Koida: କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ ଦୁର୍ଘଟଣା, ସୁସ୍ଥ ହୋଇ କାର୍ଯ୍ୟକ୍ଷେତ୍ରକୁ ଫେରିଲେ ସମସ୍ତ ଆହତ ଶ୍ରମିକ
କୋଇଡା ଖଣି ମଣ୍ଡଳ ଅଧୀନ ରୁଙ୍ଗଟା ମାଇନ୍ସ ଲିମିଟେଡ୍ର କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ରେ ସେପ୍ଟେମ୍ବର ୧୨ ତାରିଖ ସକାଳେ ଘଟିଥିବା ବିସ୍ଫୋରଣ ଘଟଣାକୁ ନେଇ ପ୍ରଶାସନିକ ତଦନ୍ତ ଶେଷ ହୋଇଛି। ଘଟଣାରେ ଆହତ ୬ ଶ୍ରମିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି।

କୋଇଡା: କୋଇଡା ଖଣି ମଣ୍ଡଳ ଅଧୀନ ରୁଙ୍ଗଟା ମାଇନ୍ସ ଲିମିଟେଡ୍ର କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ରେ ସେପ୍ଟେମ୍ବର ୧୨ ତାରିଖ ସକାଳେ ଘଟିଥିବା ବିସ୍ଫୋରଣ ଘଟଣାକୁ ନେଇ ପ୍ରଶାସନିକ ତଦନ୍ତ ଶେଷ ହୋଇଛି। ନିର୍ଦ୍ଦେଶ କ୍ରମେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଅଧିକାରୀମାନେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ତଦନ୍ତ କରି ରିପୋର୍ଟ ଜିଲ୍ଲାପାଳ ଓ କୋର୍ଟକୁ ପଠାଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ୧୨ ତାରିଖ ସକାଳ ପ୍ରାୟ ୯ ଟା ୫୦ରେ ଏସ୍ଏମ୍ଏସ୍ ସ୍ଲାଗ୍ ପିଟ୍ ନିକଟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଘଟଣା ସମୟରେ କ୍ରେନ୍ ଦ୍ୱାରା ଚଳାଚଳ କରୁଥିବା ଲାଡେଲ୍ ବକେଟ୍ଟି କ୍ରେନ୍ ମୋଡ଼ିଯିବାରୁ ତଳେ ସ୍ଥଳଭାଗ ଛୁଇଁଥିଲା ଏବଂ ଏଥିରେ ଥିବା ତରଳ ଲୁହା ତଳେ ଜମିଥିବା ପାଣି ଅଂଶ ସଂସ୍ପର୍ଶରେ ଆସିବା ପରେ ତୀବ୍ର ପ୍ରତିକ୍ରିୟା( ବିସ୍ଫୋରଣ) ଘଟିଥିବା ପ୍ରାଥମିକ ତଥ୍ୟରୁ ଜଣାପଡ଼ିଥିଲା। ଏହାର ପ୍ରଭାବରେ ଧୂଆଁ ଓ ଗରମ ତରଳ ପଦାର୍ଥର ଛିଟିକା ଚାରିଆଡ଼େ ପଡ଼ିଥିଲା। ନିକଟରେ କାର୍ଯ୍ୟରତ ଥିବା ୬ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ପ୍ଲାଣ୍ଟ୍ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା। ଭୟରେ ଦୌଡିବା କାରଣରୁ ୪ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣଙ୍କ ହାତ ଓ ମୁଣ୍ଡରେ ପୋଡ଼ା ଆଘାତ ଲାଗିଥିବା ସୂଚନା ମିଳିଥିଲା। ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଦୁର୍ଘଟଣାସ୍ଥଳକୁ ସିଲ୍ କରାଯାଇଥିଲା। ଏପଟେ ଘଟଣାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ସହ ମୃତାହତଙ୍କ ସଂଖ୍ୟାକୁ ନେଇ ବିଭିନ୍ନ ଗୁଜବ ମଧ୍ୟ ପ୍ରଚାରିତ ହୋଇଥିଲା। ଏପରିକି ୪୦ରୁ ୫୦ ଏବଂ ୧୦୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଭଳି ଦାବି ମଧ୍ୟ ଚାଲିଥିଲା। ଖବର ପାଇ କୋଇଡା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ତେବେ ଘଟଣାସ୍ଥଳରେ ଆହତ ଶ୍ରମିକଙ୍କ ବ୍ୟତୀତ ଅନ୍ୟ କୌଣସି ମୃତାହତଙ୍କ ସୂଚନା ମିଳିନଥିଲା ବୋଲି ପ୍ରକାଶ କରିଥିଲେ ।
ସୌଜନ୍ୟ ସମ୍ବାଦ




