ମନୋରଞ୍ଜନ

Katrina Kaif Mother: ଚାକଚକ୍ୟଠାରୁ ଦୂରରେ କ୍ୟାଟ୍ରିନାଙ୍କ ମା’, ଗାଁରେ ବିନା ବିଜୁଳିରେ ବିତୁଛି ଜୀବନ

ନୂଆଦିଲ୍ଲୀ ୨୨/୦୯: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସଂପର୍କରେ କହିବା ମାତ୍ରେ ବଲିଉଡ୍‌ର ଚାକଚକ୍ୟ, ଗ୍ଲାମର, ଷ୍ଟାରଡମ୍ କଥା ମନକୁ ଆସିଯାଇଥାଏ । ଫିଲ୍ମ ସହ ବ୍ୟବସାୟ କ୍ଷେତ୍ରରେ ବି କ୍ୟାଟ୍ରିନା ବେଶ୍ ନାମ କମାଇଛନ୍ତି । ତେବେ ତାଙ୍କ ମା’ ସୁଜାନଙ୍କ ଜୀବନ ତାଙ୍କ ଦୁନିଆଠାରୁ ସଂପୂର୍ଣ୍ଣ ଭିନ୍ନ । ସ୍ୱେଚ୍ଛାକୃତ ଭାବେ ଲଣ୍ଡନ ଛାଡ଼ି ଆସି ସେ ତାମିଲନାଡୁ ମଦୁରାଇ ନିକଟସ୍ଥ ଏକ ଗାଁକୁ ନିଜ କର୍ମକ୍ଷେତ୍ର ଭାବେ ବାଛିଛନ୍ତି । ସେଠାରେ ଗରିବ ଏବଂ ଅବହେଳିତ ବର୍ଗର ପିଲାମାନଙ୍କ ଲାଗି ଏକ ସ୍କୁଲ ଖୋଲି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ପ୍ରୟାସ କରୁଛନ୍ତି ।

ସୁଜାନ ଯେଉଁଠାରେ ରହୁଛନ୍ତି ସେଠାରେ ବିଜୁଳି ସୁବିଧା ନାହିଁ କହିଲେ ଚଳିବ । କାରଣ ଅଧିକାଂଶ ସମୟରେ ସେଠାରେ ପ୍ରାୟ ୧୮ ଘଣ୍ଟା ଧରି ବିଜୁଳିକାଟ ହୋଇଥାଏ । ୨୦୦୮ରେ ଲଣ୍ଡନରେ ରହୁଥିବା ସୁଜାନ ତାମିଲନାଡୁକୁ ଆସିଥିଲେ । ସେଠାରେ ସେ ‘ରିଲିଫ୍ ପ୍ରୋଜେକ୍ଟସ ଇଣ୍ଡିଆ’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରତିଷ୍ଠା କରିଥିଲେ । ପ୍ରାଥମିକ ଭାବେ ସେ ସନ୍ଧ୍ୟାରେ ସରକାରୀ ସ୍କୁଲକୁ ଯାଉଥିବା ଗରିବ, ଅବହେଳିତ ପରିବାରର ପିଲାମାନଙ୍କୁ ମାଗଣାରେ ଟ୍ୟୁସନ୍ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସୟମରେ ୨୦୧୫ରେ ସେମାନଙ୍କ ଲାଗି ବିଧିବଦ୍ଧ ଭାବେ ‘ମାଉଣ୍ଟେନ୍ ଭିଉ’ ପ୍ରାଥମିକ ସ୍କୁଲ ଆରମ୍ଭ କରିଥିଲେ । ବର୍ତ୍ତମାନ ସେହି ସ୍କୁଲରେ ୩୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି ।

ଏହାଛଡ଼ା ସେ ସ୍ଥାନୀୟ ମହିଳାମାନଙ୍କୁ ଦକ୍ଷତା ଭିତ୍ତିକ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି । କ୍ୟାରିୟର ପାଇଁ ମାର୍ଗଦର୍ଶନ ଦେଉଛନ୍ତି । କିଛି ଦିନ ତଳେ କ୍ୟାଟ୍ରିନା ତାଙ୍କ ମା’ଙ୍କର କଷ୍ଟକର ସାଧନା ସଂପର୍କରେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ତାଙ୍କ ମା’ ଯେଉଁଠାରେ ରହୁଛନ୍ତି ସେଠାରେ ରହିବା ଏତେ ସହଜ ନୁହେଁ । ସେଠାରେ ବିଜୁଳି ମାତ୍ର କିଛି ସମୟ ଲାଗି ଉପଲବ୍ଧ ହୋଇଥାଏ । ତେଣୁ ମା’ଙ୍କ ସହ ଭିଡିଓ କଲ୍‌ରେ କଥା ହେବା ଅନେକ ସମୟରେ ସମ୍ଭବପର ହୋଇନଥାଏ । ତେବେ ସେ ମା’ଙ୍କର ଏହି ମହତକାର୍ଯ୍ୟ ଲାଗି ନିଜ ରୋଜଗାରର କିଛି ଅଂଶ ପ୍ରଦାନ କରିଥାନ୍ତି ।

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button