Job: ୪୧୧୧ କୋଟିର ୨୩ ପ୍ରକଳ୍ପରେ ମୋହର; ୧୦ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ

ଗଞ୍ଜାମରେ ତିଆରି କରାଯିବ ଅତ୍ୟାଧୁନିକ କାର୍ଯ୍ୟଦକ୍ଷତା ବିଶିଷ୍ଟ ଡ୍ରୋନ୍‌। ଏଥିପାଇଁ ଇନ୍‌ଭେଣ୍ଟ୍‌ ଗ୍ରିଡ୍‌ ଇଣ୍ଡିଆ ପକ୍ଷରୁ ୩୦୦ କୋଟି ଟଙ୍କା ନିବେଶରେ ଏକ ମଲ୍‌ଟି-ଡ୍ରୋନ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। ଆଜି ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ...

ଭୁବନେଶ୍ବର: ଗଞ୍ଜାମରେ ତିଆରି କରାଯିବ ଅତ୍ୟାଧୁନିକ କାର୍ଯ୍ୟଦକ୍ଷତା ବିଶିଷ୍ଟ ଡ୍ରୋନ୍‌। ଏଥିପାଇଁ ଇନ୍‌ଭେଣ୍ଟ୍‌ ଗ୍ରିଡ୍‌ ଇଣ୍ଡିଆ ପକ୍ଷରୁ ୩୦୦ କୋଟି ଟଙ୍କା ନିବେଶରେ ଏକ ମଲ୍‌ଟି-ଡ୍ରୋନ୍‌ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। ଆଜି ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷର ୧୪୪ତମ ବୈଠକରେ ଏହି ପ୍ରକଳ୍ପ ସମେତ ୪୧୧୧.୮୦ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହାଦ୍ବାରା ରାଜ୍ୟରେ ୧୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ବାଲେଶ୍ବର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ କରାଯିବ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକରେ ନର୍ଦନଏକ୍ସପ୍ରେସ୍‌ ଇନ୍‌ଫ୍ରାଡେଭେଲପର୍ସ ପକ୍ଷରୁ ୩୩୯.୪୦ କୋଟି ଟଙ୍କା ନିବେଶରେ ଏକ ଜାହାଜ ନିର୍ମାଣ ଓ ମରାମତି କାରଖାନା ସ୍ଥାପନ କରାଯିବ।

ଖୋର୍ଦ୍ଧାରେ ନିଫା ଲିମିଟେଡ୍‌ ୩୮୪ କୋଟି ଟଙ୍କା ନିବେଶରେ ଏକ ରେଳ ଉପକରଣ ନିର୍ମାଣ କାରଖାନା କରିବ। ଜେ ଜି ହୋସିଏରି ୧୦୦ କୋଟି ଟଙ୍କା ନିବେଶରେ ଏକ ପୋଷାକ କାରଖାନା ଓ ଆଲ୍‌ଭେଣ୍ଟା ଫାର୍ମା ୧୦୦ କୋଟି ଟଙ୍କା ନିବେଶରେ ଏକ ଔଷଧ କାରଖାନା ବସାଇବେ। ଖଣିଜ ଓ ଧାତବ କ୍ଷେତ୍ରରେ କଳିଙ୍ଗ ମେଟାଲିକ୍ସ ପକ୍ଷରୁ ସୁନ୍ଦରଗଡ଼ରେ ୬୦୦ କୋଟି ଟଙ୍କା ନିବେଶରେ ଏକ ଲୁହାପଥର ବିନିଫିକେସନ ପ୍ରକଳ୍ପ ସ୍ଥାପନ କରାଯିବ। ଶ୍ରୀରାମ ଆଇରନ ଆଣ୍ଡ୍‌ ଆଲୟଜ୍‌ ତରଫରୁ ଦେବଗଡ଼ରେ ୨୫୦ କୋଟି ଟଙ୍କା ନିବେଶରେ ଏକ ପେଲେଟ୍‌ କାରଖାନା ନିର୍ମାଣ କରାଯିବ। ସୁନ୍ଦରଗଡ଼ରେ ଇଷ୍ଟସାଇଡ୍‌ ଶୁଭ ଷ୍ଟିଲ୍‌ ୬୦.୦୫ କୋଟି ଟଙ୍କା, ଆର୍ଯ୍ୟଜ୍‌ ଓର୍‌ ରିଫାଇନାରି ୫୧ କୋଟି ଟଙ୍କା ଓ ରଶ୍ମି ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରି ତରଫରୁ ୩୫୦ କୋଟି ଟଙ୍କା ନିବେଶ କରାଯିବ।

ଆଜିର ବୈଠକରେ ୪ଟି ତାରକା ହୋଟେଲ୍‌ ପ୍ରକଳ୍ପକୁ ମଧ୍ୟ ମଞ୍ଜୁର କରାଯାଇଥିଲା। ଏମ୍‌କେ ଆସେଟ୍‌ସ ପକ୍ଷରୁ ଖୋର୍ଦ୍ଧାରେ ୨୧୦ କୋଟି ଟଙ୍କା ନିବେଶରେ ଏକ ପଞ୍ଚତାରକା ହୋଟେଲ୍‌ ନିର୍ମାଣ କରାଯିବ। ସେହିପରି, ପୁରୀରେ ମଞ୍ଜିରା ହୋ‌ଟେଲ୍‌ସ ଆଣ୍ଡ୍‌ ରିସୋର୍ଟସ୍‌ ୨୦୦ କୋଟି ଟଙ୍କାରେ ଏକ ପଞ୍ଚତାରକା ହୋଟେଲ୍‌ ଏବଂ ପଣ୍ଡା ରିସୋର୍ଟସ୍‌ ଲିମିଟେଡ୍‌ ୭୦ କୋଟି ଟଙ୍କାରେ ଏକ ଚାରି-ତାରକା ହୋଟେଲ୍‌ ନିର୍ମାଣ କରିବେ। ଶଙ୍କରୀଦେବୀ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ସମ୍ବଲପୁରରେ ୬୪.୧୦ କୋଟି ଟଙ୍କା ନିବେଶରେ ଏକ ଚାରି-ତାରକା ହୋଟେଲ୍‌ ନିର୍ମାଣ କରାଯିବ।

କଟକରେ ବ୍ଲୁ ମାଉଣ୍ଟ ଏନର୍ଜି ୧୦୦ କୋଟି ଟଙ୍କା ନିବେଶ‌ରେ ଏକ ଔଷଧ କାରଖାନା ନିର୍ମାଣ କରିବ। ସୁନ୍ଦରଗଡ଼ରେ ସର୍ବେଶ ରିଫ୍ରାକ୍ଟରିଜ୍ ୬୨ କୋଟି ଟଙ୍କା ନିବେଶରେ ଏହାର ରିଫ୍ରାକ୍ଟରି କାରଖାନାର ସମ୍ପ୍ରସାରଣ କରିବ। ଯାଜପୁରରେ ଝାଡ଼ଖଣ୍ଡ ଗ୍ରାଇଣ୍ଡ୍‌ କେମ୍‌ ତରଫରୁ ୬୭.୧୫ କୋଟି ଟଙ୍କା ନିବେଶରେ ଏକ ନୂଆ ରିଫ୍ରାକ୍ଟରି ପ୍ରକଳ୍ପ ସ୍ଥାପନ କରାଯିବ। ରାମ୍‌କୋ ଆଲୁମିନିନେଟ୍‌ କୋରାପୁଟରେ ୫୪.୫୦ କୋଟି ଟଙ୍କା ନିବେଶରେ ଏକ ଆଲୁମିନା ଆଧାରିତ ରିଫ୍ରାକ୍ଟରି ପ୍ରକଳ୍ପ ବସାଇବ।

 

ସେହିପରି, ବାଲେଶ୍ବରରେ ୟଶ୍‌ ଫ୍ଲେକ୍ସି ପ୍ୟାକ୍‌ ତରଫରୁ ୫୧ କୋଟି ଟଙ୍କା ନିବେଶରେ ଏକ ପ୍ୟାକେଜିଂ ପ୍ରକଳ୍ପ ସ୍ଥାପନ କରାଯିବ। ଗ୍ରୋଇଂ ଟ୍ରି ଅଏଲ୍‌ ପକ୍ଷରୁ କଟକରେ ୧୦୦ କୋଟି ଟଙ୍କା ନିବେଶରେ ଏକ ଖାଇବା ତେଲ କାରଖାନା, ଜେବିଏସ୍‌ଏସ୍‌ ଗ୍ଲାସ୍‌ ତରଫରୁ ୫୦.୮୫ କୋଟି ଟଙ୍କା ନିବେଶରେ ଏକ କାଚ ତିଆରି କାରଖାନା ନିର୍ମାଣ କରାଯିବ। ଶ୍ରିଷ୍ଟି ଟ୍ରେଡିଂ କର୍ପୋରେସନ ୧୬୦.୭୫ କୋଟି ଟଙ୍କା ନିବେଶରେ ଏକ ଲଜିଷ୍ଟିକ୍‌ ପାର୍କ ଓ ଗୋଦାମ ଘର ନିର୍ମାଣ କରିବ। ଗଞ୍ଜାମରେ ୱାଟର‌ ଟେକ୍‌ ଇଣ୍ଡିଆ ୩୮୭ କୋଟି ଟଙ୍କା ନିବେଶରେ ଏକ ପ୍ଲାଷ୍ଟିକ ଉତ୍ପାଦ କାରଖାନା ବସାଇବ।

 

ସୌଜନ୍ୟ ସମ୍ବାଦ

Exit mobile version