Karnataka doctor killed: କର୍ଣ୍ଣାଟକରେ ଡାକ୍ତରଙ୍କୁ ହତ୍ୟା,୮ ବର୍ଷର ପୁଅକୁ ଛୁରାମାଡ଼: ସନ୍ଦେହରେ ପତ୍ନୀ ଅଟକ
କର୍ଣ୍ଣାଟକର ଧାରୱାଡରେ ଜଣେ ୪୫ ବର୍ଷୀୟ ଡାକ୍ତରଙ୍କୁ ତାଙ୍କ ଆପାର୍ଟମେଣ୍ଟ ଭିତରେ ହତ୍ୟା କରାଯାଇଥିବା ବେଳେ ତାଙ୍କ ଆଠ ବର୍ଷର ପୁଅକୁ ଛୁରା ମାଡ଼ ହୋଇଛି। ଶିଶୁଟିକୁ ଆହତାବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଡରେ ଜଣେ ୪୫ ବର୍ଷୀୟ ଡାକ୍ତରଙ୍କୁ ତାଙ୍କ ଆପାର୍ଟମେଣ୍ଟ ଭିତରେ ହତ୍ୟା କରାଯାଇଥିବା ବେଳେ ତାଙ୍କ ଆଠ ବର୍ଷର ପୁଅକୁ ଛୁରା ମାଡ଼ ହୋଇଛି। ଶିଶୁଟିକୁ ଆହତାବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଡାକ୍ତରଙ୍କୁ ଚିରାୟୁ ହସ୍ପିଟାଲର ଆନେସ୍ଥେସିଓଲୋଜିଷ୍ଟ ଡାକ୍ତର କିରଣ ହୋନାନ୍ନାଭର ଭାବରେ ଚିହ୍ନଟ କରାଯାଇଛି। ତାଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କା ଜଣେ ଚକ୍ଷୁ ବିଶେଷଜ୍ଞ ହୋଇଥିବାବେଳେ ପତିଙ୍କୁ ହତ୍ୟା କରିଥିବା ସନ୍ଦେହରେ ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ହୁବାଲି-ଧାରୱାଡ ପୁଲିସ କମିସନର ଏନ ଶଶିକୁମାରଙ୍କ କହିଛନ୍ତି ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆପାର୍ଟମେଣ୍ଟଟି ଏକ ଅତ୍ୟନ୍ତ ସୁରକ୍ଷିତ ଆବାସିକ କମ୍ପ୍ଲେକ୍ସ ହୋଇଥିବାରୁ କୌଣସି ବାହାର ଲୋକ ଭିତରକୁ ପ୍ରବେଶ କରିନଥିବା ଅନୁମାନ କରାଯାଉଛି। ପୁଲିସ କହିଛି ଯେ, ଘଟଣା ସମୟରେ କେବଳ ତିନି ଜଣ ଲୋକ – ପତି, ପତ୍ନୀ ଓ ପିଲା ଘର ଭିତରେ ଥିଲେ।
ପାରିବାରିକ କଳହରୁ ହତ୍ୟାକାଣ୍ଡ
ଡାକ୍ତର କିରଣଙ୍କ ସମ୍ପର୍କୀୟମାନେ ବୁଧବାର ତାଙ୍କ ସହିତ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ଡାକ୍ତର କିରଣଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କା ସେମାନଙ୍କୁ କହିଥିଲେ ଯେ, ସେ ବିଶ୍ରାମ ନେଉଛନ୍ତି ଓ ପରେ ସେ ବାହାରକୁ ଚାଲିଯାଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଯେତେବେଳେ ଡାକ୍ତର କିରଣଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ପରିବାର ସଦସ୍ୟମାନେ ଆପାର୍ଟମେଣ୍ଟକୁ ଯାଇଥିଲେ। ଡାକ୍ତର କିରଣଙ୍କୁ ସେମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ସେମାନଙ୍କ ପୁଅକୁ ଆହତ ଅବସ୍ଥାରେ ପାଇଥିଲେ। ସେତେବେଳେ ଡାକ୍ତର ପ୍ରିୟଙ୍କା ସେମାନଙ୍କ ନିକଟରେ ବସି ଫୋନ୍ ଦେଖୁଥିଲେ।
ପୁଲିସ କମିସନର କହିଛନ୍ତି ଯେ, ଡାକ୍ତର ପ୍ରିୟଙ୍କାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ ଓ ସେ ଅସ୍ୱାଭାବିକ ଭାବେ ବୟାନ ଦେଉଛନ୍ତି। ତଦନ୍ତକାରୀମାନେ ତାଙ୍କ ଘଟଣାବଳୀ ଯାଞ୍ଚ କରୁଛନ୍ତି ଓ ଘଟଣା ପଛର ଉଦ୍ଦେଶ୍ୟ ନିର୍ଣ୍ଣୟ କରିବା ପାଇଁ ଉଭୟ ପରିବାରଠାରୁ ସୂଚନା ସଂଗ୍ରହ କରୁଛନ୍ତି। ପୁଲିସ କହିଛି ଯେ, ପଡ଼ୋଶୀଙ୍କ ସହ କୌଣସି ବିବାଦର କୌଣସି ସୂଚନା ନାହିଁ ଓ ତଦନ୍ତର ଅଂଶ ସ୍ୱରୂପ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। କର୍ତ୍ତୃପକ୍ଷ ସବ୍ଅର୍ବାନ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି। ଶବବ୍ୟବଚ୍ଛେଦ ଓ ଅଧିକ ତଦନ୍ତ ପରେ ହତ୍ୟାର ସଠିକ୍ କାରଣ ଓ ପରିସ୍ଥିତି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ସମ୍ପର୍କୀୟମାନେ ହତ୍ୟାକାଣ୍ଡ ପାଇଁ ପତ୍ନୀ ପ୍ରିୟଙ୍କାଙ୍କୁ ଦାୟୀ କରିଛନ୍ତି। ତେବେ ହତ୍ୟାକାଣ୍ଡ ପାଇଁ ଏପର୍ଯ୍ୟନ୍ତ ପୁଲିସ ଡାକ୍ତର ପ୍ରିୟଙ୍କାକୁ ଦାୟୀ କରିନାହିଁ। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି। ଶିଶୁଟିର ମାନସିକ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପୁଲିସ କୌଣସି ତଥ୍ୟ ରଖିନାହାନ୍ତି।
ସୌଜନ୍ୟ ସମ୍ବାଦ




