Kolkata Airport: କୋଲକାତା ବିମାନବନ୍ଦରରେ ଏୟାର୍ ଇଣ୍ଡିଆ ବିମାନକୁ ଅପହରଣ ଧମକ, ସୁରକ୍ଷିତ ଭାବେ ଓହ୍ଲାଇଲେ ୯୩ ଯାତ୍ରୀ ଓ ୫ କର୍ମଚାରୀ
କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏକ ଏୟାର୍ ଇଣ୍ଡିଆ ବିମାନକୁ ଅପହରଣ ଧମକ ମିଳିବା ପରେ ତୀବ୍ର ସୁରକ୍ଷା ସତର୍କତା ଜାରି କରାଯାଇଛି।

କୋଲକାତା: କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏକ ଏୟାର୍ ଇଣ୍ଡିଆ ବିମାନକୁ ଅପହରଣ ଧମକ ମିଳିବା ପରେ ତୀବ୍ର ସୁରକ୍ଷା ସତର୍କତା ଜାରି କରାଯାଇଛି। ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଏଆଇ ୭୭୨ ବିମାନର ଶୌଚାଳୟ ଆଇନାରେ ଅପହରଣ ସମ୍ପର୍କିତ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଥିବା ଦେଖିବାକୁ ମିଳିଥିଲା। ଏହା ପରେ ବିମାନକୁ ନିର୍ଜନ ସୁରକ୍ଷିତ ସ୍ଥାନ ବା ଆଇସୋଲେସନ୍ ବେ’କୁ ନିଆଯାଇ ଯାଞ୍ଚ କରାଯାଇଛି।
ଶୌଚାଳୟର ଆଇନାରେ ଧମକପୂର୍ଣ୍ଣ ବାର୍ତ୍ତା
ବିମାନଟି ସକାଳ ୧୦ଟା ୨୦ରେ ଉଡ଼ାଣ ଆରମ୍ଭ କରିବାର ଥିଲା। ଉଡ଼ାଣ ପୂର୍ବରୁ କ୍ୟାବିନ୍ କର୍ମଚାରୀ ଶୌଚାଳୟର ଆଇନାରେ ଧମକପୂର୍ଣ୍ଣ ବାର୍ତ୍ତା ଦେଖିଥିଲେ। ଏଥିରେ ବିମାନଟିକୁ ସକାଳ ୧୧ଟା ୧୦ରେ ଅପହରଣ କରାଯିବ ବୋଲି ଲେଖାଥିବା କୋଲକାତା ବିମାନବନ୍ଦର ନିର୍ଦ୍ଦେଶକ ବିକ୍ରମ ସିଂହ କହିଛନ୍ତି। ଘଟଣା ସମ୍ପର୍କରେ ପାଇଲଟ୍ ତୁରନ୍ତ ବିମାନ ଚଳାଚଳ ନିୟନ୍ତ୍ରଣ କକ୍ଷ (ଏଟିସି)କୁ ଜଣାଇଥିଲେ। ଏହା ପରେ ନିର୍ଦ୍ଧାରିତ ସୁରକ୍ଷା ପ୍ରକ୍ରିୟା ଅନୁସାରେ ବିମାନକୁ ଆଇସୋଲେସନ୍ ବେ’କୁ ନିଆଯାଇଥିଲା।
ବିମାନରେ ଚଢ଼ିସାରିଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ବିମାନରେ ୯୩ ଜଣ ଯାତ୍ରୀ ଓ ପାଞ୍ଚଜଣ କର୍ମଚାରୀ ଥିଲେ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଓ ବିମାନବନ୍ଦରର ସ୍ୱତନ୍ତ୍ର ସୁରକ୍ଷା ଦଳ ବିମାନରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ଓ ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ସତର୍କ ରଖାଯାଇଥିଲା। ବିମାନର ପ୍ରତ୍ୟେକ ଅଂଶ ଯାଞ୍ଚ କରାଯାଇଥିଲା। ଧମକପୂର୍ଣ୍ଣ ବାର୍ତ୍ତା କିଏ ଲେଖିଥିଲା ଏବଂ ଏହା ପଛରେ କାହାର ହାତ ରହିଛି, ତାହା ଜାଣିବା ପାଇଁ ପୁଲିସ ଓ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ବିମାନବନ୍ଦର ପରିସର ଓ ବିମାନ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାର ଦୃଶ୍ୟ ଯାଞ୍ଚ କରାଯାଉଛି।
ସୌଜନ୍ୟ ସମ୍ବାଦ




