ରାଜ୍ୟ

Journalism: ‘ଜାନକୀବଲ୍ଲଭ ଥିଲେ ସାମ୍ୱାଦିକତା-ସାହିତ୍ୟ-ରାଜନୀତିର ତ୍ରିବେଣୀ ସଙ୍ଗମ’

ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ପ୍ରବୀଣ ରାଜନୀତିଜ୍ଞ, ସାହିତ୍ୟିକ ଓ ସାମ୍ବାଦିକ। ତେଣୁ ସାମ୍ବାଦିକ, ସାହିତ୍ୟିକ ଓ ରାଜନେତା...

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ପ୍ରବୀଣ ରାଜନୀତିଜ୍ଞ, ସାହିତ୍ୟିକ ଓ ସାମ୍ବାଦିକ। ତେଣୁ ସାମ୍ବାଦିକ, ସାହିତ୍ୟିକ ଓ ରାଜନେତା ଭାବେ ସେ ତ୍ରିବେଣୀ ସଙ୍ଗମ ଥିଲେ। ୧୫ ବର୍ଷର ଶାସନ କାଳରେ ସେ ଶିକ୍ଷା, ଶିଳ୍ପ, ସଂସ୍କୃତି ଆଦି କ୍ଷେତ୍ରରେ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇ ପାରିଥିଲେ। ‘ହଜାରେ ଦିନରେ ହଜାରେ ଶିଳ୍ପ’ ତାଙ୍କ ମାନସ ସନ୍ତାନ ଥିଲା। ଓଡ଼ିଶା ଇତିହାସରେ ସେ ଯେଉଁ ସ୍ମୃତି ଛାଡ଼ିଯାଇଛନ୍ତି, ତାହା ଯୁବପିଢ଼ିଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ। ଇଂରାଜୀ ଅନୁବାଦ ପୁସ୍ତକ ‘ଜାନକୀବଲ୍ଲଭ ପଟ୍ଟନାୟକ୍‌ସ ଆନ୍‌ ଅନଫିନିସ୍‌ଡ ମେମୋଏର୍‌’ର ଲୋକାର୍ପଣ ଅବସରରେ ଅତିଥିମାନେ ଏହା କହିଛନ୍ତି।

‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଆତ୍ମଜୀବନୀ ପୁସ୍ତକ ‘ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅସମାପ୍ତ ଆତ୍ମଲିପି’କୁ ବିଶିଷ୍ଟ ସ୍ତମ୍ଭକାର ଭାସ୍କର ପରିଚ୍ଛା ଇଂରାଜୀରେ ଅନୁବାଦ କରିଛନ୍ତି ଓ ବି‌କେ ପବ୍ଲିକେସନ୍‌ ଏହା ପ୍ରକାଶ କରିଛନ୍ତି। ଆଜି ଗୀତଗୋବିନ୍ଦ ସଦନରେ ଏହାର ଲୋକାର୍ପଣ ହୋଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋପାଳବଲ୍ଲଭ ପଟ୍ଟନାୟକ ଯୋଗଦେଇଥିଲେ। ଏହି ପୁସ୍ତକ ଜଣେ ମେଧାବୀ ଛାତ୍ର, ଦକ୍ଷ ସାମ୍ବାଦିକ, ଚତୁର ରାଜନେତା, ପ୍ରଭାବଶାଳୀ ଲେଖକ, ସଫଳ ମୁଖ୍ୟମନ୍ତ୍ରୀଙ୍କ ଜୀବନ କାହାଣୀ ବୋଲି ସେ କହିଥିଲେ।  ଜଷ୍ଟିସ୍‌  ପଟ୍ଟନାୟକ କହିଥିଲେ ଜାନକୀବଲ୍ଲଭଙ୍କ ରଚିତ ‘ବାଚସ୍ପତି ମହୋଦୟ’ ପୁସ୍ତକ ବି ସମସ୍ତେ ପଢ଼ିବା ଉଚିତ। ଜଷ୍ଟିସ୍‌ ପଟ୍ଟନାୟକ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସହ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ତୁଳନା କରିଥିଲେ ଏବଂ ‘ହଜାରେ ଦିନରେ ହଜାରେ ଶିଳ୍ପ’ ଆଜି ଓଡ଼ିଶା ଅର୍ଥନୀତିରେ ବିକାଶ ଆଣିଛି ବୋଲି ସେ କହିଥିଲେ।

‘ଜାନକୀବଲ୍ଲଭ ପଟ୍ଟନାୟକ୍‌ସ ଆନ୍‌ ଅନ୍‌ଫିନିସ୍‌ଡ ମେମୋଏର୍‌’ ପୁସ୍ତକ ଲୋକାର୍ପିତ

ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଶାସକ ସଞ୍ଜୀବ ହୋତା ତାଙ୍କ ଚାକିରି ଜୀବନରେ ସ୍ବର୍ଗତ ପଟ୍ଟନାୟକଙ୍କ ସହ କାମ କରିବାର ଅନୁଭୂତି କହିଥିଲେ। ଜାନକୀ ବାବୁ ଅତ୍ୟନ୍ତ ଅମାୟିକ ଓ ଅହଙ୍କାରଶୂନ୍ୟ ବ୍ୟକ୍ତିତ୍ବ ଥିଲେ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଶାସକ ବିବେକାନନ୍ଦ ପଟ୍ଟନାୟକ କହିଥିଲେ, ଜିଲ୍ଲାପାଳରୁ ସଚିବ ହେବା ପର୍ଯ୍ୟନ୍ତ ଅନେକ ସମୟରେ ଶ୍ରୀ ପଟ୍ଟନାୟକଙ୍କ ସହ କାମ କରିବାର ସୁଯୋଗ ମିଳିଛି। ସଂସ୍କୃତ ଉପରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button