Jeweler stolen: ନକଲି ସୁନା ଚେନ୍ ଦେଇ ଅସଲି ଅଳଙ୍କାର ଲୁଟ୍: ଷ୍ଟେସନରୁ ଫେରାର୍ ଉଦ୍ୟମ ପଣ୍ଡ
ନକଲି ସୁନା ଚେନ୍ ଦେଇ ଅସଲି ସୁନା ଅଳଙ୍କାର ଠକେଇ ନେଉଥିବା ଏକ ଅନ୍ତଃରାଜ୍ୟ ମହିଳା ଠକ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟାକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେ ହେଲେ ଉତ୍ତରପ୍ରଦେଶ ବାରାଣସୀର ଲକ୍ଷ୍ମୀ ତିୱାରୀ (୩୬)।

ଭୁବନେଶ୍ୱର: ନକଲି ସୁନା ଚେନ୍ ଦେଇ ଅସଲି ସୁନା ଅଳଙ୍କାର ଠକେଇ ନେଉଥିବା ଏକ ଅନ୍ତଃରାଜ୍ୟ ମହିଳା ଠକ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟାକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେ ହେଲେ ଉତ୍ତରପ୍ରଦେଶ ବାରାଣସୀର ଲକ୍ଷ୍ମୀ ତିୱାରୀ (୩୬)। ତାଙ୍କ ନିକଟରୁ ଏକ ଦାମୀ ଆଇଫୋନ୍-୧୭ ମୋବାଇଲ୍ ଫୋନ୍ ଓ ହଲମାର୍କ ଥିବା ଏକ ସୁନା ବ୍ରେସଲେଟ୍ ଜବତ କରାଯାଇଛି।
ସୂଚନା ମୁତାବକ, ଗତ ୨୪ ତାରିଖ ସନ୍ଧ୍ୟାରେ ଦୁଇଜଣ ମହିଳା ଗ୍ରାହକ ବେଶରେ ଜନପଥସ୍ଥିତ ‘ସିଟି ଚନ୍ଦନ ଜୁଏଲର୍ସ’କୁ ଆସିଥିଲେ। ସେମାନେ ହଲମାର୍କ ଥିବା ୨୨.୮୫୦ ଗ୍ରାମ୍ର ଏକ ସୁନା ଚେନ୍ ଦେଇ ଦୋକାନରୁ ୨୨ କ୍ୟାରେଟ୍ର ଏକ ସୁନା ନେକଲେସ୍ ନେଇଥିଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ ଦୁଇ ମହିଳା ଦେଇଥିବା ଚେନ୍ଟି ନକଲି ଓ ଏଥିରେ ଥିବା ହଲ୍ମାର୍କ ବି ଜାଲ୍। ‘ସିଟି ଚନ୍ଦନ ଜୁଏଲର୍ସ’ ପକ୍ଷରୁ ତୁରନ୍ତ ଘଟଣା ସର୍ମ୍ପକରେ ଭୁବନେଶ୍ୱର ଜୁଏଲେରି ଆସୋସିଏସନ୍କୁ ଅବଗତ କରାଯାଇଥିଲା। ଏହାପରେ ଜୁଏଲାରି ମାଲିକ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ବିଭିନ୍ନ ଦିଗରୁ ତଦନ୍ତ ବେଳେ ପୁଲିସ ଦୁଇ ମହିଳାଙ୍କୁ ଚିହ୍ନଟ କରିଥିଲା।
ଅନ୍ତଃରାଜ୍ୟ ମହିଳା ଠକ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟା ଗିରଫ
ଷ୍ଟେସନରୁ ଫେରାର୍ ଉଦ୍ୟମ ପଣ୍ଡ
ପୁଲିସ ଏହି ଗ୍ୟାଙ୍ଗ ଉପରେ ନଜର ରଖିଥିବା ବେଳେ ଗତ ୨୫ ତାରିଖରେ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟା ସାଧନା ତିୱାରୀ ଅନ୍ୟ ଏକ ଜୁଏଲେରିରୁ ସମାନ ଢଙ୍ଗରେ ଠକେଇ ଉଦ୍ୟମ କରୁଥିବା ଖବରପାଇ ଖାରବେଳନଗର ଥାନା ପୁଲିସ ତାକୁ ସେଠାରୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା ସମୟରେ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ପୁଲିସ ସୂଚନା ମିଳିଥିଲା। ତେବେ ଲକ୍ଷ୍ମୀ ବାରଣାସୀ ଯିବା ପାଇଁ ଭୁବନେଶ୍ବର ରେଳଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିବା ବେଳେ ପୁଲିସ ଟିମ୍ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ତାଠାରୁ ସୁନା ବ୍ରେସ୍ଲେଟ୍ ସହ ଏକ ଆଇଫୋନ୍ ଜବତ କରାଯାଇଛି। ଜେରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




