Kedarnath Yatra Halted: କେଦାରନାଥ ଯାତ୍ରୀଙ୍କୁ ବଡ଼ ଝଟକା ! ଗୌରୀକୁଣ୍ଡରେ ଭୟଙ୍କର ଭୂସ୍ଖଳନ, ପାଦଯାତ୍ରା ସମ୍ପୂର୍ଣ୍ଣ ବନ୍ଦ

ଉତ୍ତରାଖଣ୍ଡ, ୩୦।୭: ଉତ୍ତରାଖଣ୍ଡରେ କ୍ରମାଗତ ଭାବେ ଜାରି ରହିଥିବା ମୂଷଳଧାରା ବର୍ଷା ଯାତ୍ରାକୁ ଅଧିକ ପ୍ରଭାବିତ କରିଛି । ଗୁରୁବାର କେଦାରନାଥ ଯାତ୍ରା ମାର୍ଗରେ ଏକ ବଡ଼ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଆଜି ସକାଳେ ଗୌରୀକୁଣ୍ଡ ଗେଟ୍ରୁ ପ୍ରାୟ ୨୦୦ ମିଟର ଦୂରରେ ହଠାତ୍ ପାହାଡ଼ର ଏକ ବିଶାଳ ଅଂଶ ଭୁଶୁଡ଼ି ପଡ଼ି ପଦଯାତ୍ରା ମାର୍ଗ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି । ରାସ୍ତା ଉପରେ ପ୍ରଚୁର ପରିମାଣର ମାଟି, ପଥର ଓ ବିଶାଳ ବୋଲ୍ଡର ପଡ଼ିଥିବାରୁ କେଦାରନାଥ ପାଦଚଲା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ତରତା ପ୍ରକାଶ କରି ଶ୍ରଦ୍ଧାଳୁଙ୍କ ଯାତାୟାତ ଉପରେ କଟକଣା ଜାରି କରିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗୁରୁବାର ସକାଳେ ହଠାତ୍ ଏକ ଭୟଙ୍କର ଶବ୍ଦ ସହିତ ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଖସିବାକୁ ଲାଗିଥିଲା । ତେବେ ଆଶ୍ୱସ୍ତିର କଥା ଏହା ଯେ, ଘଟଣା ସମୟରେ ଏହି ରାସ୍ତାରେ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ନଥିଲେ, ନଚେତ୍ ଏକ ବଡ଼ଧରଣର ଅଘଟଣ ଘଟିଥା’ନ୍ତା । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଠାରେ ଉପସ୍ଥିତ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି । ଭୂସ୍ଖଳନର ଖବର ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ, ଡି.ଡି.ଆର୍.ଏଫ୍. ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ମାଟି ଓ ପଥର ହଟାଇବା କାମ ଆରମ୍ଭ କରାଯାଇଛି, କିନ୍ତୁ ଲଗାଣ ବର୍ଷା ଏବଂ ଉପରୁ କ୍ରମାଗତ ଭାବେ ପଥର ଖସୁଥିବାରୁ ଉଦ୍ଧାର ଓ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦ ସିଂହ ରଜୱାର କହିଛନ୍ତି ଯେ, ଗୌରୀକୁଣ୍ଡ ଆଗକୁ ହୋଇଥିବା ଏହି ଭୟଙ୍କର ଭୂସ୍ଖଳନ ଯୋଗୁଁ କେଦାରନାଥ ପଦଯାତ୍ରା ମାର୍ଗ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଡି.ଡି.ଆର୍.ଏଫ୍. ଟିମ୍ ଘଟଣାସ୍ଥଳରେ ମୁତୟନ ଅଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରାସ୍ତା ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ଏବଂ ପାଗ ଅନୁକୂଳ ହେବା ପରେ ହିଁ କେଦାରନାଥ ଯାତ୍ରା ପୁନର୍ବାର ଆରମ୍ଭ କରାଯିବ । କୌଣସି ପ୍ରକାରର ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି । ପ୍ରଶାସନର ଅନୁମତି ବିନା ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ ନାହିଁ । କେବଳ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେଦାରନାଥ ପାଦଚଲା ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖାଯାଇଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି ।
ସୌଜନ୍ୟ ପ୍ରମେୟ




