ଭୁବନେଶ୍ୱର: ମହିଳାଙ୍କ ସଶକ୍ତୀକରଣ ନିମନ୍ତେ ଦେଶରେ ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ଉପସ୍ଥାପିତ ହୋଇଥିଲା, କିନ୍ତୁ ଏହାକୁ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ମେଣ୍ଟ ଯୋଗୁଁ ଏହା ପାରିତ ହୋଇପାରିଲା ନାହିଁ। ବିରୋଧୀ ଦଳର ଏହି ନାରୀ ବିରୋଧୀ ଆଭିମୁଖ୍ୟ ବିରୋଧରେ ରାଜ୍ୟର ସମସ୍ତ ମଣ୍ଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ କହିଛନ୍ତି।
ଏହି ମହିଳା ଆକ୍ରୋଶକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତ ୨୨ ତାରିଖରେ ରାଜଧାନୀ ଭୁବନେଶ୍ୱଠାରେ ବିଶାଳ ‘ଜନ ଆକ୍ରୋଶ ମହିଳା ପଦଯାତ୍ରା’ ଆୟୋଜନ କରାଯାଇଥିଲା। ସେହିପରି ଗତ ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ‘ଜନ ଆକ୍ରୋଶ ମହିଳା ସମ୍ମିଳନୀ ଓ ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏବେ ରାଜ୍ୟର ସମସ୍ତ ମଣ୍ଡଳସ୍ତରରେ ମହିଳାମାନେ ବ୍ୟାପକ ପ୍ରତିବାଦ କରିବେ। ଏନେଇ ୨୭ରୁ ୨୯ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟର ସମସ୍ତ ମଣ୍ଡଳରେ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଅନୁଷ୍ଠିତ ହେବ। ଆସନ୍ତାକାଲି ଭୁବନେଶ୍ୱରରେ ଏକ ବିରାଟ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ସାଂସଦ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା ଐଶ୍ଚର୍ଯ୍ୟା ବିଶ୍ୱାଳ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ

