Jewellery shop: ରାଜ୍ୟରେ ୮୦୮୪ ଅଳଙ୍କାର ଦୋକାନ: ଅଳଙ୍କାର ବିକ୍ରିରୁ ୩୩୩ କୋଟି ଜିଏସ୍‌ଟି ସଂଗ୍ରହ

ରାଜ୍ୟର ଖୁଚୁରା ବଜାରରେ ଅଳଙ୍କାର ଦୋକାନର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଗତ କିଛି ବର୍ଷ ଧରି ଅନେକ ପ୍ରତିଷ୍ଠିତ ସଂସ୍ଥା ସାରା ରାଜ୍ୟରେ ସେମାନଙ୍କ ଉପସ୍ଥିତି ବିସ୍ତାର କରୁଛନ୍ତି।

ଭୁବନେଶ୍ବର: ରାଜ୍ୟର ଖୁଚୁରା ବଜାରରେ ଅଳଙ୍କାର ଦୋକାନର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଗତ କିଛି ବର୍ଷ ଧରି ଅନେକ ପ୍ରତିଷ୍ଠିତ ସଂସ୍ଥା ସାରା ରାଜ୍ୟରେ ସେମାନଙ୍କ ଉପସ୍ଥିତି ବିସ୍ତାର କରୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଅଳଙ୍କାର ପ୍ରତି‌ଷ୍ଠାନଗୁଡ଼ିକ ମଧ୍ୟ ରାଜ୍ୟରେ ସେମାନଙ୍କ ଷ୍ଟୋର୍‌ ଖୋଲୁଛନ୍ତି। ରାଜ୍ୟରେ ୮୦୮୪ଟି ପଞ୍ଜୀକୃତ ଗହଣା ଦୋକାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସୁନା ଓ ରୁପା ଦରରେ ହେଉଥିବା ବୃଦ୍ଧି ରାଜ୍ୟର ଅଳଙ୍କାର ବଜାର, ଟିକସ ଆଦାୟ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ପ୍ରଭାବିତ କରୁଛି।

ଦର ବଢ଼ିଲେ ପ୍ରତି ଗ୍ରାମର ମୂଲ୍ୟ ବଢ଼ୁଛି। ସେଥିପାଇଁ ଅଳଙ୍କାର ବିକ୍ରିରୁ ଅଧିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହେଉଥିବା ସେ କହିଛନ୍ତି। ତାଙ୍କ ସୂଚନା ଅନୁସାରେ ୨୦୨୦-୨୧ରୁ ୨୦୨୬ ଜାନୁଆରି ପର୍ଯ୍ୟନ୍ତ ରାଜ୍ୟରେ ୩୩୩.୫୭ କୋଟି ଟଙ୍କାର ଜିଏସ୍‌ଟି ଅଳଙ୍କାର ବିକ୍ରିରୁ ସଂଗ୍ରହ କରାଯାଇଛି। ଅଳଙ୍କାର ବିକ୍ରିରୁ ୨୦୨୦-୨୧ରେ ୨୫.୮୪ କୋଟି ଟଙ୍କା, ୨୦୨୧-୨୨ରେ ୩୬.୦୩ କୋଟି ଟଙ୍କା, ୨୦୨୨-୨୩ରେ ୩୭.୭୯ କୋଟି ଟଙ୍କା, ୨୦୨୩-୨୪ରେ ୫୮.୬୬ କୋଟି ଟଙ୍କା, ୨୦୨୪-୨୫ରେ ୮୮.୩୦ କୋଟି ଟଙ୍କା ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୨୦୨୬ ଜାନୁଆରି ସୁଦ୍ଧା ୮୬.୯୫ ‌କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version