ଦେଶ ବିଦେଶ

NEET protest: ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠିତ

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ଦିଲ୍ଲୀର ଯନ୍ତର ମନ୍ତର ସମେତ ବିଭିନ୍ନ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ଉପରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ହୋଇଥିବା ଅତ୍ୟଧିକ ବଳପ୍ରୟୋଗ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ...

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ଦିଲ୍ଲୀର ଯନ୍ତର ମନ୍ତର ସମେତ ବିଭିନ୍ନ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ଉପରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ହୋଇଥିବା ଅତ୍ୟଧିକ ବଳପ୍ରୟୋଗ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗୁରୁବାର ଏକ ୫ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଉପରେ ଅନୁସନ୍ଧାନ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର ସୁଭାଷ ରେଡ୍ଡୀଙ୍କ ନେତୃତ୍ୱରେ ଏହି କମିଟି ଗଠନ କରିଛନ୍ତି।

ଏହି କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶାଲିନ୍ଦର କୌର, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଳା ଏବଂ ମେଘାଳୟର ଅବସରପ୍ରାପ୍ତ ପୁଲିସ ମୁଖ୍ୟ ଏଲ୍‌ ଆର୍‌ ବିଷ୍ଣୋଇ ସଦସ୍ୟ ଅଛନ୍ତି। ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆନ୍ଦୋଳନ ସମୟରେ ମହିଳା ପ୍ରଦର୍ଶନକାରୀଙ୍କୁ ହୋଇଥିବା ନିର୍ଯାତନା ଏବଂ ଅସଦାଚରଣ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ନୀଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ହଜାର ହଜାର ଛାତ୍ର ସଂସଦ ଅଭିମୁଖେ ମାର୍ଚ୍ଚ କରୁଥିବା ବେଳେ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ଏବଂ ଲାଠିଚାଳନା କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଆନ୍ଦୋଳନ ସହ ଜଡ଼ିତ ସମସ୍ତ ସିସିଟିଭି ଫୁଟେଜ୍‌, ଡ୍ରୋନ୍‌ ରେକର୍ଡିଂ, ବଡି-କ୍ୟାମ୍‌ ଫୁଟେଜ୍‌ ଏବଂ ପିସିଆର୍‌ କଲ୍‌ ରେକର୍ଡଗୁଡ଼ିକୁ ସୁରକ୍ଷିତ ରଖିବାକୁ ଆଦେଶ ଦେଇଛନ୍ତି, ଯଦ୍ଦ୍ୱାରା କୌଣସି ପ୍ରମାଣ ନଷ୍ଟ କରାଯାଇପାରିବ ନାହିଁ। ଏହା ସହିତ ଗୁରୁତର ଆପରାଧିକ ମାମଲାରେ ସାମିଲ ନଥିବା ସମସ୍ତ ଅଟକ ନାବାଳକ ଆନ୍ଦୋଳନକାରୀଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷରେ କମିଟି ପକ୍ଷରୁ ନିୟମିତ ଏବଂ ପର୍ଯ୍ୟାୟକ୍ରମେ ଅନ୍ତରୀଣ ରିପୋର୍ଟ ଦାଖଲ କରାଯିବ। ପ୍ରଦର୍ଶନକାରୀଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ଏବଂ ପୁଲିସକୁ ସେମାନଙ୍କର ଗୋପନୀୟ ସୂଚନା ସାର୍ବଜନୀନ ନ କରିବାକୁ ବାରଣ କରାଯାଇଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏହି କମିଟିର ରିପୋର୍ଟ ଉପରେ ନିର୍ଭର କରିବ ନାହିଁ ଏବଂ ସକ୍ଷମ କର୍ତ୍ତୃପକ୍ଷ ସ୍ୱାଧୀନ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏହା ସହିତ ପେଲେଟ୍‌ ଗନ୍‌ ଏବଂ ବୈଦ୍ୟୁତିକ ଲାଠିଆଦି ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ କି ନାହିଁ, ସେ ନେଇ ମଧ୍ୟ କମିଟି ସମୀକ୍ଷା କରିବ। ଶାନ୍ତିପୂର୍ଣ୍ଣ ଭାବେ ସମାବେଶ କରିବାର ସାମ୍ବିଧାନିକ ଅଧିକାର ଏବଂ ଆଇନ ଶୃଙ୍ଖଳା ରକ୍ଷା ମଧ୍ୟରେ କିପରି ସନ୍ତୁଳନ ରକ୍ଷା କରାଯାଇପାରିବ, ସେ ନେଇ କମିଟି ଗୁରୁତ୍ୱପୂର୍ଣ୍ଣ ସୁପାରିସ ପ୍ରଦାନ କରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button