କ ପାଇଁ ରାଜସ୍ୱ ଆଦାୟର ଏକ ବଡ଼ ମାଧ୍ୟମ ସାଜିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୬.୯୪ କୋଟି ମଦ ବୋତଲ ବିକ୍ରି ହୋଇଥିବା ବେଳେ ଦୈନିକ ହାରାହାରି ବିକ୍ରି ୧.୯ ଲକ୍ଷ ବୋତଲ ରହିଛି। ବିଶେଷ କରି ଜମ୍ମୁ ଅଞ୍ଚଳରୁ ସର୍ବାଧିକ ରାଜସ୍ୱ ମିଳୁଛି। ତଥ୍ୟ ଅନୁଯାୟୀ, ୨୦୨୩-୨୪ ଏବଂ ୨୦୨୪-୨୫ ମଧ୍ୟରେ ମଦ ବିକ୍ରୟରୁ ସରକାର ୨,୨୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଇବାର ଆକଳନ କରାଯାଇଛି। କାଶ୍ମୀର ଉପତ୍ୟକାର ଜିଲ୍ଲାଗୁଡ଼ିକ ଏହି ସମୟ ମଧ୍ୟରେ ମାତ୍ର ୧୮୮ କୋଟି ଟଙ୍କା ରାଜସ୍ୱ ଦେଇଥିବା ବେଳେ ଜମ୍ମୁର ୧୦ଟି ଜିଲ୍ଲାରୁ ପ୍ରାୟ ୧,୯୬୮ କୋଟି ଟଙ୍କା ଆୟ ହୋଇଛି, ଯାହା ଉପତ୍ୟକା ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ। ଜମ୍ମୁ ଜିଲ୍ଲାରୁ ସର୍ବାଧିକ ୫୦୯ କୋଟି ଟଙ୍କା ରାଜସ୍ୱ ଆସିଥିବା ବେଳେ କାଶ୍ମୀରର ଶ୍ରୀନଗରରୁ ପ୍ରାୟ ୬୫.୫୭ କୋଟି ଟଙ୍କା ଆଦାୟ ହୋଇଛି। ମଦ ବିକ୍ରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଏବଂ ଦିନକୁ ଦିନ ବଢ଼ୁଥିବା ରାଜସ୍ୱ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଧାର୍ମିକ ବିଶ୍ୱାସ ଓ ରାଜସ୍ୱ ଆଦାୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଯାଇ ଓମାର ଅବଦୁଲ୍ଲା ଏବେ ବିବାଦ ଘେରକୁ ଆସିଯାଇଛନ୍ତି। ରାଜ୍ୟରେ ଏହି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧ ତୀବ୍ର ହେବାରେ ଲାଗିଛି।
ସୌଜନ୍ୟ ସମ୍ବାଦ

