Judgement: ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ: ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ ଅନୁମତି

ଇଚ୍ଛାମୃତ୍ୟୁ ମାମଲାରେ ସୁପ୍ରିମ୍‌କୋର୍ଟ ବୁଧବାର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଦେଶରେ ଏହା ପ୍ରଥମ ଇଚ୍ଛାମୃତ୍ୟୁ ମାମଲା। ସର୍ବୋଚ୍ଚ ନ୍ୟାୟାଳୟ ୧୩ ବର୍ଷ ହେଲା କୋମାରେ ଥିବା ୩୧ ବର୍ଷୀୟ ହରିଶ ରାଣାଙ୍କ ବାପାମା’ କରିଥିବା ଇଚ୍ଛାମୃତ୍ୟୁ ଆବେଦନକୁ

ନୂଆଦିଲ୍ଲୀ: ଇଚ୍ଛାମୃତ୍ୟୁ ମାମଲାରେ ସୁପ୍ରିମ୍‌କୋର୍ଟ ବୁଧବାର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଦେଶରେ ଏହା ପ୍ରଥମ ଇଚ୍ଛାମୃତ୍ୟୁ ମାମଲା। ସର୍ବୋଚ୍ଚ ନ୍ୟାୟାଳୟ ୧୩ ବର୍ଷ ହେଲା କୋମାରେ ଥିବା ୩୧ ବର୍ଷୀୟ ହରିଶ ରାଣାଙ୍କ ବାପାମା’ କରିଥିବା ଇଚ୍ଛାମୃତ୍ୟୁ ଆବେଦନକୁ ମଞ୍ଜୁର କରିଛନ୍ତି।

ଗାଜିଆବାଦର ହରିଶ ରାଣା ଏବେ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ଅଛନ୍ତି। ଜଷ୍ଟିସ ଜେବି ପାର୍ଦିବାଲା ଓ ଜଷ୍ଟିସ କେବି ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏମ୍ସକୁ ହରିଶଙ୍କ ଲାଇଫ୍ ସପୋର୍ଟ ସିଷ୍ଟମ୍‌କୁ ପର୍ଯ୍ୟାୟକ୍ରମେ ହେଟେଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିବା ସମୟରେ ଭାବବିହ୍ବଳ ହୋଇପଡ଼ିଥିଲେ। ଆଜିର ରାୟ ଏକ ଐତିହାସିକ ରାୟ, କାରଣ ଏହା ୨୦୧୮ ମସିହାରେ ଇଚ୍ଛାମୃତ୍ୟୁ ଉପରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଆଗକୁ ନେଇଛି।

ସୁପ୍ରିମ୍‌କୋର୍ଟ କହିଛନ୍ତି, ଏହି ପ୍ରକ୍ରିୟା ଏପରି ଭାବେ କରାଯିବା ଆବଶ୍ୟକ ଯଦ୍ଦ୍ବାରା ରୋଗୀଙ୍କ ଗରିମା ଆଘାତପ୍ରାପ୍ତ ନ ହେବ। ଇଚ୍ଛାମୃତ୍ୟୁ ବା ପାସିଭ୍ ୟୁଥାନାସିଆର ଅର୍ଥ କୌଣସି ଗମ୍ଭୀର ରୋଗରେ ପୀଡ଼ିତଙ୍କୁ ବଞ୍ଚେଇ ରଖିବା ପାଇଁ ଯେଉଁ ଲାଇଫ୍ ସପୋର୍ଟ ଯୋଗାଇ ଦିଆଯାଏ, ତାକୁ ବନ୍ଦ କରିଦେବା, ଯଦ୍ଦ୍ବାରା ରୋଗୀର ପ୍ରାକୃତିକ ଭାବେ ମୃତ୍ୟୁ ଘଟିବ। ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ହରିଶ ୨୦୧୩ରେ ପଞ୍ଜାବ ବିଶ୍ବବିଦ୍ୟାଳୟରେ ବିଟେକ୍ ପଢ଼ୁଥିବା ସମୟରେ ହଷ୍ଟେଲର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ସମ୍ପୂର୍ଣ୍ଣ ଶରୀର ଅଚଳ ହୋଇଯାଇଥିଲା ଓ ସେ କୋମାକୁ ଚାଲି ଯାଇଥିଲେ।

ସୌଜନ୍ୟ ସମ୍ବାଦ

Exit mobile version