ଦେଶ ବିଦେଶ

Judgement: ଶିରିଡ଼ି ସାଇବାବାଙ୍କୁ ନେଇ ଆପତ୍ତିଜନକ ବିଷୟ ହଟାଇବାକୁ ୨୪ ଘଣ୍ଟା ସମୟ

ଶିରିଡ଼ି ସାଇବାବାଙ୍କୁ ନେଇ ଅପମାନଜନକ ଓ ଉତ୍ତେଜନାମୂଳକ ବିଷୟ ହଟାଇବା ପାଇଁ ସମ୍ପୃକ୍ତ ଅନ୍‌ଲାଇନ୍‌ ମାଧ୍ୟମଗୁଡ଼ିକୁ ୨୪ ଘଣ୍ଟା ସମୟ ଦିଆଯାଇଥିବା ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କୁ କେନ୍ଦ୍ର ସରକାର ଜଣାଇଛନ୍ତି।

ନୂଆଦିଲ୍ଲୀ: ଶିରିଡ଼ି ସାଇବାବାଙ୍କୁ ନେଇ ଅପମାନଜନକ ଓ ଉତ୍ତେଜନାମୂଳକ ବିଷୟ ହଟାଇବା ପାଇଁ ସମ୍ପୃକ୍ତ ଅନ୍‌ଲାଇନ୍‌ ମାଧ୍ୟମଗୁଡ଼ିକୁ ୨୪ ଘଣ୍ଟା ସମୟ ଦିଆଯାଇଥିବା ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କୁ କେନ୍ଦ୍ର ସରକାର ଜଣାଇଛନ୍ତି। ଏଭଳି ବିଷୟ ଜାରି ରହିଲେ ଧାର୍ମିକ ଭାବନା ଆହତ ହେବା ସହ ସାମ୍ପ୍ରଦାୟିକ ସଦ୍‌ଭାବ ବିଗିଡ଼ିବାର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଶିରିଡ଼ିସ୍ଥିତ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଦାଏର ଆବେଦନର ଶୁଣାଣି କରି ଜଷ୍ଟିସ୍‌ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସାଇବାବାଙ୍କୁ ନେଇ ଅଭିଯୋଗ ହୋଇଥିବା ବିଷୟ ଅନ୍‌ଲାଇନ୍‌ରୁ ହଟାଇବା ପାଇଁ ଟ୍ରଷ୍ଟ ପକ୍ଷରୁ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। କେନ୍ଦ୍ର ପକ୍ଷର ଓକିଲ ଅଦାଲତଙ୍କୁ କହିଥିଲେ ଯେ, ଗତ ୧୩ ତାରିଖରେ କେନ୍ଦ୍ରର ଗ୍ରିଭାନ୍ସ ଆପିଲେଟ୍‌ କମିଟି (ଜିଏସି) ଏହି ବିଷୟ ହଟାଇବା ନେଇ ନିଷ୍ପତ୍ତି ନେଇଥିଲା। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ସାତଦିନ ମଧ୍ୟରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କହିଥିଲେ। ସେହି ନିର୍ଦ୍ଦେଶ ଅନୁସାରେ ଜିଏସି ନିଷ୍ପତ୍ତି ନେଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ତେବେ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ଓକିଲ ପ୍ରମୋଦ କୁମାର ଦୁବେଙ୍କ ସହ ଓକିଲ ପ୍ରାଚୀ ଦୁବେ ଓ ସୌରଭ ଅଗ୍ରୱାଲ ଅଦାଲତଙ୍କୁ ଜଣାଇଥିଲେ ଯେ, ନିଷ୍ପତ୍ତି ହୋଇଥିଲେ ମଧ୍ୟ କିଛି ବିଷୟ ଏପର୍ଯ୍ୟନ୍ତ ହଟାଯାଇନାହିଁ। ୟୁଟ୍ୟୁବ୍‌ରେ ଥିବା କିଛି ଭିଡିଓ ସହ ପ୍ରାୟ ୨୦୦ଟି ୟୁଆର୍‌ଏଲ୍‌ ଏପର୍ଯ୍ୟନ୍ତ ହଟିନଥିବା ସେ କହିଥିଲେ। ଏହାଛଡ଼ା ଅନ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ସମାନ ବିଷୟର ନୂଆ ଲିଙ୍କ୍‌ ଆସିଥିବା ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଥିଲା। ଟ୍ରଷ୍ଟ ପକ୍ଷରୁ ଆହୁରି କୁହାଯାଇଥିଲା ଯେ, ଆପତ୍ତିଜନକ ଭିଡିଓଗୁଡ଼ିକ ମାର୍ଚ୍ଚ ମାସରେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହୋଇଥିଲା। ଏଗୁଡ଼ିକ ହଟାଇବା ପାଇଁ ଟ୍ରଷ୍ଟ ଜୁଲାଇ ୧୫, ୧୭ ଓ ୧୯ରେ ୟୁଟ୍ୟୁବ୍‌ର ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଅଭିଯୋଗ କରିଥିଲା। କିନ୍ତୁ ୟୁଟ୍ୟୁବ୍‌ ଅଭିଯୋଗଗୁଡ଼ିକୁ ଖାରଜ କରି ଭିଡିଓ ଅପଲୋଡ୍‌ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା କିମ୍ବା ହାଇକୋର୍ଟଙ୍କ ଆଦେଶ ଆଣିବାକୁ କହିଥିବା ଟ୍ରଷ୍ଟ ପକ୍ଷରୁ ଦର୍ଶାଯାଇଥିଲା। ଏହାକୁ ଗୁରୁତ୍ୱ ଦେଇ ଜଷ୍ଟିସ୍‌ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠ ନୂଆ ଅଭିଯୋଗଗୁଡ଼ିକୁ ମଧ୍ୟ କେନ୍ଦ୍ର ଯାଞ୍ଚ କରି ଉପଯୁକ୍ତ ଆଦେଶ ଦେବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୯ରେ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button