Suchika Tariyal: କିଏ ୩୬ ବର୍ଷୀୟ ସୂଚିକା ତରିୟାଲ ? ବିଶ୍ୱ ଚାମ୍ପିଅନଙ୍କୁ ହରାଇ ଭାରତକୁ ଦେଲେ ପ୍ରଥମ MMA ପଦକ

ନୂଆଦିଲ୍ଲୀ,୨୨/୦୯; ଆଇଚି ନାଗୋୟା ୨୦ତମ ଏସିଆଡ୍ ଦ୍ୱିତୀୟ ପଦକ ଦିବସ ଶେଷ ସୁଦ୍ଧା ଭାରତକୁ ମୋଟ୍ ୬ଟି ପଦକ ମିଳିଥିଲେ ବି ସ୍ୱର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟି ନାହିଁ । ସୁଟିଂରେ ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଥିଲା । ମିକ୍ସଡ ମାର୍ଶାଲ ଆର୍ଟରେ ପ୍ରଥମ ଦିବସରେ ପଦକ ନିଶ୍ଚିତ କରିଥିବା ସୂଚିକା ତରିୟାଲ ସେମି ଫାଇନାଲରେ ପରାଜିତ ହୋଇଥିଲେ । ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସେ ପ୍ରଥମ ଭାରତୀୟ ଭାବେ ଏସିଆଡ୍ରେ ପଦକ ଜିତି ଇତିହାସ ରଚିଛନ୍ତି ।
ଦ୍ୱିତୀୟ ଦିବସରେ ସୁଟିଂରେ ୩ଟି ପଦକ ମିଳିଥିଲା । ରୁଦ୍ରାଂଶ ପାଟିଲ,ପାର୍ଥ ରାକେଶ ମାନ ଓ ହିମାଂଶୁ ଧୀଲନଙ୍କୁ ନେଇ ଭାରତୀୟ ୧୦ ମିଟର ଏୟାର ରାଇଫଲ ପୁରୁଷ ଦଳ ରୌପ୍ୟ ପାଇଥିଲେ । ଭାରତୀୟ ଦଳ ମୋଟ୍ ୧୮୯୦.୧ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚୀନ ଦଳ ୧୮୯୯.୦ ପଏଣ୍ଟ ସହ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରି ସ୍ୱର୍ଣ୍ଣ ଏବଂ ଦକ୍ଷିଣ କୋରିଆକୁ (୧୮୮୪.୨) ବ୍ରୋଞ୍ଜ ପଦକ ମିଳିଥିଲା । ୧୦ ମିଟର ଏୟାର ରାଇଫଲ ପୁରୁଷ ବ୍ୟକ୍ତିଗତ ବର୍ଗରେ ଭାରତକୁ ଡବଲ ପଦକ ମିଳିଥିଲା । ଚୀନର ସେଙ୍ଗ ଲିହାନ ୨୫୪.୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ଲାଭ କରିଥିଲେ । ହିମାଂଶୁ ୨୫୨.୪ ପଏଣ୍ଟ ସହ ରୌପ୍ୟ ଏବଂ ରୁଦ୍ରାଂଶ ୨୩୦.୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ ।
୭୦୦ ଗ୍ରାମ ଓଜନ ସୂଚିକାଙ୍କୁ ଫାଇନାଲରୁ ବଞ୍ଚିତ କଲା- ମିକ୍ସଡ ମାର୍ଶାଲ ଆର୍ଟରେ ସୂଚିକା ମହିଳା ଟ୍ରାଡିସନାଲ ୬୦ କିଲୋ ଓଜନ ବର୍ଗର ସେମି ଫାଇନାଲରେ ସିଙ୍ଗାପୁରର ତେଓ ହୁଇ ହୁନଙ୍କୁ ଭେଟିଥିଲେ । ନିର୍ଦ୍ଧାରିତ ସମୟରେ ମ୍ୟାଚ ଅମୀମାଂସିତ ରହିଥିଲା । ଏହାପରେ ହୁନଙ୍କୁ ୨-୦ରେ ବିଜୟୀ ଘୋଷିତ କରାଯାଇଥିଲା । ହଠାତ ବୁଝି ପାରିନଥିଲେ ସୂଚିକା । ସେ କାହିଁକି ପରାଜିତ ହେଲେ ଏବଂ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ । ଫଳାଫଳକୁ ନେଇ ଭାରତ ଆବେଦନ କରିଥିଲା । କିନ୍ତୁ ପରେ ସବୁ କିଛି ସ୍ପଷ୍ଟ ହୋଇଥିଲା । ମ୍ୟାଚ ପୂର୍ବରୁ ସକାଳ ଓଜନ ସମୟରେ ହୁନଙ୍କ ଠାରୁ ସୂଚିକା ୭୦୦ ଗ୍ରାମ ଅଧିକ ଥିଲେ । ଏହି ଆଧାରରେ ହୁନଙ୍କୁ ବିଜୟୀ ଘୋଷିତ କରାଯାଇଥିଲା ।
ସୌଜନ୍ୟ ପ୍ରମେୟ




